Unknown

 

 

 

 

 

 

 

 

 

 

 

ଫଟୋ

ଶ୍ରୀ ଶତ୍ରୁଜିତ

 

ପ୍ରାଗ୍‌ଭାଷ

 

କଥାଶିଳ୍ପୀ ଶତ୍ରୁଜିତଙ୍କର ‘ଫଟୋ’ ଶୀର୍ଷକ କ୍ଷୁଦ୍ରଗଳ୍ପ ସଙ୍କଳନଟି ଓଡ଼ିଶା ସରକାରଙ୍କର କ୍ରୀଡ଼ା ଓ ଯୁବସେବା ବିଭାଗଦ୍ଵାରା ନିୟନ୍ତ୍ରିତ ହେଉଥିବା ରାଜ୍ୟ ଯୁବକଲ୍ୟାଣ ପରିଷଦ ପକ୍ଷରୁ ୨୦୦୨-୦୩ ବର୍ଷ ପାଇଁ ଗଳ୍ପ ବିଭାଗର ଶ୍ରେଷ୍ଠକୃତିରୂପେ ପୁରସ୍କୃତ ହୋଇଛି । ଏହାର ପ୍ରକାଶନ ଦାୟିତ୍ୱ ଓଡ଼ିଶା ସାହିତ୍ୟ ଏକାଡେମୀ ବହନ କରିଥିବାରୁ ଆମେ ଗର୍ବିତ ।

 

ଶତ୍ରୁଜିତ ଜଣେ ଉଦୀୟମାନ ଗାଳ୍ପିକ । ବୃତ୍ତିରେ ସାମ୍ବାଦିକ ହେଲେ ହେଁ ସତ୍ୟାନୁଶୀଳନ ପ୍ରତି ଅନୁସନ୍ଧିତ୍ସା, ଗଭୀର ଆତ୍ମପ୍ରତ୍ୟୟ, ଭାଷାର ସାବଲୀଳତା ଓ ଘଟଣା ବିନ୍ୟାସରେ ନାଟକୀୟତା ତାଙ୍କ କ୍ଷୁଦ୍ରଗଳ୍ପଗୁଡ଼ିକୁ ଅଧିକ ରୋଚକ ଓ ହୃଦୟସ୍ପର୍ଶୀ କରିପାରିଛି । ଏହି ଗଳ୍ପଗୁଡ଼ିକ ଶାଣିତ ଓ ବାସ୍ତବଧର୍ମୀ । ବହୁ ପ୍ରତିଶ୍ରୁତି ବହନ କରିଥିବା ତାଙ୍କର ଗଳ୍ପ ମାନସ ନିଶ୍ଚିତ ଭାବରେ ପାଠକୀୟ ଶ୍ରଦ୍ଧା ଓ ଅନୁରାଗ ଲାଭ କରିବ ବୋଲି ଆମେ ଆଶା କରୁ ।

 

 

ରାଜକିଶୋର ମିଶ୍ର

୧, ଜୁନ୍‌, ୨୦୦୪

ସମ୍ପାଦକ

 

ଓଡ଼ିଶା ସାହିତ୍ୟ ଏକାଡେମୀ

Image

 

କ୍ଲିକ୍‌...କ୍ଲିକ୍‌

 

ବୃତ୍ତିରେ ମୁଁ ଜଣେ ସାମ୍ବାଦିକ । ପ୍ରତ୍ୟେକ ଦିନ ସମ୍ବାଦ ଓ ସମ୍ବାଦର ଯଥାର୍ଥତା ପ୍ରତିପାଦନ କରୁଥିବା ଫଟୋକୁ ନେଇ ଜୀବନ ବିତାଏ । ଲେଖାରେ ଯାହା ଦର୍ଶାଯାଇଥାଏ, ଫଟୋ ତାକୁ ପ୍ରମାଣସିଦ୍ଧ କରେ । ଫଟୋ ହିଁ ଦେଖାଇ ଦେଇପାରେ ବାସ୍ତବତା । ‘‘ଫଟୋ’’ ସଂକଳନଟିରେ ସନ୍ନିବେଶିତ ଗପଗୁଡ଼ିକରେ ପାଠକେ ଯଦି ସମକାଳୀନ ସମାଜର ବାସ୍ତବଚିତ୍ରକୁ ଭେଟିପାରିବେ, ଏ ଲେଖକର ଉଦ୍ଦେଶ୍ୟ ପୂରଣ ହେବ । ପୁସ୍ତକଟିରେ ଥିବା କେତେକ ଗପ ମୋ ଲେଖକ ଜୀବନର ଆରମ୍ଭ ବେଳର, କେତେକ ମଧ୍ୟ ଏବେକାର । ତେଣୁ ପାଠକେ ଖାଲଢ଼ିପ ରାସ୍ତାରେ ଚାଲିବା ଭଳି ହୁଏତ ଅନୁଭବ କରିପାରନ୍ତି-। ଆଶା, ଉଦାର ହୃଦୟରେ କ୍ଷମା ଦେବେ ।

 

‘‘ଫଟୋ’’ ପାଣ୍ଠୁଲିପିକୁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଅଧୀନସ୍ଥ ‘‘ରାଜ୍ୟ ଯୁବ କଲ୍ୟାଣ ପରିଷଦ’’ ୨୦୦୨-୦୩ ବର୍ଷ ପାଇଁ ‘ରାଜ୍ୟ ଯୁବ ପୁରସ୍କାର’ର ଯୋଗ୍ୟ ମଣିଥିବାରୁ ଚୟନକମିଟି ଏବଂ ପରିଷଦ କର୍ତ୍ତୃପକ୍ଷଙ୍କ ନିକଟରେ ମୁଁ କୃତଜ୍ଞ ।

 

ଓଡ଼ିଶା ସାହିତ୍ୟ ଏକାଡେମୀ କର୍ତ୍ତୃପକ୍ଷ ପୁସ୍ତକର ପ୍ରକାଶନ ଦାୟିତ୍ୱ ନେଇଥିବାରୁ ଏବଂ ଯୁବଲେଖକ ଓ ଚିତ୍ରଶିଳ୍ପୀ ରମାକାନ୍ତ ସାମନ୍ତରାୟ ଆକର୍ଷଣୀୟ ପ୍ରଚ୍ଛଦ ଦେଇଥିବାରୁ ଉଭୟଙ୍କୁ ଧନ୍ୟବାଦ ଜଣାଉଛି ।

 

–ଶତ୍ରୁଜିତ

Image

 

ସୂଚୀପତ୍ର

 

୧.

ଢାଲ

୨.

ଫଟୋ

୩.

ଅହଲ୍ୟା

୪.

କୁହୁଡ଼ି

୫.

ଭାଉଜ

୬.

ଲେଉଟାଣି

୭.

ଦିନେ ସନ୍ଧ୍ୟାରେ

୮.

ଗୋଟେ ପ୍ରେମ ଗଳ୍ପ

୯.

ଦର୍ପଣ ଭାଙ୍ଗିଗଲା

୧୦.

ହୋଲି

Image

 

ଢାଲ

 

କଲେଜପଢ଼ାତ ଏଥର ସରିବ । ୟା’ପରେ କ’ଣ କରିବ ବୋଲି ଭାବିଛ ? –ପ୍ରଶ୍ନ କଲେ ନିରଞ୍ଜନ ବାବୁ ।

 

ରାଜ୍ୟର ଏକ ପ୍ରତିଷ୍ଠିତ ସମ୍ବାଦପତ୍ର ‘ଖବର’ର ସଂପାଦକ ଅଟନ୍ତି ନିରଞ୍ଜନ ବାବୁ । ନିରଞ୍ଜନ ମହାପାତ୍ର; ନିଜେ ଏଇ ସମ୍ବାଦପତ୍ରର ପ୍ରତିଷ୍ଠାତା ମଧ୍ୟ । ରାଜଧାନୀର ଅନ୍ୟତମ ପ୍ରଖ୍ୟାତ ମହାବିଦ୍ୟାଳୟର ଛାତ୍ରସଂସଦ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥିରୂପେ ଯୋଗ ଦେଇଛନ୍ତି ସେ । ମଞ୍ଚରେ ଜଣେ ନିମନ୍ତ୍ରିତ ଅତିଥି ଭାଷଣ ଦେଉଥିବାବେଳେ ନିରଞ୍ଜନ ବାବୁ ତାଙ୍କ ପାଖରେ ବସିଥିବା ଛାତ୍ରସଂସଦ ସଭାପତି ସରୋଜ ଦାସକୁ ଉପରୋକ୍ତ ପ୍ରଶ୍ନକଲେ ।

 

ସରୋଜ କହିଲା ‘ୟା’ ପରେ ପି.ଜି. କରିବି ବୋଲି ଭାବୁଛି । ତା’ସହ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେବି ।’ ନିରଞ୍ଜନ ବାବୁ ପିଠି ଥାପୁଡ଼ାଇଲେ ସରୋଜର । ତାକୁ କହିଲେ ଯେ’ ଆଜିକାଲି ଆଉ କିଏ ସିଭିଲ ସର୍ଭିସକୁ ଗୁରୁତ୍ୱ ଦେଉଛି ? ମଲ୍‌ଟି ନ୍ୟାସନାଲ କମ୍ପାନୀଙ୍କ ପ୍ରବେଶ ପରଠାରୁ ପ୍ରାଇଭେଟ ସେକ୍ଟରରେ ବେଶ ଲୋଭନୀୟ ଚାକିରି ସବୁ ମିଳିଲାଣି । ତେଣୁ ସେ ସିଭିଲ ସର୍ଭିସ କଥା ଛାଡ଼ି ବରଂ ପ୍ରାଇଭେଟ ସେକ୍ଟରକୁ ନଜର ଦେବା କଥା । କଥା ଛଳରେ ସେ ପୁଣି ବୁଝାଇଲେ, ପି.ଜି. ପଢ଼ାପଢ଼ି କରିବା ଓ ଚାକିରି ପାଇଁ ଚେଷ୍ଟା କରିବାକୁ ତ ଭୁବନେଶ୍ୱରରେ ହିଁ ରହିବାକୁ ପଡ଼ିବ । ସେଥିପାଇଁ ପଇସାବି ଦରକାର । ଘର ଉପରେ ଆଉ ନିର୍ଭର ନକରି କିଛିଗୋଟେ ପାର୍ଟ ଟାଇମ୍‌ ଚାକିରି କରିପାର ।

 

ପ୍ରସ୍ତାବଟା ସରୋଜର ମନକୁ ପାଇଲା । ଏତେବେଳକୁ ଭାଷଣ ଦେଉଥିବା ବକ୍ତାଙ୍କ ବକ୍ତବ୍ୟ ସରିଲା । ସରୋଜ ଏଥର ମୁଖ୍ୟ ଅତିଥି ନିରଞ୍ଜନ ବାବୁଙ୍କୁ ଭାଷଣ ଦେବାପାଇଁ ଅନୁରୋଧ କଲା । ନିରଞ୍ଜନ ବାବୁ ତାଙ୍କ ଭାଷଣରେ ସରୋଜକୁ ଦେଇଥିବା ଉପଦେଶ ଦୋହରାଇଲେ । ସେ ତାଙ୍କ ‘ଖବର’ରେ କେମିତି ପ୍ରତିଭାବାନ ତରୁଣମାନଙ୍କୁ ଚାକିରି ଦେଇ ସେମାନଙ୍କୁ ପ୍ରତିଷ୍ଠିତ କରିବାର ସୁଯୋଗ ସୃଷ୍ଟି କରିପାରିଛନ୍ତି, ସେକଥା ବଖାଣିଲେ । ତାଙ୍କ ସମ୍ବାଦପତ୍ରରେ କାମ କରି ପରବର୍ତ୍ତୀକାଳରେ ବିଭିନ୍ନ ଇଂରାଜୀ ସମ୍ବାଦପତ୍ର ଏବଂ ଟିଭି ଚାନେଲରେ ସାମ୍ବାଦିକ ହୋଇ ସୁନାମ ଅର୍ଜିଥିବା କେତେଜଣଙ୍କ ନାଁ ମଧ୍ୟ କହିବାକୁ ଭୁଲି ନଥିଲେ । ତାଙ୍କ ଭାଷଣ ଶୁଣିଲା ବେଳେ ସରୋଜର ଆଖିରେ ଯେମିତି କିଏ ଯାଦୁର ଅଞ୍ଜନ ଲଗାଇଦେଲା । ତାକୁ ପାର୍ଟଟାଇମ ଚାକିରି କରିବାକୁ ପରାମର୍ଶ ଦେଇଥିବା ନିରଞ୍ଜନ ବାବୁଙ୍କୁ ହିଁ କହିଲେ ସେ ତାଙ୍କ ଖବର କାଗଜରେ ରଖିଦେଇ ପାରନ୍ତି ବୋଲି ଭାବିଲା ସେ ।

 

ସଭାଶେଷ ହେବା ପରେ ନିରଞ୍ଜନ ବାବୁ ଯିବା ପୂର୍ବରୁ ସରୋଜକୁ ତା’ର ଭାଷଣ ଲାଗି ପ୍ରଶଂସା କଲେ । ‘‘ଭଲ ଭାଷଣ ଦେଇ ପାରୁଛ । ଛାତ୍ରନେତା ହୋଇଛ, ଭଲ ପାଠ ପଢ଼ୁଛ; ଏତେ ସବୁଥିରେ ଦକ୍ଷତା ଥାଇ ଜଣେ ସିଭିଲ ସର୍ଭାଣ୍ଟ ହେବାକୁ ଚାହୁଁଛ ? ହଇ ହୋ ! ସେଗୁଡ଼ା ପରା ମେରୁଦଣ୍ଡହୀନ ପ୍ରାଣୀ, ରାଜନେତାଙ୍କୁ ହାଁ ଜୀ କହିବା ଓ କୁଜି ନେତାଙ୍କଠାରୁ ମାଡ଼ ଖାଇବା ବ୍ୟତୀତ ସିଭିଲ ସର୍ଭାଣ୍ଟଙ୍କ ଆଉ କିଛି କାମ ଅଛି କି ? ତମେ ଚାହିଁଲେ ଭଲ ସାମ୍ବାଦିକଟିଏ ହୋଇ ପାରିବ । ପ୍ରତିଷ୍ଠା ପାଇବ, ସମ୍ମାନ ବଢ଼ିବ । ବୁଝିଲ, ଏବେହେଲା ମିଡିଆର ଯୁଗ । ଯଦି ମୋ କଥା ମନକୁ ପାଉଛି, ତା’ହେଲେ ଭାବ । ତମେ ଚାହିଁଲେ ମୁଁ ତମକୁ ସାହାଯ୍ୟ କରିପାରିବି ।’’

 

ନିରଞ୍ଜନ ବାବୁ ସତେଅବା ସରୋଜ ଚାହୁଁଥିବା କଥାଗୁଡ଼ିକ ହିଁ କହିଦେଲେ । ସରୋଜ କୃତ୍ୟକୃତ୍ୟ ହୋଇ ପଡ଼ିଲା । ଅତିମାତ୍ରାରେ ଆନୁଗତ୍ୟର ଅଭିନୟ କରି କହିଲା ‘‘ସାର୍‍ ! ପରୀକ୍ଷା ସରିଲେ ମୁଁ ଆପଣଙ୍କ ପାଖରେ ପହଞ୍ଚିବି।’’

 

ପରୀକ୍ଷା ପରେ ସରୋଜ କିଛିଦିନ ଗାଁ ଆଡ଼େ ବୁଲି ପଳାଇଲା । ବାପା, ମା’ଙ୍କୁ କହିଦେଇ ଆସିଲା, ପାସ୍‌ କଲେ ପି.ଜି, କରିବ । ଖର୍ଚ୍ଚବାର୍ଚ୍ଚ ଲାଗି ଚିନ୍ତା ନକରିବାକୁ ମଧ୍ୟ କହିଦେଲା । ସେ ନିଜେ କିଛି ଗୋଟେ ଚାକିରି ଯୋଗାଡ଼ କରି ପାଠପଢ଼ା ଖର୍ଚ୍ଚ ଉଠାଇନେବ ।

 

ଗାଁରୁ ଫେରି ନିରଞ୍ଜନ ବାବୁଙ୍କୁ ଦେଖାକଲା ସରୋଜ । ତାଙ୍କୁ ଦେଖି ନିରଞ୍ଜନ ବାବୁ ବି ଖୁସ୍‌ । ଥୋପରେ ମାଛ ପଡ଼ିଲା ଏଥର । ପଚାରିଲେ ‘‘କ’ଣ ? ଚାଲିଆସିଲ ! କାମ କରିବ ମୋ ସହ ?’’

 

ହଡ଼ବଡ଼େଇ ଗଲା ସରୋଜ । କେତେ ଭଦ୍ର ଭାବରେ ପଚାରୁଛନ୍ତି ନିରଞ୍ଜନ ବାବୁ ! ପୁଣି ତାଙ୍କ ଅଧୀନରେ କାମ କରିବା କଥା ନପଚାରି ତାଙ୍କ ସହ କାମ କରିବା କଥା ପଚାରୁଛନ୍ତି । ସତେ ଅବା ତାଙ୍କ ଅଧସ୍ତନ ନହୋଇ ସହକର୍ମୀ ହୋଇଯିବ ସେ ।

 

ସରୋଜ ପାଇଗଲା ‘ଖବର’ରେ ନିଯୁକ୍ତି । ସଂପାଦକଙ୍କ ସହକାରୀ ଭାବେ କାର୍ଯ୍ୟ କରିବ । ସମ୍ପାଦକ ଡାକିଦେବେ ସମ୍ପାଦକୀୟ, ଟିପିବ ସେ । ସଂପାଦକଙ୍କ ବିଭିନ୍ନ ସଭାସମିତି କାମ ଓ ଅନ୍ୟକାମ ବୁଝାବୁଝି କରିବ । କାମର ଚାର୍ଟ ଦେଖି ସରୋଜ ଭାବିଲା, ସିଏତ ସାମ୍ବାଦିକ ହେବ ବୋଲି ଭାବିଥିଲା । କିନ୍ତୁ ଏ କାମ ତ ସାମ୍ବାଦିକଙ୍କର ନୁହେଁ । ପି.ଏ. ଭଳି କାମ କରିବାକୁ ପଡ଼ିବ । ତେବେ ନିରଞ୍ଜନ ବାବୁଙ୍କୁ ଭରସିକରି କିଛି ପଚାରି ପାରିଲାନି । ଅବଶ୍ୟ କେତେଟଙ୍କା ଦରମା ମିଳିବ ବୋଲି ଜାଣିବାକୁ ଚାହିଁଲା । ନିରଞ୍ଜନ ବାବୁ ଆଶ୍ୱାସନା ଦେଲେ–ସେକଥା ଚିନ୍ତାକରିବା ଦରକାର ନାହିଁ । ବିଶ୍ଵ ବିଦ୍ୟାଳୟର ପାଠ ଖର୍ଚ୍ଚ ଓ ଭୁବନେଶ୍ଵରରେ ରହିବା ଖର୍ଚ୍ଚ ଉଠି କିଛିଟଙ୍କା ବଳିବ ମଧ୍ୟ ମାସ ଶେଷକୁ ।

 

ସରୋଜ ଏଥର ଖୁସ୍‌ । ଯାହାହେଉ, ଏଣିକି ଘରୁ ଆଉ ଟଙ୍କା ଆଣିବାକୁ ପଡ଼ିବନି । ପରଦିନ ଥିଲା ଶୁକ୍ରବାର । ସେଦିନ ନଆସି ସୋମବାରଠାରୁ କାମ ଆରମ୍ଭ କରିବ ବୋଲି ନିରଞ୍ଜନ ବାବୁଙ୍କୁ କହିଦେଇ ତାଙ୍କଠାରୁ ଅନୁମତି ଆଣି ହଷ୍ଟେଲକୁ ଫେରିଲା । ପରୀକ୍ଷା ଫଳ ବାହାରିବାକୁ ପୁଣି କିଛିଦିନ ବାକିଥାଏ । ଫଳ ବାହାରିଲେ ପି.ଜି. ପାଇଁ ଫର୍ମ କିଣିବ ।

 

ବାପାଙ୍କ ପାଖକୁ ଚିଠିଲେଖିଲା ସେ । ‘ଖବର’ରେ ଚାକିରିଟିଏ ହୋଇଯାଇଛି ଓ ଏଣିକି ତା’ ପଢ଼ାଖର୍ଚ୍ଚ ଆଉ ବାପାଙ୍କୁ ବହନ କରିବାକୁ ପଡ଼ିବନାହିଁ ବୋଲି ଜଣାଇଦେଲା । ଆଉ ମଧ୍ୟ ଜଣାଇଦେଲା ଯେ, ଏଣିକି ଘରକୁ ନିୟମିତ ଯିବା ମଧ୍ୟ କମିଯାଇ ପାରେ । ଯାହା ହେଲେ ବି ନୂଆ ଚାକିରି । କଲେଜରେ ପଢ଼ୁଥିଲାବୋଲି ସିନା ସମୟ ମିଳୁଥିଲା ଗାଁକୁ ଯିବାକୁ ।

 

ଡାକରେ ଚିଠିଟା ପଠାଇଦେଲା ଓ ଭାବିଲା ବାପା, ବୋଉ ନିଶ୍ଚୟ ଖୁସିହେବେ । ଆଜିକାଲି ଘରୋଇ ଚାକିରି ବି ସହଜରେ ମିଳୁନି । ଆଉ ତାକୁ ଯଦି ବିନା ପରିଶ୍ରମରେ ଚାକିରିଟିଏ ମିଳିଗଲା, ସେଇଟା ଭାଗ୍ୟର କଥା ନୁହେଁ କି !

 

ସୋମବାର ଦିନ କାମରେ ଯୋଗଦେଲା । ସେଦିନର ସମ୍ପାଦକୀୟ ଡାକିଦେଲେ ନିରଞ୍ଜନ ବାବୁ । ସ୍ଥାନ ସଂରକ୍ଷଣ ଦାବିରେ ସାରା ଦେଶରେ ଚାଲିଥିବା ଆନ୍ଦୋଳନ ଓଡ଼ିଶାରେ ହଠାତ୍‍ ହିଂସ୍ର ହୋଇପଡ଼ିଛି । ତା’ରି ଉପରେ ପର୍ଯ୍ୟବସିତ ଥିଲା ସେଦିନର ସଂପାଦକୀୟ । ସରୋଜ ଟିପିଲା ଓ ପୁଣିଯାଇ ଡିଟିପି ଅପରେଟରଙ୍କ ପାଖରେ ଡାକିଦେଲା ।

 

ସେ କାମ ସରିବା ପରେ ନିରଞ୍ଜନ ବାବୁ ତାକୁ ତା’ର ଅନ୍ୟ କାମସବୁ ବୁଝାଇଦେଲେ । ତାଙ୍କର ସଭାସମିତି କାମର କାଗଜପତ୍ର ପ୍ରସ୍ତୁତ କରିବ । ବିଭିନ୍ନ ଅଞ୍ଚଳକୁ ତାଙ୍କର ଗସ୍ତକ୍ରମର କାର୍ଯ୍ୟସୂଚୀ ପ୍ରସ୍ତୁତ କରିବ । ତାଙ୍କୁ ଭେଟୁଥିବା ଲୋକମାନଙ୍କ ସହ ତାଙ୍କର ଯାହାସବୁ ଆଲୋଚନା ହେବ, ଗୋପନୀୟ ନହୋଇଥିଲେ ଆଲୋଚନା ବେଳେ ଉପସ୍ଥିତ ରହି ସେସବୁକୁ ଟିପିବ । ନିରଞ୍ଜନ ବାବୁ ଗୋଟିଏ କଥା ସ୍ପଷ୍ଟ କରିଦେଲେ । ତାଙ୍କର ଅତି ନିକଟତମ ଖାସ୍‌ ଲୋକ ଭାବେ କାମ କରିବାକୁ ପଡ଼ିବ ସରୋଜକୁ । ତେଣୁ ସେ ବିଶ୍ଵସ୍ତ ହୋଇ ରହିବା ଆବଶ୍ୟକ । କମ୍ପ୍ୟୁଟର ମଧ୍ୟ ଶିଖିବା ଦରକାର । ଏସବୁ କରିବାକୁ ସରୋଜ ପ୍ରତିଶ୍ରୁତି ଦେଲା ।

 

ଦୁଇ ସପ୍ତାହ ଖଣ୍ଡେ କାମ କଲାପରେ ସରୋଜ ଅନୁଭବ କଲା ଏ ଚାକିରି କିଛି ସହଜ କାମ ନୁହେଁ । ବିଶେଷ କରି ସମ୍ପାଦକ ଯେତେ ରାତି ପର୍ଯ୍ୟନ୍ତ ଅଫିସରେ ରହୁଛନ୍ତି ତାକୁ ମଧ୍ୟ ରହିବାକୁ ପଡ଼ୁଛି । ଅବଶ୍ୟ ନିରଞ୍ଜନ ବାବୁ ଗସ୍ତରେ ଗଲେ, ତା’ପାଇଁ ବିଶେଷ କାମ ନାହିଁ । କିନ୍ତୁ ସେ ଅଫିସରେ ରହୁଥିବା ଦିନତକ ଟାଇଟ୍‌ କାମ । ବେଳେବେଳେ ନିଶ୍ଵାସ ମାରିବାକୁ ଫୁରୁସତ ନାହିଁ । ଏମିତିରେ ୟୁନିଭରସିଟିରେ ନାଁ ଲେଖିଲେ, ପଢ଼ିବାକୁ ସମୟ କେମିତି ପାଇବ ? ତା’ଛଡ଼ା ଏଠି ତା’ର ଯେଉଁସବୁ କାମ ସେଥିରେ ତ ସାମ୍ବାଦିକତାର ଚିହ୍ନବର୍ଣ୍ଣ ନାହିଁ । ବରଂ ପିଏ ଭଳି କାମ କରିବାକୁ ପଡ଼ୁଛି । ଦେଖାଯାଉ ଦରମା କଥା ଫାଇନାଲ ହେଲାପରେ ଯାହାକିଛି ଚୂଡ଼ାନ୍ତ କରିବ ।

 

ଦୁଇ ଚାରିଦିନ ପରେ ପରୀକ୍ଷା ଫଳ ପ୍ରକାଶ ପାଇଲା । ମାଟ୍ରିକ ଓ +୨ ପରେ ଏଥର +୩ ମଧ୍ୟ ପ୍ରଥମଶ୍ରେଣୀରେ ପାସ୍‌ କରିଛି ସରୋଜ । ଓଡ଼ିଆ ଭାଷା ସାହିତ୍ୟରେ ପି.ଜି କରିବାକୁ ଇଚ୍ଛା । ୟୁନିଭର୍ସିଟିରୁ ଫର୍ମ କିଣିବାକୁ ପଡ଼ିବ । ରେଜଲ୍ଟ ବାହାରିବା ପରଦିନ ଅଫିସରେ ପହଞ୍ଚୁ ପହଞ୍ଚୁ ନିରଞ୍ଜନ ବାବୁ ନିଜ ଆଡ଼ୁ ପଚାରିଦେଲେ ପରୀକ୍ଷା ବିଷୟ ଓ ତା’ ରେଜଲ୍ଟ ଶୁଣି ଅଭିନନ୍ଦନ ଜଣାଇଲେ । ୟୁନିଭର୍ସିଟିରୁ ଫର୍ମ କିଣିବ ବୋଲି ସରୋଜ କହିଲାରୁ, ନିରଞ୍ଜନ ବାବୁ କହିଲେ ସେକଥା ତ ତା’ଠୁ ସେ ପ୍ରଥମରୁ ଶୁଣିଆସୁଛନ୍ତି । ଭଲକଥା, ନାଁ ଲେଖାଇବ ଓ ପରୀକ୍ଷା ବେଳେ ହଲରେ ବସି ପରୀକ୍ଷା ଦେବ । କ୍ଲାସ କରିବା ଦରକାର ନାହିଁ । ଆଟେଣ୍ଡାନ୍ସ କଥା ସିଏ ବୁଝିଦେବେ ବୋଲି କହିଲେ ଓ ଫର୍ମ କିଣିବା ତଥା ଅନ୍ୟାନ୍ୟ ଖର୍ଚ୍ଚ ଲାଗି ଦୁଇଶହ ଟଙ୍କା ଧରାଇଦେଲେ । ସରୋଜ ଭାବିଲା ନିରଞ୍ଜନ ବାବୁ ନିଶ୍ଚିତରୂପେ ଜଣେ ଦେବତା ସମାନ ମଣିଷ । ନହେଲେ ଏତେ ସାହାଯ୍ୟ କରିବ କିଏ ?

 

ମାସଟିଏ ସରିଗଲା । କିନ୍ତୁ ଦରମା ମିଳିଲାନାହିଁ । ଚାରିପାଞ୍ଚଦିନ ଅପେକ୍ଷା କଲାପରେ ଆକାଉଣ୍ଟସ ବିଭାଗରେ ସରୋଜ ପଚାରିଲା । ଆକାଉଣ୍ଟାଣ୍ଟ କହିଲେ ‘‘ଆପଣଙ୍କୁ ଦରମା ଦେବା ବିଷୟତ ସାର୍‌ କହିନାହାଁନ୍ତି । ତା’ଛଡ଼ା ଏଠି ପାଞ୍ଚମାସ ଟ୍ରେନିଂ ଦିଆଯାଏ । ସେ ସମୟରେ କେହିବି ଦରମା ପାଆନ୍ତି ନାହିଁ । ଆପଣ କ’ଣ ସେକଥା ଜାଣିନାହାଁନ୍ତି ?’’

 

ଆଶ୍ଚର୍ଯ୍ୟ ହେଲା ସରୋଜ । ତାକୁ ତ ନିରଞ୍ଜନ ବାବୁ ସେ ବିଷୟରେ କିଛି କହିନାହାଁନ୍ତି-। ଯଦି ଦରମା ମିଳିବ ନାହିଁ ସେ ଚଳିବ କେମିତି ? ଘରୁଆଉ ଟଙ୍କା ଆଣିବ ନାହିଁ ବୋଲି ତ ବାପାଙ୍କୁ ପୂର୍ବରୁ ଜଣାଇ ସାରିଥିଲା । ଏବେ ପୁଣିଟଙ୍କା ମାଗିବ ! ଦ୍ୱନ୍ଦ୍ୱରେ ପଡ଼ିଗଲା ସେ-। ଭାବିଲା ନିରଞ୍ଜନ ବାବୁଙ୍କୁ ପଚାରିଦେବ ।

 

ନିଜ ସିଟରେ ଯାଇ ବସିଲାବେଳକୁ ତା’ କାନରେ ପଡ଼ିଲା ନିରଞ୍ଜନ ବାବୁ ନିଜ ଚ୍ୟାମ୍ବରରେ କାହା ଉପରେ ବିରକ୍ତ ହେଉଛନ୍ତି । କାନପାତିଲା ସେ । କେହି ଜଣେ କର୍ମଚାରୀଙ୍କ ଉପରେ ଗାଳିବର୍ଷଣ କରୁଛନ୍ତି ସଂପାଦକ–‘‘ତମେ ଅପାରଗ, ତମେ ଦାୟିତ୍ୱ ହୀନ ଖାଲିଦରମା ଟଙ୍କାକୁ ଟାକିବସିଛ, କାମର ନାଁ ଗନ୍ଧ ନାହିଁ, ଆଦି ଗୁଡ଼ାଏ କଥା ବକିଯାଉଛନ୍ତି ସେ ।’’

 

ସରୋଜ ଛେପଢୋକି ପାଣିଗ୍ଲାସେ ପିଇନେଲା । ଏଠି ଚାକିରି କଲାଦିନରୁ ମାସକ ଭିତରେ ନିରଞ୍ଜନ ବାବୁଙ୍କ କ୍ରୋଧୀରୂପ ଦେଖି ନ ଥିଲା । ତା’ର ପୁଣି ମନେପଡ଼ିଗଲା ଦରମା କଥା-। ଆଜି ବୁଢ଼ାର ମୁଡ୍‌ ଭଲନାହିଁ । ଆଜି ନ ପଚାରି ସୁଯୋଗକୁ ଅପେକ୍ଷା କରିବ ।

 

କିଛିଦିନ ପରେ ନିରଞ୍ଜନ ବାବୁ ଖୁସି ମିଜାସରେ ଥିବା ଲକ୍ଷ୍ୟକରି ସରୋଜ ଦରମା କଥା ଉଠାଇଲା । ନିରଞ୍ଜନ ବାବୁ କହିଲେ ‘‘କାମ ଆଗ ଶିଖିଯାଅ । ଅଫିସ୍‌ର ତ ପୁଣି ଗୋଟେ ନିୟମ ଅଛି । ଟ୍ରେନିଂ ପିରିୟଡ଼ ସରିଗଲେ ଦରମା ପାଇବନି କି ? ସେତେବେଳେ କ’ଣ ତମ ଦରମା ଟଙ୍କାରେ କିଏ ହାତ ମାରିବ !’’

 

ସରୋଜ ଆଉ କିଛି ପଚାରିଲାନି । କିନ୍ତୁ ନିରଞ୍ଜନ ବାବୁଙ୍କ‌ ଉପରେ ମନେ ମନେ ରାଗିଗଲା । ଲୋକଟାକୁ ଯେତେଭଲ ଲୋକ ଭାବୁଥିଲା, ପ୍ରକୃତରେ ସେୟା ନୁହେଁ । ଖୋଳପାଠୁ ଅସଲ ଚେହେରାଟା ଭିନ୍ନ । ଭାବିଲା, ଏଭଳି ଲୋକ ପାଖରେ କାମ କରିବା ଉଚିତ ନୁହେଁ । ପୁଣି ମନକୁ ବୁଝାଇଲା । ଏବେ ତ ଘରେ ବସିଛି । ୟୁନିଭର୍ସିଟିରେ ସିଟ୍‌ଟିଏ ମିଳିଯାଉ । ସେତେବେଳକୁ ପରିସ୍ଥିତି ଦେଖି ଯାହା ଗୋଟେ ନିଷ୍ପତ୍ତି ନେବ ।

 

ୟୁନିଭର୍ସିଟିରେ ନାଁ ଲେଖାଇବା ପାଇଁ ଇଣ୍ଟିମେସନ ଲେଟର ପହଞ୍ଚିଗଲା । ୟା ଭିତରେ ସରୋଜ ଚାକିରି କରିବାର ଦେଢ଼ମାସ ହୋଇଗଲାଣି । ନାଁ ଲେଖାଇବା ପାଇଁ କିଛି ଟଙ୍କା ଦରକାର-। ନିରଞ୍ଜନ ବାବୁଙ୍କୁ ମାଗିବ ନା ବାପାଙ୍କୁ ଚିଠି ଲେଖିବ, ଏମିତି ଦ୍ୱନ୍ଦ୍ୱରେ ରହି ଶେଷରେ ବାପାଙ୍କ ପାଖକୁ ଚିଠି ଲେଖିଲା । କିଛିଦିନ ଭିତରେ ନାଁ ଲେଖାବି ହୋଇଗଲା ।

 

ନୂଆ କ୍ଲାସ୍‌ ଆରମ୍ଭ ହେବାବେଳେ ନିରଞ୍ଜନ ବାବୁଙ୍କୁ ସପ୍ତାହେ ଛୁଟି ମାଗିଲା ସରୋଜ । ସେ କିନ୍ତୁ ମନାକରିଦେଲେ । ଏତେଦିନ ଛୁଟିନେଲେ କେମିତି ହେବ ? ସରୋଜ କୈଫିୟତ ଦେଲା, ନାଁ ଲେଖାଇବା ପରେ ଅନ୍ତତଃ ପ୍ରଥମ ସପ୍ତାହଟା କ୍ଲାସ କରିବ । ତା’ପରେ ଏଚ.ଓ.ଡିଙ୍କୁ କହିବ କିମ୍ବା ନିରଞ୍ଜନ ବାବୁ କହିଦେବେ । ଛୁଟିମିଳିଲା ଓ ସରୋଜ କିଛିଦିନ ଫୁରୁସତ ପାଇବା ଭଳି ଅନୁଭବ କଲା । ଭାବିଲା ଖବର କାଗଜ ଚାକିରିରେ ଏତେ କାମ ! ଶଃ ! ସାମ୍ବାଦିକମାନେ ବୋଧହୁଏ ଏତେକାମ କରୁନଥିବେ । ସଂପାଦକଙ୍କ ସହକାରୀ ହେବା ଉଚିତ ନୁହେଁ । ଏଣେ କ୍ଲାସ ଚାଲିଛି । କ୍ଲାସକୁ ଯାଇପାରୁନି ସରୋଜ, କି ଅଫିସ୍‌ରୁ ଫେରିବା ପରେ ରାତିରେ ପଢ଼ିବାକୁ ମଧ୍ୟ ମନ ହେଉନି । ପାଠଶାଠ ସବୁ ଚୁଲିକୁ ଗଲାଣି । ତେବେ ଚାକିରିରେ ହେଲେ କିଛି ସ୍ଥାୟିତ୍ୱ ଥାନ୍ତା !

 

ଏମିତି ଏମିତିରେ ଚାକିରି ଚାରିମାସ ହୋଇଗଲା । ପଞ୍ଚମ ମାସ ସରିବାକୁ ଚାତକ ପରି ଚାହିଁଥିଲା ସରୋଜ । ଏଭିତରେ କିଛିଟଙ୍କା ଧାର କରି ସାରିଥିଲା ସେ । ଦରମା ମିଳିବା ଆରମ୍ଭ ହେଲେ ପ୍ରତିମାସରେ କିଛି କିଛି କରି ଶୁଝିଦେବାକୁ ଭାବିଥିଲା । କାମରେ ବେଶ୍‌ ଜମିସାରିଲାଣି । ଡିଟିପିରେ ଦକ୍ଷତା ଆସିଗଲାଣି । ଏବେ ନିରଞ୍ଜନ ବାବୁଙ୍କଠାରୁ ସଂପାଦକୀୟ ଟିପିନେଇ ନିଜେ ଡିଟିପି ବାଡ଼େଇ ଦେଉଛି । ତାଙ୍କର ବିଶ୍ୱସ୍ତ ମଧ୍ୟ ହୋଇଗଲାଣି । କିନ୍ତୁ ନିଜେ ତାଙ୍କୁ ବିଶ୍ୱାସ କରିପାରୁନି । ବାହାରକୁ ବେଶ୍‌ ଅମାୟିକ, ଭଦ୍ର ଓ ସରଳ ମନେହେଉଥିବା ନିରଞ୍ଜନ ବାବୁଙ୍କ ଚରିତ୍ର ସରୋଜକୁ ସନ୍ଦେହଜନକ ମନେହୁଏ । ବେଳେବେଳେ ନିଜ ଚ୍ୟାମ୍ବରରେ ନିରଞ୍ଜନ ବାବୁ କିଛି ଲୋକଙ୍କ ସହ କଥାହୁଅନ୍ତି (ଓ ତା’ପୁଣି ଟୁପ୍‍ଟାପ୍‍) ଯେ, ସରୋଜ ଆଶ୍ଚର୍ଯ୍ୟ ହୋଇଥାଏ-। ଏ ଲୋକଗୁଡ଼ା ତ ଆଦୌ ଭଦ୍ର ଲାଗୁନାହାଁନ୍ତି । ଦୁର୍ଜନ ସଙ୍ଗ ସମ୍ପାଦକଙ୍କୁ କେମିତି ଭଲ ଲାଗୁଛି, ବୁଝି ପାରୁନଥିଲା ସରୋଜ ।

 

ପାଞ୍ଚମାସ ପୂରଣ ହୋଇଗଲା ପରେ ନିଜେ ନିରଞ୍ଜନ ବାବୁ ସରୋଜକୁ ସେକଥା ସ୍ମରଣ କରାଇଦେଲେ ଓ ଆସନ୍ତା ମାସ ଶେଷ ତାରିଖରେ ପ୍ରଥମ ଦରମା ପାଇବ ବୋଲି କହିଦେଲେ । ସରୋଜ ପୁଣି ଭାବିଲା, ଦରମା ପରିମାଣ ବୁଝିବ । ତେବେ ଚୁପ୍‍ ରହିଗଲା । ପାଞ୍ଚମାସ ତ ଅପେକ୍ଷାରେ ଗଲା । ଆଉ ମାସଟିଏ ସରିଗଲେ ବଳେ ଜଣାଯିବ । ଅଯଥା କାହିଁକି ପଚାରିବ ? ସଂପାଦକ ଅନ୍ୟକିଛି ଭାବିଲେ ଅସୁବିଧା ହେବ ।

 

ଶେଷରେ ପ୍ରଥମ ଦରମା ପାଇବା ଦିନ ପହଞ୍ଚିଗଲା । ସେଦିନ ସରୋଜର ଗୋଡ଼ତଳେ ଲାଗୁନଥାଏ । ଚାକିରିରେ ଯୋଗଦେବାଦିନ ଯେତିକି ଖୁସି ଲାଗୁଥିଲା, ଏତେ ମାସପରେ ନିଜ ଜୀବନର ପ୍ରଥମ ରୋଜଗାର ଟଙ୍କା ଦେଖିବାର ବ୍ୟାକୁଳତାଜନିତ ଆନନ୍ଦରେ ସେତିକି ଅଧୀର ହୋଇପଡ଼ୁଥିଲା ।

 

ଯୋଗକୁ ସେଦିନ ନିରଞ୍ଜନ ବାବୁ ଅଫିସରେ ଥିଲେ । ସବୁଦିନ ଭଳି ସରୋଜ ସେଦିନର ରୁଟିନ କାମସବୁ କରିଚାଲିଲା । ତେବେ ନିରଞ୍ଜନ ବାବୁ ବିବ୍ରତ ଥିବା ଭଳି ତା’ର ମନେହେଲା । ତାକୁ ବାରମ୍ବାର ଚ୍ୟାମ୍ବରକୁ ଡକାଉଥାନ୍ତି, ଅଥଚ କିଛି ନକହି ପୁଣି ତା’ ଆସନକୁ ଫେରାଇ ଦେଉଥାନ୍ତି । ଚାରିଟାବେଳକୁ ଆକାଉଣ୍ଟସ ସେକ୍‌ସନ୍‌ର ପିଓନ ଆସି ଦରମା ନେଇଯିବାକୁ ଖବର ଦେଲା । ଏଇ ମୁହୂର୍ତ୍ତଟିକୁ ସତେ ଅବା କୋଉ ଯୁଗରୁ ଅପେକ୍ଷା କରିଥିଲା ସେ-। ନିଜ ଆସନରୁ ଉଠି ଆକାଉଣ୍ଟସ ସେକ୍ସନକୁ ଯିବା ବେଳକୁ ସାମନାପଟୁ ସେହି ଅସାମାଜିକ ଲୋକଗୁଡ଼ାକ ଆସୁଥିବାର ଦେଖିଲା । ସେମାନେ ସିଧାସଳଖ ସଂପାଦକଙ୍କ ଚ୍ୟାମ୍ବରକୁ ପଶିଗଲେ-। ସେମାନଙ୍କ ଲାଗି କୌଣସି ଅନୁମତିର ଆବଶ୍ୟକତା ନଥାଏ କେବେବି । ତେଣୁ ବାହାରେ ଅପେକ୍ଷା କରିବାକୁ ପଡ଼େ ନାହିଁ ।

 

ଦରମା ଟଙ୍କା ଆଣିବାକୁ ଯିବାବେଳେ ସରୋଜ ଭାବୁଥିଲା ଟଙ୍କା ଦେଢ଼/ଦୁଇହଜାର ଯଦି ମିଳିଯିବ, ତା’ପାଇଁ ଯଥେଷ୍ଟ ହେବ । କିନ୍ତୁ ରେଭିନ୍ୟୁ ଷ୍ଟାମ୍ପ ମାରି ଦସ୍ତଖତ କଲାବେଳେ ଦେଖିଲା ଅଢ଼େଇ ହଜାର ଟଙ୍କା ତା’ର ଦରମା । କୃତ୍ୟକୃତ୍ୟ ହୋଇଗଲା ସେ ।

 

ଏତେ ଦିନ ଯାଏ ସଂପାଦକଙ୍କୁ ସନ୍ଦେହ କରିଥିବାରୁ ଅନୁତପ୍ତ ହେଲା । ଦରମାଟଙ୍କା ଧରି ସଂପାଦକଙ୍କୁ ଧନ୍ୟବାଦ ଜଣାଇବ ବୋଲି ଭାବିନେଲା । ତେବେ ତାଙ୍କ ଚ୍ୟାମ୍ବରଭିତରକୁ ପଶିଗଲା ବେଳେ ତା’ କାନରେ ପଡ଼ିଲା ସେ ଅସାମାଜିକ ଲୋକଗୁଡ଼ାକ ସହ ନିରଞ୍ଜନ ବାବୁଙ୍କ ଆଲୋଚନା ।

 

କୌଣସି ଏକ ଦୋନମ୍ବରୀ ଧନ୍ଦାର ପର୍ଦ୍ଦାଫାସ ହୋଇଛି ଓ ସେହି ଅଫିସ୍‍ ଉପରେ ଚଢ଼ାଉ କରାଯାଇଥିବାରୁ ବିପୁଳ ପରିମାଣ କ୍ଷତି ନିରଞ୍ଜନ ବାବୁଙ୍କୁ ସହିବାକୁ ପଡ଼ିବ ବୋଲି ସେମାନେ କଥା ହେଉଥିଲେ । ତେବେ ଚଢ଼ାଉ ପରେ ଜବତ କରାଯାଇଥିବା କାଗଜପତ୍ରକୁ ହେରଫେର କରିବାଲାଗି ସଂପୃକ୍ତ ଅଫିସରଙ୍କୁ ମନାଇବା ଓ ସେ ରାଜିନହେଲେ ତାଙ୍କୁ ଶେଷ କରିଦେବାକୁ ନିରଞ୍ଜନ ବାବୁ କହୁଥିଲେ । ଏକଥା ଯେମିତି କେହିନଜାଣନ୍ତି, ସେଥିପ୍ରତି ତାଗିଦ ମଧ୍ୟ କରିଦେଲେ ।

 

ଚ୍ୟାମ୍ବରର କବାଟ ଠେଲୁ ଠେଲୁ ସରୋଜର କାନରେ ଏତକ କଥା ପଡ଼ିଗଲା । ତା’ ପାଦତଳୁ ମାଟି ଖସିଗଲା ଭଳି ଲାଗିଲା । ନିରଞ୍ଜନ ବାବୁ ତା’ହେଲେ କିଛି ଦୋନମ୍ବରୀ ଧନ୍ଦା ମଧ୍ୟ କରନ୍ତି । ଖବର କାଗଜଟା ଢାଲ ହୋଇଛି ତାଙ୍କ ପାଇଁ ! ଏମିତି ଭାବୁ ଭାବୁ ତା’ ହାତରୁ କଲମଟି ଖସିଗଲା ଓ ସେ ଶବ୍ଦ ଶୁଣି ଚ୍ୟାମ୍ବର ଭିତରପଟୁ ସେ ଅସାମାଜିକ ଲୋକଙ୍କ ମଧ୍ୟରୁ ଜଣେ ବାହାରକୁ ଚାହିଁ ଦେବାରୁ ସରୋଜ ଧରାପଡ଼ିଗଲା । ନିରଞ୍ଜନ ବାବୁ ପାଟିକଲେ ‘‘ଧର ତାକୁ । ଖସିଗଲେ ସବୁ ଅଡ଼ୁଆ ହୋଇଯିବ ବେ !’’

 

ସରୋଜ ହଠାତ୍‍ ଦୌଡ଼ିଲା । ଏତେ ଜୋରରେ ଦୌଡ଼ିଲା ଯେ ଅଫିସ୍‍ ବାହାରକୁ ଆସିବାବେଳକୁ କେତେଜଣଙ୍କ ସହ ଧକ୍କା ଖାଇଲା ଜାଣିପାରିଲାନି । ସମସ୍ତେ ଆବାକାବା ହୋଇ ଚାହିଁଥିବା ବେଳେ ସେ ଲୋକଗୁଡ଼ା ପଛରୁ ଗୋଡ଼ାଇଥାନ୍ତି । ସରୋଜ ଦୌଡ଼ୁଛି ।

Image

 

ଫଟୋ

 

ସ୍ଥିର କରିନେଲା ସରୋଜ, ଯେମିତି ହେଲେ ଅସଲ କଥା ଜାଣିବାକୁ ହେବ । ଯେମିତି ହେଲେ ବି ଦୋଷୀଙ୍କୁ ଧରିବାକୁ ହେବ । ଏ କାମ ଅବଶ୍ୟ ପୁଲିସ୍‍ର । କିନ୍ତୁ ପୁଲିସ ଏ ଦିଗରେ ବିଶେଷ କିଛି ମନଦେଇନି । ଯାହା କରାଯାଉଛି, ଉପରଠାଉରିଆ ଭାବେ । ତେଣୁ ସରୋଜର ମନେହେଲା, ନିଶ୍ଚିତରୂପେ ଏହା ପଛରେ କିଛି ଗୋଟେ କାରଣ ଅଛି । ପୁଲିସ ଉପରେ ନିଶ୍ଚୟ କେଉଁଠୁ ଚାପ ପଡ଼ୁଛି ।

 

ତେବେ ପୁଲିସ ଉପରେ ସିନା ଚାପ ପଡ଼ୁଛି, ସରୋଜକୁ ରୋକିବ କିଏ ? ଯେଉଁଠି ପୁଲିସ ବିଫଳ ହୁଏ, ସେଇଠି ସାମ୍ବାଦିକ ନିଜର କରିସ୍ମା ଦେଖାଏ । ଅନେକ ସମୟରେ ସାମ୍ବାଦିକଙ୍କ ସୂଚନାକୁ ଭିତ୍ତିକରି ପୁଲିସ ନିଜ ଅନୁସଦ୍ଧାନର ମୋଡ଼ ବଦଳାଏ । ତେଣୁ ସରୋଜ ଭାବିଲା, ସେ ନିଶ୍ଚୟ ସଫଳ ହେବ ତା’ ଉଦ୍ୟମରେ ।

 

ସେ ଘରଟାରୁ ଯେଉଁମାନେ ଧରାପଡ଼ିଥିଲେ, ସେମାନଙ୍କ ମଧ୍ୟରେ ସରୋଜର ଗାଁ ପାଖର ଝିଅଟିଏ ମଧ୍ୟଥିଲା । କୋର୍ଟରୁ ଜାମିନ ପାଇଛି । ଝିଅଟି ତା’ ଗାଁକୁ ପଳାଇଥିବ କି ଏ ସହରରେ ଅନ୍ୟ କେଉଁ ପାର୍ଲରରେ କାମ କରୁଥିବ କିଏ ଜାଣେ ? ତେବେ ସହର, ତମାମ ପାର୍ଲରଗୁଡ଼ାକୁ ଯାଇ ଝିଅଟିକୁ ତ ଖୋଜି ହେବନି । ତାକୁ ବି ସେ କୋଉ ଚିହ୍ନିଛି ଯେ, କେଉଁ ପାର୍ଲରରେ ଦେଖାହୋଇଗଲେ ଜାଣିପାରିବ । ଝିଅଟିର ନାଁ କହି ଖୋଜିବୁଲିଲେ ମାଡ଼ ମିଳିବା ହିଁ ସାରହେବ । ବରଂ ତା’ ଗାଁକୁ ଯାଇ ଅନୁସନ୍ଧାନ କରାଯାଉ । ଯଦି ଗାଁରେ ଥିବ ତ ଭଲ କଥା । ନଥିଲେ, ଆଉ କୋଉଁଠି ଅଛି ଖୋଜଖବର ନେଇହେବ ।

 

ସରୋଜ ଭାବିଲା, ଝିଅଟିର ଗାଁକୁ ଗଲେ ଏକାଥରକେ ଦୁଇଟି କାମ ହୋଇଯିବ । ଘଟଣାର ଅନୁସନ୍ଧାନ କରିପାରିବ, ପୁଣି ନିଜ ଗାଁକୁ ଯାଇ ବାପା, ବୋଉଙ୍କୁ ଟିକିଏ ଦେଖିଆସିବ । କାମ ଚାପାରେ ତିନି ମାସ ହେଲା ଗାଁକୁ ଯାଇନି।

 

ଏତିକି ବେଳେ ପିଅନ ଆସି ଜଣାଇଦେଲା ଯେ ନ୍ୟୁଜ୍‍ ଏଡିଟର ତାକୁ କାଶୀପୁର ପଠାଇବାକୁ ଚାହୁଁଛନ୍ତି । ସେଠି ଖାଦ୍ୟାଭାବରୁ ଲୋକେ ଆମ୍ବ କୋଇଲି ଖାଉଥିବା ପ୍ରସଙ୍ଗ ଏବେ ସାରା ଦେଶ ପାଇଁ ଚର୍ଚ୍ଚାର ବିଷୟ ହୋଇପଡ଼ିଛି । ଦେଶ ଓ ବିଦେଶର ସାମ୍ବାଦିକମାନେ କାଶୀପୁର ଆସି ରିପୋର୍ଟିଂ କରୁଛନ୍ତି । ସରୋଜର ନ୍ୟୁଜ୍‌ଏଡିଟର ମଧ୍ୟ ନିଜେ ଏକ ରିପୋର୍ଟ କରିଥିଲେ । ଏବେ ଆଉ କିଛି ରିପୋର୍ଟ ପ୍ରସ୍ତୁତ କରିବା ଲକ୍ଷ୍ୟରେ ସରୋଜ ସେଠାକୁ ଯାଉ ବୋଲି ସେ ଚାହୁଁଥିଲେ ।

 

କିନ୍ତୁ ସରୋଜର ଆଗ୍ରହ ନଥିଲା । କେବିକେ ଜିଲ୍ଲାଗୁଡ଼ିକରେ ଅଖାଦ୍ୟ ଖାଇବା ପ୍ରସଙ୍ଗ କିଛି ନୂଆ କଥା ନୁହେଁ । ଯୁଗ ଯୁଗରୁ ଏହା ଘଟି ଆସିଛି । ଦୁଇ ଦଶନ୍ଧି ହେଲା ଏହା ଗଣମାଧ୍ୟମଗୁଡ଼ିକ ପାଇଁ ରୋଚକ ବିଷୟବସ୍ତୁହୋଇ ପଡ଼ିଥିବାରୁ ଏତେ ବେଶି ଚର୍ଚ୍ଚାର ବିଷୟ ହେଉଛି । କେବିକେର ଦାରିଦ୍ର୍ୟ ବହୁ ଲୋକଙ୍କୁ ରାଜନୀତିରେ ପ୍ରତିଷ୍ଠିତ କରାଇଥିବାବେଳେ ବହୁ ସରକାରୀ ଅଫିସର, କଣ୍ଟ୍ରାକ୍ଟର, ଏନଜିଓ ଆଦିଙ୍କୁ ମାଲାମାଲ କରାଇଛି । କିନ୍ତୁ ଦାରିଦ୍ର୍ୟ ହଟିନି । ସରୋଜ ଜାଣିଛି, ଯେତେ ଅର୍ଥ ବ୍ୟୟ କଲେ ମଧ୍ୟ କେବିକେରୁ ଦାରିଦ୍ର୍ୟ ହଟିବନି । କାରଣ ଖର୍ଚ୍ଚ ହେବାକୁ ଆସୁଥିବା ଅର୍ଥର ସିଂହଭାଗ ଉପରମହଲରେ ପକେଟସ୍ଥ ହେଉଛି । ଦାରିଦ୍ର୍ୟ ହଟିଗଲେ ଆଉ ଅର୍ଥର ସୁଅ ଛୁଟିବନି । ତେଣୁ କେହି ବି ଆନ୍ତରିକତାର ସହ ସେକଥା ଚାହୁଁନାହାଁନ୍ତି । ଅତଏବ କାଶୀପୁର ଯାଇ ରିପୋର୍ଟିଂ କଲେ ସେଇ ପୁରୁଣା ଢାଞ୍ଚାର ତଥ୍ୟ ହିଁ ମିଳିବ । କିଛି ନୂଆ ତଥ୍ୟ ମିଳିବାର ସମ୍ଭାବନା ନାହିଁ ।

 

ଏକାମ କରିପାରିବ ନାହିଁ ବୋଲି ନ୍ୟୁଜ୍‍ ଏଡିଟରଙ୍କୁ ସରୋଜ କହିଦେଲା । ନ୍ୟୁଜ୍‍ଏଡିଟର ବୁଝାଇଲେ । କିନ୍ତୁ ସରୋଜ କହିଲା ଯେ ସେ ଅନ୍ୟ ଏକ କାମ ହାତକୁ ନେବାକୁ ଚାହୁଁଛି । ନ୍ୟୁଜ୍‍ଏଡିଟର ପଚାରିଲେ ‘‘ଆଉ କି କାମ ?’’ ସରୋଜ କହିବ କି କହିବନି ଦ୍ୱନ୍ଦ୍ୱରେ ପଡ଼ିଲା । ବୃତ୍ତିଗତ ସାଧୁତା ଦୃଷ୍ଟିରୁ ନ୍ୟୁଜ୍‍ ଏଡିଟରଙ୍କୁ କହିଦେବା ଉଚିତ । କିନ୍ତୁ କାହିଁକି କେଜାଣି ତା’ ମନ ମାନିଲାନି । ତେଣୁ କଥା ବାଁରେଇବାକୁ କହିଲା ‘‘ସାର୍‌ ବହୁଦିନ ହେଲା ଗାଁକୁ ଯାଇନି । ବୋଉ ଚିଠି ଲେଖିଥିଲା ଯିବାକୁ । ଏବେତ ବିଶେଷ କିଛି କାମ ନାହିଁ ଏଠି । ତେଣୁ ଗାଁ ଆଡ଼େ କିଛିଦିନ ଯିବାକୁ ଭାବିଛି ।’’

 

ନ୍ୟୁଜ୍‍ ଏଡିଟର କିଛିଟା ବିରକ୍ତି ପ୍ରକାଶ କଲେ । ‘‘କାମ କ’ଣ ନାହିଁ କିହୋ ! ସାମ୍ବାଦିକ ପାଇଁ କ’ଣ କାମ କିଛି ଆଗୁଆ ନିର୍ଦ୍ଧାରିତ ହୋଇଥାଏ । ଘଟଣାଟିଏ ଘଟିବା ଲାଗି କ’ଣ କାହାକୁ ଅପେକ୍ଷା କରେ ? ତମକୁ ତ କାଶୀପୁର ଯିବାକୁ କହୁଛି । ରାଜି ହେଉନ । ଠିକ୍‌ ଅଛି ଆଉ କାହାକୁ କାଶୀପୁର ପଠାଇଦେବା । ତମେ ଏଠି ରୁହ । କେତେବେଳେ କ’ଣ ଦରକାର ପଡ଼ିପାରେ ।’’

 

ସରୋଜର ମନଦୁଃଖ ହୋଇଗଲା । କିନ୍ତୁ ଶେଷ ଚେଷ୍ଟା କଲା–ଆଗକୁ ବିଧାନସଭା ଅଧିବେଶନ ଅଛି । ସେତେବେଳେ ତ ମାସେ କାଳ ଫୁରସତ ମିଳିବନି । ଏବେ ବରଂ ଆଉ କାହାକୁ ଦାୟିତ୍ୱ ଦେଉଥାନ୍ତୁ । ମୁଁ ତିନି/ଚାରିଦିନ ଭିତରେ ଗାଁରୁ ପଳାଇ ଆସିବି ।’’ ନ୍ୟୁଜ୍‍ଏଡିଟରଙ୍କ ଅନୁମତି ମିଳିଗଲା । ପରଦିନ ସରୋଜ ଗାଁରେ ।

 

ଦୀର୍ଘଦିନପରେ ତାକୁ ଦେଖି ବାପାବୋଉ ଖୁସି ହେଲେ । ସାହିଭାଇ ମଧ୍ୟ । ଦାମକକା କହିଲେ ‘‘କିରେ, ଏତେ ଦିନ ପରେ ଗାଁ ମନେ ପଡ଼ିଲା ! ହଃ ! ତତେ ସମୟ କୋଉଠୁ ମିଳୁଥିବ ଯେ ଆସିପାରନ୍ତୁ ! ଯାହାହେଉ, ତତେ ମଝିରେ ମଝିରେ ଟିଭିରେ ତ ଆମେ ଦେଖୁଛୁ ।’’

 

‘‘ଟିଭିରେ ? ପୁଣି ମତେ ? ମୁଁ ତ ଟିଭିରେ କିଛି କାମ କରୁନି ।’’ ଆଶ୍ଚର୍ଯ୍ୟ ହୋଇ କହିଲା ସରୋଜ ।

 

‘‘ଆରେ ସମାଚାରରେ ପ୍ରାୟ ସବୁଦିନ ତୁ ଦିଶୁଛୁ । କେତେ ସଭାସମିତିରେ ଆଗରେ ବସିଥାଉ ତୁ । ସେଦିନ ତ ମୁଖ୍ୟମନ୍ତ୍ରୀଙ୍କୁ କ’ଣ ଗୋଟେ, କହୁଥିଲୁ । ଯାହାହେଉ, ଆମ ସରୋଜଟାକୁ ମୁଖ୍ୟମନ୍ତ୍ରୀ ବି ଚିହ୍ନିଛନ୍ତି । ଇଏ କ’ଣ କମ୍‌ କଥା ?’’ ଦାମକକା କହିଲେ ।

 

ସରୋଜ ମନେ ମନେ ହସିଲା । କିଏ କାହାକୁ ଚିହ୍ନେ । ମୁଖ୍ୟମନ୍ତ୍ରୀ ତ ନିଜଦଳର ନେତାଙ୍କୁ ଚିହ୍ନନ୍ତି ନାହିଁ । ତାକୁ ବା କାହିଁକି ଚିହ୍ନିବେ ! ଯେତେ ସାମ୍ବାଦିକ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରନ୍ତି, ମୁଖ୍ୟମନ୍ତ୍ରୀ କ’ଣ ସେମାନଙ୍କୁ ଚିହ୍ନିଛନ୍ତି ! ତେବେ ଦାମକକାଙ୍କୁ ଆଉ କିଛି କହିଲାନି ସରୋଜ ! ପ୍ରକୃତ କଥା ଯାହା ହେଉନା କାହିଁକି, ଗାଁରେ ତ ତା’ର ଗୋଟେ ଇମେଜ କରାଇ ଦେଇଛନ୍ତି ଟିଭିବାଲା ।

 

କିଛି ସମୟ ବିଶ୍ରାମ ନେଲା ସେ । ବୋଉକୁ ଘରର ଭଲମନ୍ଦ ପଚାରିଲା । ନାନୀ ତା’ ଶାଶୁଘରୁ କିଛି ଖବର ଦେଇଥିଲା କି ନା ଜାଣିବାକୁ ଚାହିଁଲା । ବୋଉ ତା’ର ବାହାଘର ପ୍ରସଙ୍ଗ ଉଠାଇଲେ । ସେ କହିଲା ‘‘ଏବେ ନୁହେଁ । ଟିଭିରେ ସବୁଦିନ ମୁହଁ ଦିଶୁଛି ବୋଲି ମତେ କ’ଣ ବଡ଼ ସାମ୍ବାଦିକଟିଏ ବୋଲି ଭାବିଲୁ ? ଅଫିସରେ ଭାରି ଅସୁବିଧା । ଦରମା ଠିକରେ ମିଳୁନି । ଗୋଟିଏ ପେଟ ଚଳେଇ ପାରୁନି ଠିକରେ । ଆଉ ଗୋଟେ ଆଣି ହଇରାଣ ହେବି କିଲୋ ?’’

 

ବୋଉ କି ଛାଡ଼ନ୍ତି, ‘‘ବୟସଗୁଡ଼ା ତ ବଳେଇ ପଡ଼ୁଛି ! ଦରମା ନିଅଣ୍ଟ ହେଲା ବୋଲି କ’ଣ ସମୟ ଅପେକ୍ଷା କରୁଛି । ଯୋଉ କାମ ପାଇଁ ଯୋଉ ସମୟ ନା ! ଆଉ କ’ଣ ବୁଢ଼ା ହେଲା ପରେ ବାହା ହେବୁ ? ପୁଣି ତୋ ପଛକୁ ମନୋଜ ବାହାରି ପଡ଼ିଲାଣି । ତୋ କାମ ସରିଲେ ତା’ କଥା ବୁଝିବା ନା ନାହିଁ ।

 

ସରୋଜ କହିଲା ‘‘ଦେଖିବା ଯାହାହେବ । ଏ ବର୍ଷଟା ଅଟକି ଯା’, ଆର ବର୍ଷକୁ ଦେଖିବା ।’’

 

ସେ ଦିନଟା ଖାଲି ସାହିଭାଇଙ୍କ ସହ କଥାବାର୍ତ୍ତାରେ ପଳାଇଲା ସରୋଜର କିନ୍ତୁ ଅସଲ ନଜର ଥାଏ କାମ ଉପରେ । କେମିତି ସେ ଝିଅଟାର ଗାଁକୁ ଯାଇ ତା’ର ଖୋଜଖବର ନେବ । ଯଦି ଜାମିନରେ ଆସିବା ପରେ ସେ ଗାଁକୁ ଫେରିଆସିଥାଏ, ତେବେ ତାକୁ ଭେଟିବ । ଖବର କାଗଜରେ ତା’ ଫଟୋ, ଗାଁ ନାଆଁ ବାପା ନାଁ ବାହାରିଥିଲା । ତେଣୁ ଏଠି ସମସ୍ତେ ଜାଣିଥିବେ ସେକଥା । ତା’ ବାପାଭାଇ କ’ଣ ଝିଅଟି ସହ ଦେଖା କରାଇଦେବେ ।

 

ନିଜ ଗାଁର ଜଣେ ସାଙ୍ଗ ପାଖରେ ନିଜର ଆସିବା ଉଦ୍ଦେଶ୍ୟ କହିଦେଲା । କ’ଣ କେମିତି କରିହେବ, କେମିତି ସେ ଝିଅର ଦେଖା ମିଳିବ ପରାମର୍ଶ ଲୋଡ଼ିଲା । ସାଙ୍ଗଟି କହିଲା ‘‘ସେ ଗାଁରେ ଆମ ପିଉସୀଘର । ଦେଖିବା ମୁଁ ଚେଷ୍ଟା କରୁଛି । ଯଦି କିଛି କରିହେବ । କିନ୍ତୁ ତା’ ବାପା କ’ଣ ସହଜେ ରାଜି ହେବ ?’’

 

ସରୋଜ କହିଲା, ‘‘ସେଇଟା ତ ପଛକଥା । ଆଗ ବୁଝ, ସେ ଝିଅ ଗାଁରେ ଅଛି ନା ନାହିଁ-।’’

 

ସାଙ୍ଗଟି ବୁଝିବାର ପ୍ରତିଶ୍ରୁତି ଦେଲା । ସନ୍ଧ୍ୟାବେଳକୁ ସତକୁ ସତ ବୁଝିଆସି ସରୋଜକୁ ଖବର ଦେଲା । ଝିଅଟି ଗାଁରେ ଅଛି । ତା’ ବାପା ପୂରାପୂରି ଚିନ୍ତିତ ହୋଇପଡ଼ିଛନ୍ତି, ଖବର କାଗଜରେ ତା’ର ନାଁ, ଗାଁ, ଫଟୋସବୁ ବାହାରିଥିଲା । ତେଣୁ ବନ୍ଧୁବାନ୍ଧବରେ ଛି’ ଛାକର । ଗାଁରେ ଲୋକେ ଟାହିଟାପରା କରୁଛନ୍ତି । ସେଭଳି ପରିସ୍ଥିତିରେ ସାମ୍ବାଦିକଟିଏ ସହ ଝିଅର ଭେଟ କରାଇଦେବାକୁ ଆଦୌ ରାଜି ହେଉନଥିଲେ । କିନ୍ତୁ ବହୁତ ବୁଝାଇବା ପରେ, ଝିଅ ସହ ଦେଖା କରାଇଦେଲେ ପ୍ରକୃତ ଦୋଷୀ ଧରାପଡ଼ିବ ବୋଲି କହିବା ପରେ ବାପା ରାଜିହେଲେ । ଏବେ କେବଳ ଝିଅଟି ସତକଥା କହିବ କି ନା ସନ୍ଦେହ । ତା’ଠାରୁ ସବୁତଥ୍ୟ କେମିତି ଆଦାୟ କରାଯିବ, ସେ କାମ ସରୋଜର ।

 

ପରଦିନ ସାଙ୍ଗଟି ସହିତ ସରୋଜ ସେ ଝିଅର ଘରକୁ ଗଲା । ବୟସ ବାଇଶ/ପଚିଶ ଭିତରେ ହେବ । ସୁନ୍ଦରୀ ମଧ୍ୟ ନୁହେଁ । ତଥାପି ଭୁବନେଶ୍ୱରରେ ତା’ର ଦର ଥିଲା ? ସରୋଜ ଝିଅଟି ସହ କଥା ହେବାକୁ ଚେଷ୍ଟାକଲା । ପ୍ରଥମେ ପ୍ରଥମେ ଝିଅଟି କିଛି କହିବାକୁ ଚାହୁଁନଥିଲା । ଭୁଲବଶତଃ ତା’ ଜୀବନରେ ଏଭଳି ଘଟିଗଲା । ଏବେ କିନ୍ତୁ ସେ ନୂଆ ଜୀବନ ଗଢ଼ିବାକୁ ଚାହୁଁଛି । ଅତୀତକୁ ଭୁଲି ଯିବାକୁ ଚାହୁଁଛି । ଏମିତି କେତେ ଆଳ ଦେଖାଇଚାଲିଲା ସେ ।

 

ସରୋଜ କେବଳ ଗୋଟିଏ କଥା ଜାଣିବାକୁ ଚାହୁଁଥିଲା–ଝିଅ ପାଖକୁ କେଉଁ ଧରଣର ଗ୍ରାହକ ଆସୁଥିଲେ ? ବଡ଼ କଷ୍ଟରେ ଝିଅଟି କିଛି କିଛି ମୁହଁଖୋଲିବାକୁ ରାଜିହେଲା । କିଏ ଆସୁନଥିଲା କହନ୍ତୁ । ଆମେ ଥିଲୁ ଆଠ ଜଣ । ଆମ ଭିତରୁ ତିନିଜଣ କେବଳ ଥିଲେ ମନ୍ତ୍ରୀ, ବଡ଼ ବଡ଼ ପୁଲିସ ଅଫିସର; ଆଇ.ଏ.ଏସ୍‌ ଏବଂ ସାମ୍ବାଦିକମାନଙ୍କ ପାଇଁ । ସେ ଗ୍ରାହକମାନଙ୍କୁ ଅବଶ୍ୟ ଆମେ ସମସ୍ତେ ଦେଖୁ । କିନ୍ତୁ ସେମାନଙ୍ଗୁ ଚିହ୍ନିନାହୁଁ । ଏବେ ଗାଁକୁ ଆସିବା ପରେ ଟିଭିରେ ମନ୍ତ୍ରୀମାନଙ୍କୁ ଦେଖି କେତେଜଣଙ୍କୁ ଚିହ୍ନିଲିଣି ।’’

 

ସରୋଜ ପଚାରିଲା ‘‘ମନ୍ତ୍ରୀମାନଙ୍କ ନାଁ କହିପାରିବ ?’’

 

‘‘ପାରିବି ଯେ, ଲାଭ କ’ଣ ? ପ୍ରମାଣ କ’ଣ ? ମତେ ଚାକିରିର ଲୋଭ ଦେଖାଇ ମୋ ମାଲିକ ଏ ଧନ୍ଦାରେ ଲଗାଇଲା । ବଡ଼ବଡ଼ିଆଙ୍କୁ ହାତ କଲା । ସେଥିପାଇଁ ତ ପୁଲିସ ଚଢ଼ାଉରେ କେବଳ ଆମେ ଧରାପଡ଼ିଲୁ । ମାଲିକ ଖସିଗଲା । ଏବେ ତ ଖବର କାଗଜରେ ଯାହାସବୁ ବାହାରିଛି, ମୁଁ ବୁଝିଗଲିଣି ଯେ କାହାର କିଛି ହେବନି । ଆମେ କେବଳ ମଲୁ । ସେଠି ଆମକୁ ଶୋଷଣ କରାଗଲା । ଧରାପଡ଼ିଲାରୁ ଫଟୋ, ନାଁ, ଗାଁ ଆପଣମାନେ ଖବରକାଗଜରେ ଛପାଇ ଦେଲେ ଯେ, ଆଉ କୋଉ କୁଳର ରହିଲୁନି । କିନ୍ତୁ ଆମ ମାଲିକ ଓ ସେ ବଡ଼ବଡ଼ିଆମାନେ ଆରାମରେ ବୁଲୁଛନ୍ତି । ମାଲିକ ପୁଣି ନୂଆଧନ୍ଦା କୋଉଠି ଆରମ୍ଭ କରିବଣି । ବଡ଼ବଡ଼ିଆଙ୍କ ସହ ତା’ର ସଂପର୍କ କେତେ ଭଲ । ଆପଣ ସିନା ମୋଠୁ ଏତେ କଥା ବୁଝୁଛନ୍ତି । ମୁଁ କ’ଣ ଜାଣିନି, ଆପଣ କିଛି ବି ଲେଖିପାରିବେନି । ତେଣୁ କହିକି କିଛି ଲାଭ ନାହିଁ । ବରଂ ଚୁପ୍‌ ରହିବା ଭଲ ।’’

 

ଝିଅଟିର ଯୁକ୍ତିରେ ସରୋଜ ଆବାକାବା ହୋଇଗଲା । ପାଠଶାଠ ନିଶ୍ଚୟ ପଢ଼ିଛି । ବୁଦ୍ଧିମତୀ ମଧ୍ୟ । ମନେ ମନେ ଭାବିଲା, ସମସ୍ତଙ୍କ ମୁଖା ଖୋଲି ଦେବା ପରେ ପୁଣି ଆସି ତାକୁ ଭେଟିବ ।

 

ଏଥର ପଚାରିଲା ‘‘ଏତେ ବଡ଼ବଡ଼ିଆମାନେ ଆସୁଥିଲେ ବୋଲି କହୁଛ ଯେ କିଛି ପ୍ରମାଣ ଅଛି ? ସେମାନଙ୍କୁ ଧରିବା କେମିତି ?’’

 

ପ୍ରମାଣ ! ସେଇଟା ତ ଖୋଜିବା ପୁଲିସର ଓ ଆପଣଙ୍କର କାମ । ଯେତେ ବଡ଼ବଡ଼ିଆ ଆସନ୍ତି, ଆମ ମାଲିକ ଗୁପ୍ତରେ ସେମାନଙ୍କ ଧନ୍ଦାବେଳର ଫଟୋ ଉଠାଇ ନିଏ । ସେଇ ଫଟୋଦ୍ୱାରା ତ ସେମାନଙ୍କୁ ବ୍ଲାକମେଲ କରେ ସେ । କେତେ ଫଟୋ ପୁଲିସ ଜବତ କରିଛି ବୋଲି ଆପଣମାନେ କାଗଜରେ ଲେଖିଥିଲେ । କିଛି ଫଟୋ ଛପାଇ ପାରିଲେ କି ?’’

 

ଝିଅଟି ସହ ଆଉ ଅଧିକ କିଛି ଆଲୋଚନା କରି ଲାଭ ନାହିଁ ବୋଲି ସରୋଜର ହୃଦ୍‌ବୋଧ ହେଲା । ସାହାଯ୍ୟ କରିଥିବାରୁ ଧନ୍ୟବାଦ ଜଣାଇ ଗାଁକୁ ଫେରିଲା ଓ ପରଦିନ ଭୁବନେଶ୍ୱରକୁ ।

 

ସେଇ ଫଟୋଗୁଡ଼ାକ ଯଦି ଦେଖିହୁଅନ୍ତା, କିଛିଟା ଆଗେଇ ପାରନ୍ତା ବୋଲି ସରୋଜ ଭାବିଲା । କିନ୍ତୁ ଫଟୋଗୁଡ଼ାକ ଥିବ କେଉଁଠି ? ସମ୍ବାଦପତ୍ରରେ ଫଟୋ ଜବତ ବିଷୟ ଛପାଯାଇଥିଲେ ମଧ୍ୟ ପୁଲିସ ପରେ ଏହାକୁ ଅସ୍ଵୀକାର କରିଥିଲା । ନିଜେ ଏସପି କହିଥିଲେ ଯେ, କୌଣସି ଫଟୋ ସେ ଘରୁ ଜବତ ହୋଇନାହିଁ । କିନ୍ତୁ ଘରଟା ଉପରେ ଚଢ଼ାଉ କରିବା ପରେ ଥାନା ଓ.ଆଇ.ସି ନିଜେ ଫଟୋ ଜବତ କରିଥିବା କଥା ସାମ୍ବାଦିକମାନଙ୍କୁ କହିଥିଲେ । ସମ୍ଭବତଃ ପୁଲିସ ଉପରେ ଚାପ ପଡ଼ିବାରୁ ପରେ ପୁଲିସ ଫଟୋ ବିଷୟ ଅସ୍ଵୀକାର କରିଛି ବୋଲି ସରୋଜର ମନେହେଲା । ପୁଲିସ କୋର୍ଟରେ ଦାଖଲ କରିଥିବା ସିଜର ଲିଷ୍ଟରେ ଫଟୋ ବିଷୟ ଉଲ୍ଲେଖ ନାହିଁ-। ତେଣୁ ଫଟୋଗୁଡ଼ାକ ନିଶ୍ଚୟ କୋଉଠି ଲୁଚେଇ ଦିଆଯାଇଛି । ଥାନା ଓ.ଆଇ.ସି ଖୋଦ ରଖିନାହାଁନ୍ତି ତ ସେଗୁଡ଼ା ? କିନ୍ତୁ ଓ.ଆଇ.ସିଙ୍କ ସହ ତା’ର ଜମା ପଡ଼େନି । ତା’ଛଡ଼ା ଏଇ ନିର୍ଦ୍ଦିଷ୍ଟ କେସରେ ପୁଲିସ ବିରୋଧରେ ସମ୍ବାଦ ଛାପି ଛାପି ଏବେ ସେ ବେଶି ଶତ୍ରୁ ହୋଇଯାଇଛି ପୁଲିସର-। କିନ୍ତୁ ଯଦି ଉପର ମହଲରୁ ଚାପ ପକାଯାଇ ପାରନ୍ତା ? ପୁଲିସ ବିଭାଗର ସବୁ ବଡ଼ବଡ଼ିଆ ତ ଆଉ ଦୁର୍ନୀତିଗ୍ରସ୍ତ ନୁହଁନ୍ତି । ସେ ନିଜେ ବି ଏମିତି ଜଣେ ବରିଷ୍ଠ ଅଫିସରଙ୍କୁ ଜାଣିଛି-। ତେବେ ତା’ର ସଂପାଦକଙ୍କ ସହିତ ସେହି ଅଫିସରଙ୍କ ଘନିଷ୍ଠତା ଅଧିକ । ତେଣୁ ସରୋଜ ଭାବିଲା ସମ୍ପାଦକଙ୍କୁ ସବୁକଥା କହିବ ଓ ତାଙ୍କ ଜରିଆରେ ଫଟୋଗୁଡ଼ାକ ଦେଖିବାକୁ ଚେଷ୍ଟାକରିବ-

 

କିନ୍ତୁ ଇଏ କ’ଣ ? ସମ୍ପାଦକଙ୍କୁ କହିବା ମାତ୍ରେ ସେ ରାଗରେ ନିଆଁବାଣ ହୋଇଗଲେ । ‘‘ତମକୁ ଆଉ କିଛି କାମ ମିଳୁନି । ଗୋଟେ ପୁରୁଣା ଇସ୍ୟୁକୁ ଖୋଲୁଛ ? ରାଜଧାନୀରେ ଏମିତି କେତେ ସେକ୍ସ ରାକେଟ୍‌ କାମ କରୁଛି । ତମଭଳି ସାମ୍ବାଦିକ ଥିଲେ ତ ବର୍ଷସାରା କେବଳ ସେଇ ସମ୍ବାଦ ଛାପୁଥିବ ।’’

 

ଆହତ ହେଲା ସରୋଜ । ଭାବିଥିଲା ସମ୍ପାଦକ ତାକୁ ସାହାଯ୍ୟ କରିବେ । ଅଥଚ ଓଲଟା ଗୋଡ଼ ଟାଣୁଛନ୍ତି । ତଥାପି ଆଉଥରେ ଚେଷ୍ଟା କଲା । ଏଯାବତ୍‌ ଯଥେଷ୍ଟ ଆଗେଇ ଯାଇଥିବାର ସୂଚନା ଦେଲା । କେବଳ ଫଟୋଗୁଡ଼ାକ ଦେଖି ପାରିଲେ ପ୍ରାମାଣିକ ତଥ୍ୟ ପାଇପାରନ୍ତା । ଚଢ଼ାଉ ପରେ ପୁଲିସ ଯେଉଁ ସିଜର ଲିଷ୍ଟ କରିଥିଲା, ସେଥିରେ ଫଟୋ ସମ୍ପର୍କରେ କିଛି ଉଲ୍ଲେଖ ନାହିଁ । ତେଣୁ ଓ.ଆଇ.ସି ସମ୍ଭବତଃ ଫଟୋଗୁଡ଼ାକୁ ନିଜ ପାଖରେ ରଖିଛନ୍ତି ବୋଲି ସଂପାଦକଙ୍କୁ ବୁଝାଇବାକୁ ଚେଷ୍ଟାକଲା ସେ । କିନ୍ତୁ ସଂପାଦକ ଅଧିକ ବିରକ୍ତ ହେଲେ । ଯେତିକି କୁହାଯାଇଛି ସେତିକି କରିବାକୁ, ବେଶି ନିଷ୍ଠାପର ନହେବାକୁ ଚେତାଇ ଦେଲେ ।

 

ତାକୁ ଖରାପ ଲାଗିଲା । କାମଟାରେ ସେ ଏତେବାଟ ଆଗେଇଯାଇଥିଲା ଯେ ଆଉ ପଛକୁ ହଟିବାକୁ ମନ କରୁନାହିଁ । ଏଣେ ସଂପାଦକ ଯେମିତି କହିଲେଣି, ସରୋଜ କୌଣସି ପ୍ରକାରେ ରିପୋର୍ଟଟେ ପ୍ରସ୍ତୁତ କଲେ ଯେ ତାକୁ ସଂପାଦକ ଛାପିବେ, ତା’ର ମଧ୍ୟ ଗ୍ୟାରେଣ୍ଟି ନାହିଁ । କ’ଣ କରିବ ? ଝିଅଟିର କଥା ମନେ ପଡ଼ିଗଲା । କିଛି ବି ଲେଖି ପାରିବନି ବୋଲି ସେ ଯେଉଁ ଶ୍ଳେଷୋକ୍ତି କରିଥିଲା, ସେକଥା ବାରମ୍ବାର ମନେ ପଡ଼ିଲା ।

 

ଶେଷରେ ସ୍ଥିର କଲା, ଯାହାବି ହେଉ ଏତେବାଟ ଆଗେଇଛି ମାନେ ଅପରାଧୀମାନଙ୍କୁ ଚିହ୍ନଟ କରିବ ଆଗେ । ତେଣିକି ରିପୋର୍ଟ ଛପା ହେଉ କି ନହେଉ । ନିହାତି ଯଦି ତା’ ଖବର କାଗଜରେ ଛାପାନହୁଏ, ଅନ୍ୟ କେଉଁ ଖବରକାଗଜର ସାମ୍ବାଦିକ ବନ୍ଧୁଙ୍କୁ ତଥ୍ୟ ଦେଇ ତାଙ୍କ ଖବରକାଗଜରେ ଛପାଇଦେବ ବୋଲି ଭାବିଲା ।

 

ସବୁଆଡ଼ୁ ହତାଶ ହେବା ପରେ ଏତେ କେବଳ ସେଇ ଓ.ଆଇ.ସି ହିଁ ଭରସା । ତାଙ୍କୁ ଯଦି କୌଣସି ଉପାୟରେ ମନାଇ ହୁଅନ୍ତା, ଫଟୋଗୁଡ଼ାକ ସମ୍ପର୍କରେ ଅନ୍ତତଃ ଜାଣିହୁଅନ୍ତା । ଫଟୋଗୁଡ଼ାକ ତାଙ୍କ ପାଖରେ ଥିଲେ ଫୁସୁଲା ଫୁସୁଲି କରି ଦେଖିପାରନ୍ତା । କିନ୍ତୁ ଓ.ଆଇ.ସି ତା’ଉପରେ ଯେପରି ଅସନ୍ତୁଷ୍ଟ ଅଛନ୍ତି, ସିଏ କ’ଣ ତାକୁ ସାହାଯ୍ୟ କରିବେ ? କେଜାଣି ? ତେବେ ଥରେ ଚେଷ୍ଟାକଲେ କ୍ଷତି କ’ଣ ?

 

ଥାନାରେ ପହଞ୍ଚିବା ବେଳକୁ ଓ.ଆଇ.ସି କିଛି ଗୋଟେ ଫାଇଲ ଖେଳାଉଥିଲେ । ସରୋଜକୁ ଦେଖି ସେ ଏକଦମ ଆଶ୍ଚର୍ଯ୍ୟ । ମାସକତଳେ ତାଙ୍କ ଅଞ୍ଚଳର ଅନ୍ୟ ଏକ ଘଟଣାକୁ କେନ୍ଦ୍ରକରି ସରୋଜ ଯେଉଁ ସମ୍ବାଦ ଛପାଇଥିଲା, ସେଥିରେ କ୍ଷୁବ୍ଧ ହୋଇଥିଲେ ସେ । ଫୋନରେ ଦି’ଚାରିପଦ ୟାଡ଼ୁସ୍ୟାଡ଼ୁ କହି ଦେଇଥିଲେ । ସେଇଦିନଠାରୁ ସରୋଜ ଆଉ ତାଙ୍କଠାରୁ ଅପରାଧ ଖବର କିଛି ବୁଝୁନାହିଁ । ପୂର୍ବରୁ ସେକ୍ସରାକେଟ ପ୍ରସଙ୍ଗ ନେଇ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ରହିଛି । ତେଣୁ ଏବେ କୌଣସି ଆଗୁଆ ସୂଚନା ନଦେଇ ହଠାତ୍‍ କୁଆଡ଼େ ଏ ସାମ୍ବାଦିକ ଆସିଗଲା !

 

ତେବେ ଉପରକୁ ଭଦ୍ରଲୋକି ଦେଖାଇ, ଆସିବାର କାରଣ ପଚାରିଲେ ଓ.ଆଇ.ସି । ସରୋଜ କୌଣସି ଗୌରଚନ୍ଦ୍ରିକା ନକରି ସିଧାସଳଖ ପ୍ରସଙ୍ଗ ଉପରକୁ ଆସିବ ବୋଲି ପୂର୍ବରୁ ହିଁ ସ୍ଥିର କରିନେଇଥିଲା । ତେଣୁ ସେ ସେକ୍ସରାକେଟ କେସ୍‌ର ତଦନ୍ତ କେତେବାଟ ଗଲାବୋଲି ପଚାରିଲା । ଓ.ଆଇ.ସି ଚୁପ୍‌ ରହିଲେ ।

 

ସରୋଜ ପୁଣି ପଚାରିଲା । ଏଥର ଓ.ଆଇ.ସି ମାପିଚୁପି କହିଲେ, ‘‘ଆପଣ ତା’ହେଲେ ସେଇ କେସ୍‌ ପାଇଁ ଆସିଛନ୍ତି । କିନ୍ତୁ ସିଏ ତ ପୁରୁଣା ଘଟଣା ହୋଇଗଲାଣି । ଏତେଦିନ ପରେ ସେ ପୁରୁଣା କେସ୍‌ଟା ପଛରେ କାହିଁକି ପଡ଼ିଛନ୍ତି ?’’

 

‘‘ସେଇଥିପାଇଁ ତ ଆସିଛି । ଏତେଦିନ ଚାଲିଗଲାଣି, ଏଯାଏଁ ସେଇ ଘଟଣା ସହ ସମ୍ପୃକ୍ତ ସମସ୍ତେ ଧରାପଡ଼ିନାହାଁନ୍ତି । ସେତେବେଳେ ତ କହୁଥିଲେ କେତେଜଣ ସାମ୍ବାଦିକ, ମନ୍ତ୍ରୀ, ଅଫିସର ବି ସେଠିକୁ ଯାଆନ୍ତି । ସେମାନଙ୍କ ପରିଚୟ ପାଇଲେଣି ନା ନାହିଁ ?’’ ପଚାରିଲା ସରୋଜ ।

 

‘‘ଛାଡ଼ନ୍ତୁ ସେକଥା । ୟା ଭିତରେ କେତେ କେସ୍‌ ଆସିଲାଣି । ଆମେ ଯଦି ଗୋଟିଏ କେସ୍‍ ପଛରେ ଖାଲି ଦୌଡ଼ୁଥିବୁ, ଅନ୍ୟ କେସ୍‌ଗୁଡ଼ାକର ହେବ କ’ଣ ?’’

 

‘‘କି ଆଶ୍ଚର୍ଯ୍ୟ । ଆପଣ ସିଦ୍ଧାନ୍ତରେ ନ ପହଞ୍ଚିବା ପର୍ଯ୍ୟନ୍ତ ତଦନ୍ତ କରିବେନି ? କେବଳ ସେକ୍ସରାକେଟ ଚଳାଉଥିବା ଲୋକଟା ଏବଂ ସେ ଝିଅଗୁଡ଼ାକୁ ଧରିଦେଇ ଚୁପ୍‌ ବସିଗଲେ ! ସେ ଲୋକଟା ଦାବି କରୁଥିଲା ଯେ, ତାପଛରେ ବହୁତ ବଡ଼ ବଡ଼ ଲୋକ ଅଛନ୍ତି, ପୁଲିସ ତା’ର କିଛି କରିପାରିବ ନାହଁ । ସିଏ ତେବେ ଠିକ୍‌ କହୁଥିଲା ?’’ ସରୋଜ ଚଢ଼ାଗଳାରେ ପଚାରିଲା ।

 

ତାକୁ ଆଉ କିଛି କହିବାର ସୁଯୋଗ ଦେଲେ ନାହିଁ ଓ.ଆଇ.ସି । ତା’ କଥା ନସରୁଣୁ ମଝିରେ ହସ୍ତକ୍ଷେପ କଲେ, ‘‘ଆପଣ ଏତେ ଉତ୍ତେଜିତ ହୋଇପଡ଼ୁଛନ୍ତି କାହିଁକି ? ସେଇ କେସ୍‍ଟା ପାଇଁ ଆପଣ ଏତେ ଆଗ୍ରହୀ କାହିଁକି ? ଆପଣ ସାମ୍ବାଦିକ ଅଛନ୍ତି । ସ୍ଵାଧୀନତା ପାଇଛନ୍ତି । କିନ୍ତୁ ଆମେ ଏଠି ବସି କେମିତି କାମ କରୁଛୁ ଆପଣ ଜାଣନ୍ତି ? କେତେଆଡ଼ୁ କେତେ ପ୍ରେସର ପଡ଼ୁଛି । ସମ୍ଭାଳିବୁ କେମିତି ?’’

 

‘‘ତା’ ମାନେ ! ପ୍ରେସର ପଡ଼ିଲାରୁ ଆପଣ କଥାଟାକୁ ଅଧାରେ ଛାଡ଼ିଦେଲେ ? ଗୁଡ଼ାଏ ଫଟୋ ପରା ସେ ଲୋକଘରୁ ଜବତ କରିଥିଲେ । ସେଥିରୁ ତ ଅନେକ କିଛି ଜାଣିପାରିଥିବେ ?’’ ପ୍ରଶ୍ନ କଲା ସରୋଜ ।

 

‘‘ସେଇଠି ତ ଅଡ଼ୁଆ । ଆମେ ତଦନ୍ତ ଆରମ୍ଭ କରୁକରୁ ଆପଣମାନେ ଖବର କାଗଜରେ ଛାପିଦେଲେ ଯେ ଆମେ ଗୁଡ଼ାଏ ଫଟୋ ଜବତ କରିଛୁ । ବାସ୍‌ ! ଯେଉଁଠୁ ଯେମିତି ପ୍ରେସର ପଡ଼ିବା କଥା ପଡ଼ିଲା । ଆପଣ ବୋଧହୁଏ ଜାଣିନାହାଁନ୍ତି ସିଜର ଲିଷ୍ଟରେ ଆମେ ଫଟୋ କଥା ଲେଖିନାହୁଁ ।’’ କହିଲେ ଓ.ଆଇ.ସି. ।

 

‘‘ସେକଥା କ’ଣ ମୁଁ ଜାଣିନି ? ସେଇଥିପାଇଁ ତ ଆସିଛି । ସିଜର ଲିଷ୍ଟରେ ଫଟୋ କଥା ଦର୍ଶାଇନାହାଁନ୍ତିମାନେ ସେଗୁଡ଼ିକୁ ଆପଣ ନିଶ୍ଚୟ ରଖିଥିବେ । ଫଟୋଗୁଡ଼ାକ କଲେ କ’ଣ ?’’

 

‘‘କ’ଣ ଆଉ କରିବୁ ? ନଷ୍ଟ କରିଦେଲୁ ।’’ ଓ.ଆଇ.ସି. କହିବା ବେଳେ ଫୋନ୍‍ ରିଂ ହେଲା । କଥା ହେବାପରେ ରିସିଭର ଥୋଇଦେଇ ସରୋଜକୁ କହିଲେ ‘‘ଆପଣ ଏଥର ଆସନ୍ତୁ । ମୁଁ ବି ବାହାରକୁ ଯିବି ।’’

 

‘‘କିନ୍ତୁ ମୋ ପ୍ରଶ୍ନର ଉତ୍ତର ଦେଲେନି ଯେ !’’ ପଚାରିଲା ସରୋଜ ।

 

‘‘ଓହୋଃ ଆପଣ ଅଯଥା କାହିଁକି ମୋ ପଛରେ ପଡ଼ିଛନ୍ତି କହିଲେ । ଫଟୋଥିଲେବି କ’ଣ କରିପାରିବେ ଆପଣ । ନ୍ୟୁଜ୍‍ କରିପାରିବେ ? କଲେ ବି ଆପଣଙ୍କ ସମ୍ପାଦକ ଛାପି ପାରିବେ-?’’ ଏଥର ଓଲଟା ପ୍ରଶ୍ନ କଲେ ଓ.ଆଇ.ସି. । ତାଙ୍କ କହିବା ଭଙ୍ଗୀରେ କିଛିଟା ବିଦ୍ରୂପ ଥିଲା ଭଳି ମନେ ହେଲା ସରୋଜକୁ ।

 

‘‘କାହିଁକି ନୁହେଁ ! ଆପଣଙ୍କ ପାଖରେ ଅଛି କି ଫଟୋଗୁଡ଼ା ? ଅନ୍ତତଃ ମତେ ଦେଖାଇପାରିବେ କି ? ମୁଁ କଥାଟା ଲୁଚାଇବି । ମୋ ନିଜ ହିସାବରେ ଅନୁସନ୍ଧାନ କରି ରିପୋର୍ଟ ଛାପିବି । ମୁଁ କେବଳ ଲୋକଗୁଡ଼ାଙ୍କର ନାଁ ଜାଣିବାକୁ ଚାହୁଁଛି ।’’

 

‘‘ଆପଣ ପାରିବେନି । ବୁଝିଲେ ସରୋଜବାବୁ, ଆପଣ ଫଟୋଦେଖି ଲୋକଙ୍କୁ ଚିହ୍ନିପାରିବେ, କିନ୍ତୁ ସେମାନଙ୍କ ବିରୋଧରେ ଲେଖି ପାରିବେନି । ଆପଣ ଲେଖିଦେଲେ ବି ତାକୁ କେହି ଛାପିବେନି । ଆପଣଙ୍କ ପେପରରେ ତ ବାହାରିବାର ପ୍ରଶ୍ନ ଉଠୁନି । କିନ୍ତୁ ଆପଣ ଯଦି ଆଉ କେଉଁ ପେପରରେ ଛାପିବାକୁ ଚାହିଁବେ କେହିବି ରାଜି ହେବେନି ।’’

 

‘‘ରାଜି ହେବେନି ! କାହିଁକି ? ଏମିତି କି ଲୋକଗୁଡ଼ା ଅଛନ୍ତି କି ସେଥିରେ ! ବରଂ ଯଦି ବଡ଼ବଡ଼ିଆଙ୍କ କଥା ଲେଖାଯାଏ, ସଂପାଦକମାନେ ତ ବେଶି ଆଗ୍ରହୀ ହେବେ ।’’ ବୁଝାଇବା ଭଳି କହିଲା ସରୋଜ ।

 

‘‘ଆସ୍ତେ, କିଏ ଶୁଣିବ ।’’ ଓ.ଆଇ.ସି. ଚେତାଇ ଦେଲେ ଓ ଫଟୋଗୁଡ଼ିକ କାଢ଼ିବାକୁ ଆଲମିରା ଖୋଲୁ ଖୋଲୁ କହିଲେ ‘‘ଆପଣ ଜିଦ୍‌ ଧରୁଛନ୍ତି ବୋଲି ଫଟୋ ଦେଖାଉଛି । ଆପଣଙ୍କ ପାଇଁ ଏଭଳି ଆଶ୍ଚର୍ଯ୍ୟଜନକ ଫଟୋ ଅଛି ଯେ ଆପଣ ଖାଲି ଚମକି ପଡ଼ିବେନି, ମୂର୍ଚ୍ଛା ଯାଇପାରନ୍ତି-।’’

 

ସରୋଜର ଆଗ୍ରହ ବଢ଼ିଲା । ଯାହାହେଉ ଓ.ଆଇ.ସି. ଭଲରେ ଭଲରେ ଫଟୋଗୁଡ଼ା ଦେଖାଇବାକୁ ବାହାରିଲେଣି । ତାଙ୍କଠାରୁ ଫଟୋଗୁଡ଼ା ଧରି ଗୋଟିଏ ପରେ ଗୋଟିଏ ଦେଖୁ ଦେଖୁ ଆଖି ବଡ଼ ହୋଇଯାଉଥାଏ ତା’ର । ଶଃ... ! ଏତେ ବଡ଼ ଲୋକ, ଏତେ ଭଦ୍ର ବୋଲି ଜଣାଶୁଣା । ଅଥଚ ଇଏ କି ରୂପ ସେମାନଙ୍କର । ମନ୍ତ୍ରୀ, ବିଧାୟକ, ଅଫିସର କିଏ ନାହାଁନ୍ତି ଫଟୋରେ ? ଫଟୋଗୁଡ଼ା ଖେଳାଉ ଖେଳାଉ ହଠାତ୍‍ ଚମକି ପଡ଼ିଲା । ଇଏ କ’ଣ ? ଆଖିକୁ ତା’ର ବିଶ୍ଵାସ ଗଲାନି । ବାରମ୍ବାର ଫଟୋଟାକୁ ଦେଖିଲା । ଚାହିଁଲା ଓ.ଆଇ.ସିଙ୍କ ଆଡ଼େ । ତାଙ୍କ ଓଠରେ ରହସ୍ୟମୟ ହସ ।

 

‘‘କ’ଣ ଦେଖିଲେ ? ରିପୋର୍ଟ ଲେଖି ପାରିବେ ? ଖାଲି ସିଏ ନୁହଁନ୍ତି, ଆଉ ଜଣେ ବି ଅଛନ୍ତି । ଏଥର ଜାଣି ପାରୁଛନ୍ତି ତ ଆମ ଉପରେ କି ଧରଣର ପ୍ରେସର ପଡ଼ୁଥିବ !’’ କହୁଥିଲେ ଓ.ଆଇ.ସି ।

 

ସରୋଜ ଆଉ ଶୁଣିବାକୁ ଚାହୁଁନଥିଲା । ତା’ର ସଂପାଦକ ଯେ ଖୋଦ ସେଇ ସେକ୍ସରାକେଟର ଗ୍ରାହକ, ଏକଥା ବିଶ୍ଵାସ କରିପାରୁନଥିଲା । କିନ୍ତୁ ଫଟୋ ଦେଖିଲାପରେ ଆଉ ଅବିଶ୍ୱାସ କରିବାର କ’ଣ ଅଛି । ରାକେଟ ମାଲିକଟା ମହା ଚାଲାକ । କୋଉ ଖଂଜରେ ସମସ୍ତଙ୍କ ଫଟୋ ଉଠାଇ ନେଇଛି । ସେଇଥିପାଇଁ ମୁହଁତୋଡ଼ ଜବାବ ଦେଇଥିଲା । ସେଇଥିପାଇଁ ଖସିଗଲା କେସ୍‌ଟାରୁ । ବାଏଁ ବାଏଁ ଉଡ଼ିଗଲା କେସ୍‌ । କିନ୍ତୁ ତା’ ନିଜ କଥା ! ଭାବିଲା ସରୋଜ । ଏଇଥି ପାଇଁ ତା’ଉପରେ ସଂପାଦକ ବିରକ୍ତ ହେଉଥିଲେ ! ମାଲିକର ଅସଲ ରୂପଟା ଜାଣିଯିବା ପରେ ମନରୁ ସବୁ ଉତ୍ସାହ ମରିଗଲା । ଆଉ କି ରିପୋର୍ଟ ଲେଖିବ ? କିଏ ତା’ ରିପୋର୍ଟ ଛାପିବ ! ଅନ୍ୟମାନଙ୍କ କଥା ଲେଖି ମାଲିକଙ୍କୁ ବାଦ ଦେଲେ କେଜାଣି ଛପାହୋଇ ପାରନ୍ତା । କିନ୍ତୁ ସିଏ ସେମିତି କାହିଁକି କରିବ ! ଦ୍ୱନ୍ଦ୍ୱରେ ପଡ଼ିଲା ସେ । କ’ଣ କରିବ ! କ’ଣ କରିବନି ! ମନେ ପଡ଼ିଗଲା ଗାଁ ପାଖର ସେଇ ଝିଅଟି କଥା । ଏଇଥି ପାଇଁ ସିଏ କହୁଥିଲା ସରୋଜ ଚାହିଁଲେ ବି କିଛି ଲେଖିପାରିବନି ! ଓ.ଆଇ.ସିଙ୍କୁ ସିଧାକରି ଚାହିଁ ପାରୁନଥିଲା ସେ । ହଠାତ୍‍ ସିଟ୍‌ରୁ ଉଠି ଥାନା ବାହାରକୁ ଚାଲି ଆସିଲା ।

Image

 

ଅହଲ୍ୟା

 

ରାତି ପାହିଲେ ଅହଲ୍ୟା ମୁକ୍ତି ପାଇବ । ଦୀର୍ଘ ବାରବର୍ଷର ବନ୍ଦୀ ଜୀବନ ବିତାଇବା ପରେ ମୁକ୍ତିର ଏ ଯେଉଁ ଆନନ୍ଦ, ସେକଥା କେବଳ ଅନୁଭବୀ ହିଁ ବୁଝିପାରିବ । ତଳେ ଗୋଡ଼ ଲାଗୁନି ଅହଲ୍ୟାର । ଆଖିକୁ ନିଦ ଆସୁନି । ଆଃ ! ବାରବର୍ଷ ।

 

ଏଠାରୁ ଚାରିଶହ କିଲୋମିଟର ଦୂର ଏକ ନିକଟ ମଫସଲରେ ଅହଲ୍ୟାର ଶାଶୁଘର । ବାହାଘରର ଚାରିବର୍ଷ ମଧ୍ୟରେ ତିନି ତିନିଟି ଝିଅ ଜନ୍ମ କରି ସେ କଣ୍ଟା ପାଲଟି ଯାଇଥାଏ । ସେଥିରେ ପୁଣି, ଖାଲି ଝିଅ ଜନ୍ମ କରୁଥିବାରୁ ସ୍ଵାମୀ, ଶାଶୁ ଓ ନଣନ୍ଦ ପ୍ରତି ମୁହୂର୍ତ୍ତରେ ଖୁଣ୍ଟା ଦେଉଥାଆନ୍ତି । ସ୍ଵାମୀ ଗୌତମ ତ ଟିକିଏ କଥାରେ ହାତ ଉଠାଏ, ପିଠିରେ ନୋଳା ବସାଇଦିଏ । ଶାଶୁ ଚବିଶଘଣ୍ଟା ଗରଗର ହୁଅନ୍ତି । ସେତିକିରେ ହେଲେ ସେମାନଙ୍କ ରାଗ ଶାନ୍ତ ହୋଇଥାନ୍ତା ତ ଅହଲ୍ୟାକୁ ବାଧିନଥାନ୍ତା । କିନ୍ତୁ ପିଲା ତିନିଟାକୁ ମଧ୍ୟ କେହି ପଚାରନ୍ତି ନାହିଁ । ମାଆର ଦୋଷରୁ ତିନି ତିନିଟା ଝିଅ ଜନ୍ମ ହୋଇଛନ୍ତି । ସେମାନଙ୍କର ବଞ୍ଚିବାର ଅଧିକାର ନାହିଁ ଏ ଦୁନିଆରେ । ଏମିତି କୁହନ୍ତି ଗୌତମ, ତା’ର ଭଉଣୀ ଓ ବୋଉ । ଅହଲ୍ୟା ବିଚାରୀ ନୀରବ ରୁହେ । ପିଲା ତିନିଟାଙ୍କ ବିକଳ ମୁହଁକୁ ଚାହିଁ ଆଖିରୁ ଲୁହ ଝରାଇବା ବ୍ୟତୀତ ନିରୁପାୟ ସେ । ବର୍ଷକର ଫରକରେ ଜନ୍ମ ହୋଇଥିବା ପିଲା ତିନିଟା ଠିକ୍‌ଭାବେ ଖାଦ୍ୟ ପାଆନ୍ତି ନାହିଁ । ଅହଲ୍ୟା ନିଜେ ଅଧିକାଂଶ ଦିନ ଭୋକରେ ରହୁଥିବାରୁ ସାନ ପିଲାଟିକୁ କ୍ଷୀର ଟିକିଏ ବି ଦେଇପାରେନି । ଦିଏନି କ’ଣ, କ୍ଷୀରତ ହୁଏନି ତା’ର ! ଗୌତମ ମୂଲ ଲାଗିଲେ ଘର ଚଳିବ । ନଣନ୍ଦଟି ଅବଶ୍ୟ ଗାଁରେ ଦୁଇଚାରି ଘରେ କାମ କରେ । କେବେ କେମିତି କାହାଘରୁ ଭାତମୁଠାଏ ନେଇଆସେ । ଘରେ ଆର୍ଥିକ ସଂକଟକୁ ତିନି ତିନିଟି ଝିଅର ବୋଝ କଥା ଭାବିଲାବେଳକୁ ଅହଲ୍ୟାକୁ ସବୁ କଷ୍ଟ ଆପଣାର ଭଳି ମନେହୁଏ । ବେଳେ ବେଳେ ଭାବେ, ଘରେ ଚଳିବାକୁ କିଛିଟା ବି ସୁବିଧା ଥିଲେ ବୋଧହୁଏ ତା’ଉପରେ ଏ ତିନିତିନିଟା ଝିଅ ଜନ୍ମର ଗଞ୍ଜଣା ପଡ଼ନ୍ତା ନାହିଁ ।

 

ଚତୁର୍ଥ ଥର ଅହଲ୍ୟା ଗର୍ଭବତୀ ହେଲା । ଏଥର ଗୌତମ ଓ ତା’ର ବୋଉ ସଫା ସଫା କହିଦେଲେ, ଏ ଛୁଆଟା ଯଦି ପୁଅ ନହୁଏ, ଚାରିଟିଯାକ ପିଲା ସହିତ ଅହଲ୍ୟାକୁ ବିଷ ଦେଇ ନଈରେ ଭସାଇ ଦେବେ । ଛାତିରେ ଛନକା ପଶିଗଲା ଅହଲ୍ୟାର । ପିଲା ଜନ୍ମ କରିବା ସିନା ତା’ର ଦାୟିତ୍ୱ, ପିଲାଟା ପୁଅ ହେବ କି ଝିଅ ସେକଥା କ’ଣ ସ୍ଥିର କରିବା ତା’ର ଇଚ୍ଛା ଉପରେ ନିର୍ଭର କରେ ! ସିଏ କେମିତି ଜାଣିବ ପିଲାଟା ପୁଅ ନା ଝିଅ ? ଛଅମାସର ଗର୍ଭ ପରେ ବାପଘରକୁ ଚାଲିଯିବାକୁ ଚାହିଁଲା ଅହଲ୍ୟା । ଗୌତମ ଓ ତା’ର ବୋଉ ସତେ ଅବା ଏଇଆ ହିଁ ଚାହୁଁଥିଲେ ।

 

ପ୍ରଥମ ତିନି ଛୁଆଙ୍କୁ ଜନ୍ମ ଦେବାବେଳେ ଅହଲ୍ୟା ବାପଘରକୁ ଯାଇନଥିଲା । ବାପାର ବି କୋଉ ସଂପତ୍ତିବାଡ଼ି ଅଛି ଯେ ପିଲେଇତି ଝିଅକୁ ଆଣି ଘରେ ରଖିପାରିଥାଆନ୍ତା ! ତେଣୁ ଗୌତମ କି ତା’ ଭଉଣୀ, ବୋଉ ଯେତେ ଗାଳିମନ୍ଦ କଲେ ମଧ୍ୟ ବାପଘରକୁ ଯାଇନଥିଲା ଅହଲ୍ୟା-। କିନ୍ତୁ ଏ ଚତୁର୍ଥ ସନ୍ତାନ ବେଳକୁ ଜୀବନପ୍ରତି କେମିତି ମୋହ ଆସି ଯାଇଥିଲା ତା’ର । ଶାଶୁଘରେ ରହି ସତରେ ଯଦି ଝିଅଟେ ଜନ୍ମଦିଏ, ତ ପାଞ୍ଚଜଣଯାକର ଜୀବନ ଚାଲିଯିବ । ବରଂ ବାପଘରେ ଜନ୍ମଦେବାପରେ ଝିଅ ହୋଇଥିଲେ ଆଉ ଶାଶୁଘରକୁ ଫେରିବନାହିଁ ବୋଲି ଭାବିନେଇଥିଲା ଅହଲ୍ୟା ।

 

ହଠାତ୍‍ ଦିନେ ଅହଲ୍ୟା ଓ ତିନି ଝିଅକୁ ନେଇ ତା’ ବାପଘରେ ଛାଡ଼ି ଆସିଲା ଗୌତମ । ଅହଲ୍ୟାର ବୋଉ ଓ ଭାଉଜ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପ୍ରଥମ ତିନିଟି ଛୁଆ ଜନ୍ମ ଦେଲା ବେଳେ ଝିଅକୁ ଡାକିଲେ ମଧ୍ୟ ଆସିନଥିଲା । ଏଥର କ’ଣ ମନକୁ ମନ ଜ୍ୱାଇଁ ଆଣି ଛାଡ଼ି ଦେଲେଣି ? ଅହଲ୍ୟା ଯେ ଶାଶୁଘରେ ଏତେ ଦୁଃଖକଷ୍ଟ ମଧ୍ୟରେ ଚଳୁଥିଲା ସେକଥା ଜଣା ନଥିଲା ଏମାନଙ୍କୁ । ଏଥର ମଧ୍ୟ ଅହଲ୍ୟା କିଛି କହିଲାନି । କେବଳ ଭାଇ ଓ ବାପା ଉପରେ ବୋଝ ପଡ଼ିବ ବୋଲି ଆସୁନଥିଲା, ଏଥର ଚାଲିଆସିଲା ବୋଲି ସଫେଇ ଦେଲା ।

 

ବାପଘର ଗାଁରେ ପଡ଼ୋଶୀ ମୀନ ଭାଇନାଙ୍କର ଗୋଟିଏ ବୋଲି ପୁଅ କିଶୁ । ଡଉଲ ଡାଉଲ ପିଲାଟେ । ଅହଲ୍ୟା ଆସିବା ପରଠାରୁ କିଶୁ ସବୁବେଳେ ୟାଙ୍କ ଘରେ । ଅହଲ୍ୟାର ତିନିଛୁଆଙ୍କୁ ପାଇ ନିଜ ଘରକୁ ଯିବାକୁ ମନ କରେନି ସେ । ଅହଲ୍ୟା ସ୍ଵପ୍ନ ଦେଖେ–ତା’ର ଚତୁର୍ଥ ସନ୍ତାନ ଏଇ କିଶୁ ଭଳି ପୁଅଟେ ହେବ । ସ୍ଵାମୀ ଓ ଶାଶୁଙ୍କ ମନ ବଦଳିଯିବ । ସେମାନେ ତାକୁ ଆଦର ଯତ୍ନ କରିବେ । ଏମିତି କେତେ କ’ଣ ସବୁଜ ସ୍ଵପ୍ନ, ଆଃ । ସ୍ଵପ୍ନ ସବୁ ସତ ହୁଅନ୍ତା କି ?

 

ସେଦିନର କାଳକଥା ମନେ ପଡ଼ିଗଲେ ଏବେ ବି ଅହଲ୍ୟାର ଦେହ ଥରି ଉଠେ । ଗାଁକୁ ଆସିଥିଲେ ଜଣେ ଗୁଣିଆ, କିଛି କିଛି ଭବିଷ୍ୟତ କଥା ମଧ୍ୟ କହି ପାରୁଥିଲେ ସେ । ଗାଁ ଲୋକେ ତାଙ୍କ ପାଖକୁ ଯାଇ ନିଜର ଆଗତ ଭବିଷ୍ୟ କଥା ପଚାରୁଥିଲେ । ଅହଲ୍ୟାର କାନରେ ପଡ଼ିଲା ଏକଥା । ସେ ବି ଗଲା । ଗୁଣିଆକୁ ମୁଣ୍ଡିଆ ମାରି ମନକଥା କହିଲା । ଗର୍ଭସ୍ଥ ସନ୍ତାନଟି ପୁଅ ହେବ କି ଝିଅ, ଜାଣିବାକୁ ଚାହିଁଲା । ଗୁଣିଆ କିଛି ସମୟ ବିଡ୍‌ ବିଡ୍‌ ହୋଇ ଶୂନ୍ୟକୁ ଚାହିଁ କାହା ସହ ସତେ ଅବା କଥା ହେଲେ, ତା’ପରେ ଅହଲ୍ୟାକୁ କହିଲେ ଏଇଠି ସମସ୍ତଙ୍କ ସାମ୍ନାରେ ତତେ କହିପାରିବିନି । କୁଡ଼ିଆ ଭିତରକୁ ଆ । ଗୋପନରେ କହିବି ।’’

 

ଅହଲ୍ୟା ଭିତରକୁ ଗଲା । ଗୁଣିଆ ବତାଇ ଦେଲେ । ଏ ଛୁଆଟା ବି ଝିଅ ହେବ । ତେବେ ପ୍ରତିକାର କଲେ ଝିଅଟିକୁ ସେ ପୁଅ କରାଇ ଦେଇପାରିବେ । ରାହା ଖୋଜୁଥିବା ଅହଲ୍ୟା ପ୍ରତିକାର ସଂପର୍କରେ ଜାଣିବାକୁ ଚାହିଁଲା । ଗୁଣିଆ ବତାଇଦେଲେ ‘‘ଆଜି ଅମାବାସ୍ୟା । ଆଜି ରାତିରେ ଛୋଟ ପୁଅ ପିଲା ବଳି ଦେଲେ ତୋର ଏ ଛୁଆଟି ପୁଅ ପିଲା ହେବ । ଆଜି ରାତିରେ ତମ ଗାଁ ମୁଣ୍ଡ ମଶାଣିରେ ମଶାଣିଚଣ୍ଡୀକୁ ଛୋଟ ପୁଅ ପିଲାର ରକ୍ତ ପିଆଇପାରିବୁ ?’’

 

ଚମକି ପଡ଼ିଲା ଅହଲ୍ୟା । ଏ କ’ଣ ଶୁଣୁଛି ସେ ! ଶେଷକୁ ବଳି ଦେବ ! ଗୁଣିଆକୁ ମୁଣ୍ଡିଆମାରି ଘରକୁ ଚାଲିଆସିଲା । ବାଟସାରା ଗୁଣିଆର କଥା ବାରମ୍ବାର ମନେ ପଡ଼ୁଥାଏ । ଘରେ ପହଞ୍ଚିଲାବେଳକୁ କିଶୁ ତା’ ମଝିଆ ଝିଅଟି ସହ ଖେଳୁଛି । କିଶୁକୁ ଦେଖୁ ଦେଖୁ ଗୁଣିଆର କଥା ମୁଣ୍ଡକୁ ପଶିଲା । ନିଜ ପେଟରେ ହାତକୁ ବୁଲାଇ ଆଣିଲା ଅହଲ୍ୟା । ପେଟର ଛୁଆକୁ ପୁଅ କରିବା ଲାଗି କିଶୁ ହିଁ ଏକମାତ୍ର ଉପାୟ । କିଶୁ ଭଳି ଡଉଲ ଡାଉଲ ପିଲାର ରକ୍ତ ପାଇଲେ ମଶାଣିଚଣ୍ଡୀ ଅହଲ୍ୟା ଉପରେ ନିଶ୍ଚେ ପ୍ରସନ୍ନ ହେବ । କିଶୁକୁ କେମିତି ଭୁଲାଇ ପାରିବ ଭାବିଲା ସେ । ଏଡ଼ିକି ଟିକିଏ ପିଲା । ତାକୁ ଭୁଲାଇଦେବା କ’ଣ କଷ୍ଟକର କାମ ? ଅହଲ୍ୟା କହିଲା ‘‘କିଶୁରେ ମୁଁ ଟିକେ ପୋଖରୀ ଆଡ଼କୁ ଯିବି । ତୁ ଲଣ୍ଠନଟା ଧରି ଆ ମୋ ସାଥୀରେ ।’’ କିଶୁ ଭଳିଗଲା । ଘରୁ ଲୁଗାଦିଟା ଧରି କିଶୁ ସହିତ ବାହାରିଗଲା ଅହଲ୍ୟା । ପୋଖରୀ ଆଡ଼କୁ ନଯାଇ ମଶାଣି ଆଡ଼କୁ ନେଇଗଲା କିଶୁକୁ ଓ ମାଡ଼ିବସି ଲୁଗାରେ ବାନ୍ଧିପକାଇଲା । ପାଟିରେ ବି ଲୁଗାବିଣ୍ଡା ମାଡ଼ିଦେଲା । ମଶାଣିପାଖ ଖାଲରେଥିବା ବଡ଼ ପଥର ପାଖରେ କିଶୁକୁ ବାନ୍ଧି ପକାଇ ଘରକୁ ଚାଲିଆସିଲା ଅହଲ୍ୟା ।

 

ଏଣେ କିଶୁକୁ ନପାଇ ତା’ ଘରଲୋକେ ଖୋଜାଖୋଜି କଲେଣି । ଅହଲ୍ୟା ମଧ୍ୟ ସେମାନଙ୍କ ସହ ମିଶିଗଲା । କିଛି ଜାଣିନଥିବାର ଅଭିନୟ କଲା । ଗାଁ ଲୋକେ ଖୋଜାଖୋଜି କରି ଅଧରାତିରେ ନିଜ ନିଜ ଘରକୁ ଚାଲିଗଲେ । ଚାରିଆଡ଼ ନିଛାଟିଆ ଦେଖି ଅହଲ୍ୟା ଆସ୍ତେ ଆସ୍ତେ ଘରୁ ଗୋଡ଼ କାଢ଼ିଲା । ବାରିପଟକୁ ଆସି ଦୌଡ଼ିଲା ମଶାଣି ଆଡ଼କୁ । ସିଏ କିନ୍ତୁ ଜାଣି ନଥିଲା ଯେ ପଡ଼ିଶା ଘରେ କିଶୁର ବାପା, ବୋଉଙ୍କ ଆଖିରେ ନିଦ ନାହିଁ । ଅହଲ୍ୟା ଦୌଡ଼ିଲା ବେଳେ ଜାଣିପାରିଲେ ସେମାନେ । ସାଥୀରେ ଦୁଇତିନି ଜଣଙ୍କୁ ଧରି ଅହଲ୍ୟା ପଛେ ପଛେ ସେମାନେ ମଧ୍ୟ ଚାଲିଲେ । କିନ୍ତୁ ମଶାଣି ପାଖରେ ସେମାନେ ପହଞ୍ଚିଲାବେଳକୁ ଡେରି ହୋଇଯାଇଥିଲା । ପଥରରେ କିଶୁକୁ ଛେଚି ହାତରେ ମେଞ୍ଚାଏ ତାଜା ରକ୍ତ ଧରି ଅହଲ୍ୟା ମଶାଣିଚଣ୍ଡୀ ନାଁରେ ଅର୍ପଣ କରୁଥିଲା ବେଳେ ଧରାପଡ଼ିଗଲା ।

 

ଅହଲ୍ୟାକୁ ଆଜୀବନ କାରାଦଣ୍ଡ ହୋଇଗଲା । ତଥାପି ତା’ ମନଖୁସ୍‌ । ମଶାଣିଚଣ୍ଡୀକୁ ରକ୍ତ ଦେଇଛି । ଏଥର ପିଲାଟା ନିଶ୍ଚୟ ପୁଅ ହେବ । ସତକୁ ସତ ସଂଯୋଗ ବଶତଃ ଅହଲ୍ୟା ପୁଅ ଜନ୍ମ ଦେଲା । କିନ୍ତୁ ଦେଖିବାକୁ କେହି ଆସିଲେନି । ନା ସ୍ଵାମୀ, ଶାଶୁ ନା ବାପଘରୁ କେହି । ମଣିଷମରା ହୋଇଯାଇଥିଲା ସେ । ୟା’ ଭିତରେ ତାକୁ ଗାଁଠାରୁ ଚାରିଶହ କିଲୋମିଟର ଦୂର ଏଇ ସହରର ମହିଳା ଜେଲକୁ ପଠାଇ ଦିଆଯାଇଥାଏ । ପୁଅଟି ଦୁଇବର୍ଷର ହୋଇଗଲା ପରେ ଅହଲ୍ୟା ଆଉ ତାକୁ ପାଖରେ ରଖିବାକୁ ଚାହିଁଲାନି । ଜେଲ୍‍ର ଚାରିକାନ୍ଥ ମଧ୍ୟରେ ଛୁଆଟାକୁ କାହିଁକି ରଖିବ-! ଜେଲ୍‍ବାଲା ଗୌତମ ପାଖକୁ ଚିଠି ଲେଖିଲେ । ଗୌତମ ଆସି ପୁଅଟିକୁ ନେଇଗଲା । ସେଇ ଦଶବର୍ଷତଳେ ପୁଅକୁ ନେବାକୁ ଆସିବାବେଳେ ଶେଷଥର ପାଇଁ ଗୌତମକୁ ଦେଖିଥିଲା ଅହଲ୍ୟା-

 

ଏଣେ ଜେଲରେ ଭଲ ଆଚରଣ ଯୋଗୁଁ ତା’ଉପରେ ସମସ୍ତେ ଖୁସି । ସେଇଥିପାଇଁ ତାକୁ ଖଲାସ କରିଦେବାକୁ ଜେଲ୍‍ ସୁପରିନ୍‍ଟେଣ୍ଡେଣ୍ଟ ଯେଉଁ ସୁପାରିଶ କରିଥିଲେ, ମାନ୍ୟବର ରାଜ୍ୟପାଳ ତାକୁ ଗ୍ରହଣ କରିନେଲେ ।

 

ଆସନ୍ତାକାଲି ଅହଲ୍ୟା ମୁକ୍ତି ପାଇବ । ତାକୁ ଲାଗୁଥାଏ ସତେଅବା ପଥରରୁ ମଣିଷ ପାଲଟିବ ସେ । ଅତୀତର କଥା ଭାବିଲାବେଳକୁ ତା’ ଆଖି ଛଳଛଳ ହୋଇ ଯାଉଥିଲା । କଇଁ କଇଁ ହୋଇ କାନ୍ଦି ପକାଇଲା ବେଳକୁ ଅନ୍ୟମାନେ ତାକୁ ବୁଝାଇଲେ । ଆଉ କେତେ ଘଣ୍ଟା ପରେ ଯେ ମୁକ୍ତି !

 

ଖଲାସ ହେଲାପରେ ଅହଲ୍ୟା ନିଜ ଗାଁକୁ ହିଁ ଯିବ ବୋଲି ଭାବିନେଲା । ଗୌତମ ନ ପଚାରୁ ପଛେ, ପୁଅ ଝିଅକୁ ଟିକିଏ ଦେଖି ଦେଇ ଚାଲିଆସିବ । ପୁଅ ୟା’ ଭିତରେ ବାରବର୍ଷର ହୋଇଗଲାଣି । କେମିତି ହୋଇଥିବ ସେ ! ପୁଣି ମନରେ ଶଙ୍କା ଆସୁଛି । ମଣିଷମରା ମାଆକୁ ଦେଖିଲେ କ’ଣ ଭାବିବେ ପିଲାମାନେ ? ସାହି ପଡ଼ିଶାଙ୍କ ଛି ଛାକରକୁ ଭୟ ନଥିଲା ତା’ର । କେବଳ ନିଜ ପିଲାମାନଙ୍କୁ ଟିକିଏ ଦେଖିନେବ । ତେଣିକି ଗୌତମ ତାକୁ ଘରେ ରଖିଲେ ରହିବ, ନଚେତ୍‌ ପଳାଇଯିବ କୁଆଡ଼େ ହେଲେ । ବସରେ ଯିବା ବେଳେ ଏମିତି ନାନା କଥା ଭାବୁ ଭାବୁ ଗାଁରେ ପହଞ୍ଚିଗଲା ଅହଲ୍ୟା । କେତେ ବଦଳିଗଲାଣି ଏ ଦୁନିଆ ! ତା’ ଗାଁ ବି ଛୋଟିଆ ବଜାରଟେ ହୋଇଗଲାଣି । ଚିହ୍ନି ଚିହ୍ନି ଘର ପାଖରେ ପହଞ୍ଚିଲା ବେଳକୁ ଘର ସାମ୍ନାରେ ପୁଲିସଗାଡ଼ି । ଗାଁଟା ଯାକ ଲୋକ ଗଦା ହୋଇଛନ୍ତି । ଚମକି ପଡ଼ିଲା ଅହଲ୍ୟା । ସିଏତ ଜେଲ୍‍ରୁ ଖସି ପଳାଇ ଆସିନି । ତା’ହେଲେ ପୁଲିସ କାହିଁକି ତା’ ଦୁଆରେ !

 

ଅହଲ୍ୟାକୁ ଦେଖି ଗାଁ ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ । କିଏ ଭାବିଥିଲା କି ଅହଲ୍ୟା ଫେରିଆସିବ ବୋଲି ! କାହାକୁ ନ ଚାହିଁ ଘର ଭିତରକୁ ଅହଲ୍ୟା ପଶିଗଲା ବେଳକୁ ଭିତରପଟୁ ପିଲାଟିଏକୁ ପୁଲିସ ଭିଡ଼ିଆଣୁଛନ୍ତି । ଆରେ ! ଆରେ ! ଇଏ କ’ଣ ? ଅହଲ୍ୟା ଜାଣିଲା ଏଇ ହିଁ ତା’ର ପୁଅ । କେହି ଜଣେ ଚିହ୍ନାଇ ଦେବାରୁ ପୁଲିସ ହାତରୁ ଖସିଆସି ତାକୁ କୁଣ୍ଢାଇ ପକାଇଲା ପୁଅ । ‘‘ଠିକ୍‌ ହେଲା, ବୁଢ଼ୀକୁ ମାରିଦେଲି ଭଲ ହେଲା । ହେଇ ମୋ ବୋଉ ଆସିଗଲାରେ’ ବୋଲି ପିଲାଟି ପାଟି କଲାବେଳକୁ ପୁଲିସ ତାକୁ ଭିଡ଼ିନେଲା । ନଥ୍‌ କିନା ବସିପଡ଼ିଲା ଅହଲ୍ୟା ।

 

ପୁଅଟିକୁ ମଣିଷମରାର ପିଲାବୋଲି ଗାଁରେ କେହି କେହି ଚିଡ଼ାଉଥିଲେ । ଅହଲ୍ୟା ଆଉ ଆସିବନି, ମାଆକୁ ପିଲା ଦେଖି ପାରିବନି ବୋଲି ଲୋକେ କହୁଥିଲେ । ଦୁଇଦିନ ତଳେ ଗାଁରେ ଜଣେ ବୁଢ଼ାଲୋକ ପୁଅଟିକୁ ଥଟ୍ଟାରେ କହିଦେଲେ ‘‘ତତେ ପୁଅ କରିବାକୁ ତୋ ବୋଉ ପୁଅ ପିଲାଟେ ବଳି ପକାଇଦେଲା । ତୋ ବୋଉକୁ ଜେଲ୍‍ରୁ କାଢ଼ିବାକୁ ତୁ ମାଇକିନାଟେ ମାରିଦେଉନୁ-!’’ ବାସ୍‌ । ବାରବର୍ଷର ପିଲାମୁଣ୍ଡକୁ ଏକଥା ସତଭଳି ମନେହେଲା । ଆଜି ମଉକା ଦେଖି ନିଜ ଜେଜେମାଆ ଶୋଇଥିବା ବେଳେ ପଥରରେ ଛେଚି ଦେଇଛି ସେ । ଆଃ ! ଅହଲ୍ୟା ପୁଣିଥରେ ପଥର ପାଲଟି ଯାଉଥିଲା ।

Image

 

କୁହୁଡ଼ି

 

ଦ୍ୱି-ପ୍ରହର ଭୋଜନ ଲାଗି ସରୋଜ, ଘରକୁ ଆସିବାବେଳେ ଲକ୍ଷ୍ୟ କଲା ତା’ ପଡ଼ୋଶୀଙ୍କ ଘରେ କେମିତି ଏକ ଖାଁ ଖାଁ ନୀରବତା ଲାଗି ରହିଛି । ସବୁବେଳେ ପଡ଼ୋଶୀଙ୍କ ପତ୍ନୀ ଗଜର ଗଜର ହେଉଥିବେ ତାଙ୍କ ସ୍ଵାମୀଙ୍କ ଉପରେ । ଏପରିକି ପଡ଼ୋଶୀ ନଥିବା ବେଳେ ମଧ୍ୟ ପଡ଼ୋଶିନୀଙ୍କ ତୁଣ୍ଡରେ ଅନ୍ୟ କିଛି ନଥିବ, ସ୍ଵାମୀ, ସ୍ୱାମୀଙ୍କ ବୋଉ, ବାପା କି ଭଉଣୀଙ୍କ ଗୋହି ଖୋଳିବା ବ୍ୟତୀତ । ତେଣୁ ଆଜି ହଠାତ୍‍ ତାଙ୍କ ନୀରବତା ସରୋଜକୁ ଆଶ୍ଚର୍ଯ୍ୟାନ୍ୱିତ କରିବା ସ୍ଵାଭାବିକ । ଅବଶ୍ୟ ପଡ଼ୋଶୀଙ୍କ ଘର କଥାରେ ମୁଣ୍ଡ ପୂରାଇ କିଛି ଲାଭ ନାହିଁ । ସରୋଜ ତେଣୁ ନିଜ କାମରେ ମନ ଦେଲା । ଗ୍ୟାସ୍‌ ଉପରେ ତରକାରୀ ଓ ଡାଲି ବସାଇ କିଛି ସମୟ ଗରମ କରିନେଲା ଏବଂ ବସିପଡ଼ିଲା ଭୋଜନରେ । ସେତେବେଳକୁ ପ୍ରବଳ ଭୋକ ଲାଗିଲାଣି । ଅତଏବ ପାଟିକୁ ଭାତ ନେଉ ନେଉ ଥାଳି ସଫା । ତରବରରେ ବାସନ ଦି’ଖଣ୍ଡ ମାଜି ଦେଇ ପୁନର୍ବାର ଅଫିସ୍‌ ବାହାରିଲା ବେଳକୁ ଦୁଆର ମୁହଁରେ ଛିଡ଼ା ହେଲେ ପଡ଼ୋଶିନୀ । ସରୋଜ ଚମକି ପଡ଼ିଲା-। ପଡ଼ୋଶିନୀତ ତା’ ସହିତ ବିଶେଷ କଥାବାର୍ତ୍ତା କରନ୍ତି ନାହିଁ, ଆଜି ଦୁଆର ମୁହଁରେ ଆସି ଛିଡ଼ା ହେବାଟା ଆଶ୍ଚର୍ଯ୍ୟ କଥା ନୁହେଁ କି ! ସେ କିଛି ପଚାରିବା ପୂର୍ବରୁ ପଡ଼ୋଶିନୀ ଆଗ ପଚାରିଲେ ‘‘ଭାଇରେ ! ଆଜି ତମ ଘରକୁ କିଏ ସବୁ ଆସଥିଲେ ?’’

 

ଆଶ୍ଚର୍ଯ୍ୟ ହେଲା ସରୋଜ ! ଏକାଥରକେ ‘‘ଭାଇରେ’ ସମ୍ବୋଧନ ! ସତେ ଅବା ଏକା ମାଆ ଗର୍ଭରୁ ଜନ୍ମ । ତେବେ ଉପରକୁ କିଛି ପ୍ରତିକ୍ରିୟା ପ୍ରକାଶ ନକରି କହିଲା, ‘‘ନାଇଁ ତ ? ମୁଁ ତ ଆଠଟା ପର୍ଯ୍ୟନ୍ତ ସକାଳେ ଥିଲି, ତା’ପରେ ଅଫିସ୍‌ ଯାଇଥିଲି ଯେ, ଏବେ ଖାଇବାକୁ ଆସିଲି । କାହିଁ, କ’ଣ ହେଲା କି ? ଏମିତି କାହିଁକି ପଚାରିଲେ ?’’

 

ଏଥର ପଡ଼ୋଶିନୀ ଭାଙ୍ଗିପଡ଼ିବା ସ୍ଵରରେ କହିଚାଲିଲେ । ଯେ, ଆଜି ସକାଳେ ତାଙ୍କ ଆଲମିରାରୁ କିଛି ସୁନା ଗହଣା ଚୋରୀ ଯାଇଛି । ଖୋଜି ଖୋଜି ପାଉ ନାହାଁନ୍ତି । ସେଥିପାଇଁ ସରୋଜକୁ ପଚାରୁଥିଲେ ।

 

ସରୋଜ ବିସ୍ମିତ ହେଲା । ଦୁଇ ମହଲା ଉପରୁ ଜଣେ ଲୋକର ଶୋଇବା ଘର ଭିତର ଆଲମିରାରୁ ସୁନାଗହଣା ଚୋରୀହେବା, ତା’ପୁଣି ଦିନ ବେଳଟାରେ, କ’ଣ ସମ୍ଭବ ! ସରୋଜ ପଚାରିଲା, ‘‘ଆପଣ ଆଲମିରା ଲକ୍‌ କରି ନଥିଲେ କି ?’

 

‘‘କରିଥିଲି ଯେ ଚାବିଟିକୁ ସେଇ ପାଖରେ ହିଁ ଝୁଲାଇ ଦେଇଥିଲି । ପ୍ରଥମେ ଖୋଲା ଆଲମିରା ଦେଖି ଭାବିଲି, ଆପଣଙ୍କ ଭାଇ (ଅର୍ଥାତ୍‌ ପଡ଼ୋଶୀ ଖୋଦ୍‌) ଖୋଲିଥିବେ । କିନ୍ତୁ ତାଙ୍କୁ ପଚାରିବାରୁ ସେ ଜାଣିନାହାଁନ୍ତି ବୋଲି କହିଲେ । ସନ୍ଦେହରେ ଦେଖିଲା ବେଳକୁ ସୁନାଗହଣାତକ ହଡପ୍‌ । କିନ୍ତୁ ନଗଦ ଟଙ୍କା ସେମିତି ଅଛି ।’’

 

ବଡ଼ ଆଶ୍ଚର୍ଯ୍ୟ ଲାଗିଲା ସରୋଜକୁ । ଯଦି କିଏ ଚୋରୀ କରିଛି, ତା’ହେଲେ ଟଙ୍କାରେ ହାତ ନମାରି ଗହଣା ଥାକରେ ହାତ ମାରିଲା ? ଗହଣା ତ କୋଉଁଠି ବିକିଲା ବେଳେ ଧରାପଡ଼ିବାର ସମ୍ଭାବନା ଅଛି । ଟଙ୍କାରେ ତ ସେ ବିପଦ ନାହିଁ । ତା’ଛଡ଼ା ଆଲମିରାରୁ ଚୋରୀ ହୋଇଛି ମାନେ, ଘର ଭିତରଟା ସହିତ ପରିଚିତ ଲୋକ ହିଁ ଚୋରୀ କରିଥିବ । ନଚେତ୍‌ ଦିନ ବେଳଟାରେ ଅପରିଚିତ ଲୋକର ଏତେବଡ଼ ସାହସ ହେବ କି ? ଏଠି ତ ପଡ଼ୋଶିନୀଙ୍କ ଘର ସହିତ ଅତି ପରିଚିତ କହିଲେ ମାତ୍ର ତିନି ଜଣଙ୍କୁ ବୁଝାଉଛି–ସରୋଜ ନିଜେ ଏବଂ ପଡ଼ୋଶୀ ଓ ପଡ଼ୋଶିନୀ । ତେବେ ପଡ଼ୋଶିନୀ କ’ଣ ଏ ଚୋରୀ ପାଇଁ ତାକୁ ସନ୍ଦେହ କରୁଛନ୍ତି ? ମନ କଥା ମନରେ ରଖି ପଚାରିଲା ସେ ‘‘ଘର ଭିତରୁ ଏମିତି ଚୋରୀ ହୋଇଛି ମାନେ ପରିଚିତ ଲୋକଟିଏ ହିଁ ତାହା କରିଥାଇପାରେ । ଆପଣ କାହାକୁ ସନ୍ଦେହ କରୁଛନ୍ତି ?’’

 

ପଡ଼ୋଶିନୀଙ୍କ ଉତ୍ତର ଶୁଣି ସେ ସାମାନ୍ୟ ଆଶ୍ଵସ୍ତ ହେଲା । ପଡ଼ୋଶିନୀ, ତାଙ୍କ ଘର ମାଲିକଙ୍କ ପୁଅ ଓ ସାମ୍‌ନା ଘରର ଚାକର ଉପରେ ସନ୍ଦେହ କରୁଛନ୍ତି । ଉଭୟଙ୍କୁ ସନ୍ଦେହ କରିବା ପଛରେ ତାଙ୍କର ଯୁକ୍ତି ମଧ୍ୟ ରହିଛି । ଘର ମାଲିକଙ୍କ କଲେଜ ପଢ଼ୁଆ ପୁଅ କୁଆଡ଼େ ସବୁବେଳେ ପଡ଼ୋଶିନୀଙ୍କୁ ସନ୍ଦେହପୂର୍ଣ୍ଣ ଦୃଷ୍ଟିରେ ଚାହିଁଥାଏ । ଆଉ ସାମ୍‌ନା ଘରର ଚାକର, ପଡ଼ୋଶିନୀଙ୍କ ଶୋଇବା ଘରକୁ ନିଜ ଘରର ବାଲ୍‌କୋନୀରୁ ଅନାଇ ରହିଥାଏ । ଆଲମିରାଟି ସାମ୍‌ନା ଘରର ବାଲ୍‌କୋନୀକୁ ସ୍ପଷ୍ଟ ଦେଖାଯାଉଛି ।

 

ସରୋଜ ବହୁତ ସମୟ ହେଲା ଅଫିସ୍‍ରୁ ଆସିଲାଣି । ସିଆଡ଼େ ମାଲିକ ଯଦି ଆସିଯାଇଥିବେ ଭୀଷଣ ବିରକ୍ତ ହେଉଥିବେ ତା’ଉପରେ । ତେଣୁ ପଡ଼ୋଶିନୀଙ୍କ ସହିତ ଆଉ ବିଶେଷ କିଛି କଥାବାର୍ତ୍ତା ନକରି ଫେରିଗଲା ଅଫିସ୍‍କୁ ।

 

ସନ୍ଧ୍ୟାରେ ଅଫିସ୍‌ରୁ ଫେରିଲାପରେ ସୌଜନ୍ୟ ଦୃଷ୍ଟିରୁ ସରୋଜ ପୁଣି ପଚାରିଲା ପଡ଼ୋଶିନୀଙ୍କୁ ‘‘ଆଜ୍ଞା ! କିଛି ଜଣାପଡ଼ିଲା କି ?’’

 

ପଡ଼ୋଶିନୀ ମନା କଲେ । ସେଇ ଦିନଠାରୁ ବେଶ୍‌ କିଛିଦିନ ପର୍ଯ୍ୟନ୍ତ ବିଭିନ୍ନ ଆଡ଼େ ଧାଁ ଦୌଡ଼ କଲେ ପଡ଼ୋଶୀଙ୍କ ପତ୍ନୀ । କିଏ ଖଟ ବୁଲାଉଛି ତ କିଏ ନଖଦର୍ପଣ ଦେଖୁଛି । କିଏ ଆଗତ ଭବିଷ୍ୟତ କହୁଛି । ସବୁଆଡ଼େ କିନ୍ତୁ ଆଶାର ଝଲକ ମିଳୁନି । ଏଣିକି ଅଧିକାଂଶ ସନ୍ଧ୍ୟାରେ ପଡ଼ୋଶିନୀଙ୍କ ଗୋଟିଏ ଜିଦ୍‌–ଯେମିତି ହେଲେ ବି ମାସଶେଷ ସୁଦ୍ଧା ଘର ଛାଡ଼ିଦେବେ । ଘରୁ ଚୋରୀ ହେଲା, ପୁଣି ଚୋରୀ କରିଛି ସାମ୍‌ନା ଘରର ଚାକର ନଚେତ ଘରବାଲାଙ୍କ ପୁଅ । ପଡ଼ୋଶିନୀଙ୍କ ବଦ୍ଧମୂଳ ଧାରଣା ଯେ ସେ ଦୁଇଜଣଙ୍କ ଭିତରୁ କେହି ଜଣେ ହିଁ ଚୋରୀ କରିଛି । ବେଳେ ବେଳେ ସରୋଜ ମନରେ ଶଙ୍କା ପଶେ–ପଡ଼ୋଶିନୀ ତାକୁ କ’ଣ ସନ୍ଦେହ କରୁନାହାଁନ୍ତି ? କେଜାଣି କରୁଥିବେ କି । ତାକୁ ସିନା କହିପାରିବେନି, ଅନ୍ୟ କାହାକୁ କହୁଥାଇପାରନ୍ତି । ଘରବାଲାଙ୍କ ପୁଅକୁ ସନ୍ଦେହ କରୁଛନ୍ତି ବୋଲି ସରୋଜକୁ ଯେମିତି ପଡ଼ୋଶିନୀ କହୁଛନ୍ତି ; ସେମିତି ଘରବାଲାଙ୍କ ସ୍ତ୍ରୀଙ୍କ ସହିତ କଥା ହେଉଥିବା ବେଳେ ସରୋଜକୁ ସନ୍ଦେହ କରୁଛନ୍ତି ବୋଲି ବା କହୁନଥିବେ କାହିଁକି ? ଯାହା ହେଲେବି ପଡ଼ୋଶିନୀଙ୍କ ସବୁଠୁ ନିକଟତମ ପଡ଼ୋଶୀ ହେଲା ସରୋଜ । ଘରବାଲା ତ ତଳ ମହଲାରେ ରହୁଛନ୍ତି ।

 

ନିଜ ମନକୁ ବୁଝାଇବା ପାଇଁ ସରୋଜ ଦିନେ ଘରବାଲାଙ୍କୁ ବାଁରେଇ ହୋଇ ପଚାରିଲା-। ଏପରିକି କହିଦେଲା ଯେ, ପଡ଼ୋଶିନୀ ଯଦି ସାମ୍‌ନାଘର ଚାକରକୁ ସନ୍ଦେହ କରିପାରିଲେ ନିଜ ନିକଟତମ ପଡ଼ୋଶୀ ସରୋଜକୁ କିଆଁ ସନ୍ଦେହ କରୁନଥିବେ । କିନ୍ତୁ ଘରବାଲାଙ୍କ କଥା ଶୁଣି ଆଶ୍ଵସ୍ତ ହେଲା ସେ । ପଡ଼ୋଶିନୀ କୁଆଡ଼େ ତାକୁ ଢେର୍‌ ସମ୍ମାନ ଦିଅନ୍ତି । ଘର ମାଲିକାଣୀଙ୍କ ନିକଟରେ ଉଚ୍ଚ ପ୍ରଶଂସା କରନ୍ତି ।

 

ୟା’ ଭିତରେ କିଛି ଦିନ ବିତିଗଲା । ସେ ମାସରେ ଆଉ ପଡ଼ୋଶୀ ଘର ଛାଡ଼ିପାରିଲେନି । ଅନ୍ୟ ଘର ତ ମିଳିଲାନି । ଇତି ମଧ୍ୟରେ ବିଭିନ୍ନ ଗୁଣି ଗାରେଡ଼ି ହସ୍ତରେଖା ଦେଖା ଆଦି କାମରେ ପଡ଼ୋଶିନୀଙ୍କୁ ଘରର ମାଲିକାଣୀ ସାହାଯ୍ୟ କରୁଥାଆନ୍ତି । ଦୁହେଁ ଏକାଠି ବିଭିନ୍ନ ସ୍ଥାନକୁ ଯାଉଥାଆନ୍ତି । ତେବେ କୌଣସି ମତେ ମାଲିକାଣୀ ଜାଣିପାରିଲେ ଯେ, ଚୋରୀ ପାଇଁ ସନ୍ଦେହ ତାଲିକାରେ ତାଙ୍କ ପୁଅ ବି ଅଛି । ବେଶ୍‌ କଷ୍ଟ ଲାଗିଲା ତାଙ୍କୁ । ଏଣିକି ସେ ଆଉ ବିଶେଷ ମିଳାମିଶା ମଧ୍ୟ କଲେ ନାହିଁ ସରୋଜର ପଡ଼ୋଶିନୀଙ୍କ ସହିତ । ନିଜ ଘର ହୋଇ ମଧ୍ୟ ଘରବାଲାଙ୍କ ପୁଅ ଆଉ ଉପର ମହଲା ଆଡ଼େ କି ଛାତଆଡ଼େ ଆସିଲା ନାହିଁ । ଶେଷରେ ପଡ଼ୋଶୀଙ୍କୁ ଅନ୍ୟ ଏକ ଭଡ଼ାଘର ମିଳିଲା । ସେଇ ମାସରେ ତେଣୁ ଘର ଛାଡ଼ିଦେବେ ବୋଲି ଘରବାଲାଙ୍କୁ ଜଣାଇଦେଲେ ।

 

ହେଲେ ଘର ଛାଡ଼ିବାର ସପ୍ତାହକ ପୂର୍ବରୁ ଘଟିଲା ଚମକପ୍ରଦ ଘଟଣାଟିଏ । ଦିନେ ରାତି ଅଧରେ ଏକ ପୁଲିସ ଜିପ୍‌ ଆସି ଲାଗିଲା ସରୋଜ ଘର ସାମ୍‍ନାରେ । ତଳ ମହଲାରେ ରହୁଥିବା ଘରବାଲାଙ୍କୁ ଉଠାଇଲେ ପୁଲିସ ଏବଂ ଘରବାଲା ଡାକ ପକାଇଲାରୁ ନିଦ ଭାଙ୍ଗିଗଲା ସରୋଜ ଓ ତା’ ପଡ଼ୋଶୀଙ୍କର । ପୁଲିସ ଆସିଛି ଶୁଣି ତରବରରେ ଉଭୟେ ତଳକୁ ଗଲେ । କିଏ କ’ଣ କଲା ଯେ, ଏତେ ରାତିରେ ଦୁଆରେ ଆସି ପୁଲିସ ଗାଡ଼ି ଲାଗିଲାଣି ?

 

ତଳକୁ ଗଲାରୁ ସେମାନଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଘଟଣା ଅପେକ୍ଷା କରିଥିଲା । ପୁଲିସ ସହିତ ୮/୧୦ ବର୍ଷ ବୟସର ପିଲା ତିନିଟି ଥାଆନ୍ତି । ସେମାନେ ହିଁ ସରୋଜର ପଡ଼ୋଶୀଙ୍କ ଆଲମିରାରୁ ସୁନା ଗହଣା ଚୋରୀ କରିଥିବା ପୁଲିସକୁ ଜଣାଇଥିଲେ । ଅନ୍ୟ ଏକ ଚୋରୀ ଘଟଣାରେ ଧରାପଡ଼ିବା ପରେ, ଜେରା ବେଳେ, କେଉଁଠୁ କ’ଣ ଚୋରୀ କରିଛନ୍ତି କହିଲେ । ସେମାନଙ୍କୁ ଧରି ପୋଲିସ ଆସିଥିଲେ ଏଠିକୁ । ବୁଝୁବୁଝୁ ପିଲାଏ କହିଲେ ଯେ, ଜରି ଗୋଟାଇବା ଲାଗି ବୁଲୁଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ସରୋଜ ଘରର ଉପର ମହଲାକୁ ଚାଲିଯାଇଥିଲା । ପଡ଼ୋଶିନୀ ସେ ସମୟରେ ରୋଷେଇ ଘରେ ଥାଆନ୍ତି । ଏଇଟାକୁ ମଉକା ଭାବି ପିଲାଟି ପଡ଼ୋଶୀଙ୍କ ଶୋଇବା ଘରେ ପଶିଗଲା । ଆଲମିରା ପାଖରେ ଚାବି ପାଇ ଲୋଭରେ ଆଲମିରା ଖୋଲିଛି ଏବଂ ଗହଣାତକ ଉଠାଇ ନେଇଛି ।

 

ଏତେଦିନ ପରେ ପଡ଼ୋଶୀ ଆଶ୍ୱସ୍ତ ହେଲେ । ଘରବାଲା ଏବଂ ସରୋଜ ମଧ୍ୟ । ସେପଟେ ପଡ଼ୋଶିନୀ ଛାତ ଉପରେ ସ୍ୱାମୀଙ୍କୁ ଅପେକ୍ଷା କରିଥାଆନ୍ତି । ବିଳମ୍ବ ହେବାରୁ ସେ ମଧ୍ୟ ତଳକୁ ଆସିଲେ ଓ ସମସ୍ତ କଥା ଜାଣିଲେ । ତେବେ ସେ ଯେତିକି ଖୁସି ହେବା କଥା, ସେତିକି ନହେଲା ଭଳି ସରୋଜକୁ ମନେ ହେଲା । ବିସ୍ମୟର ସୀମା ବି ରହିଲାନି । ରାତି ବେଶି ହୋଇଯାଇଥିବାରୁ ସରୋଜ ଚାଲିଗଲା ନିଜ ଘରକୁ । ପରଦିନ ସକାଳୁ ପଡ଼ୋଶୀଙ୍କୁ ପଚାରିଲା, ‘‘କାଲି ଗହଣା ମିଳିଗଲା, ଯାହାହେଉ ଆପଣ ଭାଗ୍ୟ କରିଥିଲେ । କିନ୍ତୁ ଭାଉଜ ତ କାଇଁ ଗହଣା ମିଳିବାରେ ଖୁସିଥିବା ଭଳି ଲାଗୁ ନାହାଁନ୍ତି ।

 

ପଡ଼ୋଶୀ କହିଲେ, ‘‘କାଲି ରାତିର ସେଇ ମୁହୂର୍ତ୍ତରୁ ଇଏ ଭିତରେ ଭିତରେ ସନ୍ତୁଳି ହଉଛି । ଚୋରୀ କଲେ ଜରି ଗୋଟାଇବା ପିଲା, ଇଏ ଅଯଥାରେ ସନ୍ଦେହ କଲା ଅନ୍ୟମାନଙ୍କୁ । ତାକୁ ବେଶି ଖରାପ ଲାଗୁଛି ଯେ, ଘରବାଲାଙ୍କ ପୁଅକୁ ସନ୍ଦେହ କରୁଥିବା କଥା ଘରବାଲା ଜାଣି ପକାଇଥିଲେ । ଏବେ କୋଉ ମୁହଁରେ ସେମାନଙ୍କ ସାମ୍‌ନାକୁ ଯିବ ?’’

 

ସେହି ସପ୍ତାହରେ ପଡ଼ୋଶୀ ଘର ଛାଡ଼ିଲେ । ଯିବା ପୂର୍ବରୁ ପଡ଼ୋଶିନୀ, ଘରବାଲାଙ୍କ ପୁଅକୁ କେବଳ ବଲବଲ କରି ଚାହିଁଥିଲେ । ସତେ ଅବା କ୍ଷମା ମାଗୁଥିଲେ ମନ ଭିତରେ, କିନ୍ତୁ ମୁହଁଲାଜରୁ ଖୋଲିକି କହିପାରୁ ନଥିଲେ ।

Image

 

Unknown

ଭାଉଜ

 

ପାଟିତୁଣ୍ଡ ଶୁଣି ସରୋଜର ନିଦ ହଠାତ୍‍ ଭଙ୍ଗିଗଲା । ପଡ଼ୋଶୀ ରମେଶ ଭାଇଙ୍କ ଘରୁ ପାଟିଶୁଭୁଛି । କାନ୍ଥ ଘଣ୍ଟାକୁ ଚାହିଁଲା ସରୋଜ । ତିନିଟା ବାଜିଲାଣି । ଏ ଦ୍ୱିପହରରେ ରମେଶ ଭାଇ ଅଫିସରେ ନରହି ଏଠି ଘରେ କେମିତି ? ଭାଉଜଙ୍କ ବିକଳ ଚିତ୍କାର ଶୁଭୁଛି । ରମେଶ ଭାଇ ତାଙ୍କୁ ବାଡ଼ଉଛନ୍ତି । ଛୋଟ ଛୋଟ ପିଲା ଦି’ଟାଙ୍କ କାନ୍ଦ ମଧ୍ୟ ଶୁଭୁଛି । ଭୟରେ ଛାନିଆ ହୋଇଯାଇଥିବେ ସେମାନେ ।

 

ରମେଶ ଭାଇ ଏମିତି କାହିଁକି ହୁଅନ୍ତି ବୁଝିପାରେନି ସରୋଜ । ବାହାରକୁ ବେଶ୍‍ ଭଦ୍ର । ମାର୍ଜିତ କଥାବାର୍ତ୍ତା । ସାହିପଡ଼ିଶାଙ୍କ ସୁଖଦୁଃଖରେ ଭାଗୀ ହୁଅନ୍ତି । ଭଲମନ୍ଦରେ ସମସ୍ତଙ୍କୁ ସାହାଯ୍ୟ କରନ୍ତି । ଭାଉଜ ମଧ୍ୟ ବେଶ୍‌ ଭଲ । ଅଥଚ ଉଭୟଙ୍କ ମଧ୍ୟରେ ଅଧିକାଂଶ ଦିନ ଗଣ୍ଡଗୋଳ, ମାଡ଼ପିଟ । ଭାଉଜ ଯେଭଳି ଚିତ୍କାର କରନ୍ତି, ମନେହୁଏ ରମେଶ ଭାଇ ତାଙ୍କୁ ଭୀଷଣ ମାଡ଼ ମାରୁଛନ୍ତି । ଭାଉଜଙ୍କ ବିକଳ ଚିତ୍କାର ବେଳେବେଳେ ସହି ହୁଏନାହିଁ । ଦଉଡ଼ି ଯାଇ ରମେଶଭାଇଙ୍କୁ ଅଟକାଇବାକୁ ମନହୁଏ ସରୋଜର । କିନ୍ତୁ ଯାଇପାରେ ନାହିଁ । ସବୁଦିନ ଏମିତି ମାଡ଼ପିଟ ହେଲେ କେତେ କିଏ ଭଙ୍ଗେଇବ ?

 

ସରୋଜ ନୂଆ ନୂଆ ଏ ଘରକୁ ଆସିବାବେଳେ ପ୍ରଥମେ ରମେଶ ଭାଇ ଓ ଭାଉଜ ଆସି ସଙ୍ଖୋଳିଥିଲେ । ସୁବିଧା ଅସୁବିଧାରେ ଲାଜ ନକରି ଯାହା ସାହାଯ୍ୟ ସହଯୋଗ ଦରକାର, ଜଣାଇବାକୁ କହିଥିଲେ । କିନ୍ତୁ ବ୍ୟାଚଲର ସରୋଜର ପୁଣି କି ସାହାଯ୍ୟ ଦରକାର ? ଛୋଟ ଗ୍ୟାସ ଚୁଲାଟେ ରଖିଛି । ଇଚ୍ଛା ହେଲେ ଦି’ମୁଠା ଫୁଟେଇ ଖାଉଛି ନଚେତ୍‌ ହୋଟେଲକୁ ଦୌଡ଼ୁଛି । ସିଭିଲ ସର୍ଭିସ ଲାଗି ପଢ଼ାପଢ଼ି ଚାଲିଥିବାରୁ ଅଧିକାଂଶ ସମୟ ଘର ଭିତରେ ରହୁଛି । ତେଣୁ ସାହାଯ୍ୟ ବା କି ଦରକାର । ତେବେ ସଂଧ୍ୟାବେଳେ ରମେଶ ଭାଇ ପ୍ରାୟତଃ ଚା’ପିଇବାକୁ ଡାକନ୍ତି । ସେତିକିବେଳେ ଯାହା ଭାଇ ଭାଉଜଙ୍କ ସହ ସରୋଜର କିଛି ସମୟ କଥାବାର୍ତ୍ତା । ଅନ୍ୟବେଳେ ଯିଏ ଯାହା ଘରେ ।

 

ନୂଆ ନୂଆ ଆସିବାବେଳେ ରମେଶ ଭାଇଙ୍କ ଘରର ଗଣ୍ତଗୋଳ ଶୁଣି ସରୋଜକୁ ଅଡ଼ୁଆ ଲାଗୁଥିଲା । ଚା’ ପିଆବେଳେ ଭାଇ, ଭାଉଜ ଯେତେ ଅନ୍ତରଙ୍ଗତାର ସହ କଥାବାର୍ତ୍ତା ହୁଅନ୍ତି, ସରୋଜର ମନେହୁଏନି ଯେ ସେମାନଙ୍କ ମଧ୍ୟରେ କିଛି ମନାନ୍ତର ଥିବ । କିନ୍ତୁ ପ୍ରାୟ ପତ୍ୟେକ ଦିନ ଏମିତି ଘଟେ । କେବଳ ଛୁଟିଦିନଗୁଡ଼ିକରେ ତାଙ୍କ ଘରେ ଶାନ୍ତି ରହୁଥିବା ଭଳି ମନେହୁଏ । ରମେଶ ଭାଇ ଅଫିସ୍‍ରୁ ଫେରିଲେ ବୋଧହୁଏ ଅଧିକାଂଶ ଦିନ ଭାଉଜଙ୍କୁ ମାଡ଼ ଦିଅନ୍ତି । କ’ଣ ଏମିତି ଘଟଣା ଘଟେ ଯେ, ରମେଶ ଭାଇ ଅଫିସ୍‍ରୁ ଫେରିଲେ, ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଛି ? ସରୋଜ ମନେମନେ ଆଶ୍ଚର୍ଯ୍ୟ ହୁଏ । ନୂଆନୂଆ ଦିନାକେତେ ସେମାନଙ୍କ ଗଣ୍ଡଗୋଳରେ ହସ୍ତକ୍ଷେପ କରିବାକୁ ସରୋଜ ଧାଇଁ ଯାଉଥିଲା । ଭାଉଜଙ୍କ ବିକଳ ଚିତ୍କାର ଶୁଣି ତାକୁ ଲାଗୁଥିଲା ସତେ ଅବା ରମେଶ ଭାଇ ପିଟିପିଟି ଭାଉଜଙ୍କୁ ମାରି ପକାଇବେ । ସରୋଜ ତାଙ୍କ ଘରେ ପହଞ୍ଚିଗଲେ, ରମେଶ ଭାଇ ଗୁମ୍‌ ହୋଇ ଚଉକି ଉପରେ ବସି ପଡ଼ୁଥିଲେ । ଭାଉଜ କିଛି ନଘଟିଲା ଭଳି ଘର ଭିତରକୁ ପଳାଇ ଯାଉଥିଲେ । ପୁଣି ଦୁଇ ଚାରି ମିନିଟ ପରେ ଭିତରୁ ମୁହଁ ଧୋଇ ବାହାରି ଆସୁଥିଲେ ଓ ହସହସ ମୁହଁରେ ଚା’ ପିଇବା କଥା ପଚାରୁଥିଲେ । ଭାଇ ମଧ୍ୟ ସେତେବେଳେକୁ ଥଣ୍ଡା ପଡ଼ି ଯାଉଥିଲେ ଓ ବେଶ୍‌ ସ୍ଵାଭାବିକ ଭାବେ କଥା ହେଉଥିଲେ-। ସତେ ଯେମିତି କିଛି ଘଟିନାହିଁ । ଏଇ କିଛି ମୁହୂର୍ତ୍ତ ପୂର୍ବରୁ ପଡ଼ିଶା ଘରେ ଝଡ଼ ବହିଗଲା ଭଳି ଅନୁଭବ କରିଥିବା ସରୋଜ, ହଠାତ୍‍ ଏମାନଙ୍କ ରଙ୍ଗବଦଳା ଦେଖି ନୂଆନୂଆ ବିସ୍ମିତ ହେଉଥିଲା । ଧୀରେଧୀରେ ସବୁ ଦେହସୁହା ହୋଇଗଲା । ଆଜିକାଲି ଆଉ ସେମାନଙ୍କ ମାଡ଼ପିଟ ସରୋଜ ମନରେ ବିଶେଷ ତରଙ୍ଗ ସୃଷ୍ଟି କରୁନାହିଁ । ତେବେ ସବୁଦିନ ଏମିତି କେଉଁ କାରଣରୁ ସେମାନେ ଗଣ୍ଡଗୋଳ କରୁଛନ୍ତି ତା’ ଜାଣିବାକୁ ସରୋଜ ଆଗ୍ରହୀ ହୋଇପଡ଼େ । କିନ୍ତୁ କାହାକୁ ପଚାରିବ ? ଭାଇ ଭାଉଜଙ୍କୁ ପଚାରିବାର ସାହସ କରିପାରେ ନାହିଁ । ପରଘର କଥାରେ ମୁଣ୍ତ ପୁରାଉଛି ବୋଲି କାଳେ କହିଦେବେ ?

 

ସେପଟୁ ଭାଉଜଙ୍କ ବିକଳ କାନ୍ଦଣା ପୁଣି ଶୁଭିଲା । ପିଲା ଦି’ଟାବି ଜୋରରେ ରାହା ଧରିଛନ୍ତି । ରମେଶ ଭାଇଙ୍କ ଚିତ୍କାର ଶୁଭୁଛି । କ’ଣ କହୁଛନ୍ତି ଜାଣିବା ପାଇଁ ସରୋଜ ଝରକା ପାଖକୁ ଯାଇ କାନେଇଲ । ରମେଶ ଭାଇ କହୁଛନ୍ତି, ‘‘ସବୁଦିନ ଏମିତି ପାଲା ଚାଲିଥିବ ନା କ’ଣ ? ଯେତେ ମନାକଲେ ବି ପ୍ରକୃତି ଛାଡ଼ୁନ । ସେଠି ଯଦି ମନଥିଲା, କିଏ ଆସିବାକୁ କହୁଥିଲା ? ଏବେବି ଯଦି ଯିବାକୁ ମନଅଛି, ଯା’ ପଳା । କିନ୍ତୁ ଏଘର ସେଘର ହେଲେ ଚଳିବନି । ସଫା ସଫା କହି ଦଉଛି, ସେମିତି ହେଲେ ପିଟିପିଟି ମାରି ପକେଇବି ।’’

 

ଚମକି ପଡ଼ିଲା ସରୋଜ । ଭାଉଜଙ୍କ କାନ୍ଦଣାରୁ ତ ମନେ ହେଉଛି, ମାଡ଼ଟା କିଛି କମ୍‌ ଜୋରରେ ହେଉ ନଥିବ । ପିଟିପିଟି ମାରି ଦେବାଟା ଆଉ କେତେ ବାଟ କି ? ଭାଉଜ ବି କ’ଣ ଗୋଟେ କାନ୍ଦୁଣୁ ମାନ୍ଦୁଣୁ ହୋଇ କହୁଛନ୍ତି । କିନ୍ତୁ ଏପଟକୁ ସ୍ପଷ୍ଟ ଶୁଭୁ ନାହିଁ । ରମେଶ ଭାଇ ପୁଣି କହୁଛନ୍ତି, ‘‘ଆଉ ଦିନେ ଯଦି ସେଠିକୁ ଯାଇଥାଅ, ତମର ଦିନେକୁ ମୋର ଦିନେ । ବହୁତ ହୋଇଗଲା । ଆଉ ସମ୍ଭାଳି ହେବନି । ତମ ଲାଗି କ’ଣ ଚାକିରି ଛାଡ଼ି ଘର ଭିତରେ ଜଗିକି ବସିବି-? ଯେତିକି ହେଲା ହେଲା । ଆଉ ନୁହେଁ ।’’

 

ସରୋଜକୁ ଆଉ ଭଲ ଲାଗିଲାନି । ଟ୍ୟାପ ଖୋଲି ମୁହଁ ଧୋଇଲା, ଗ୍ୟାସ ଲଗାଇ ଚା’ ବସାଇଲା । ଆର ମାସରେ ପରୀକ୍ଷା । ଯେତେ ପଢ଼ିଲେ ବି ପାଠ ସରୁନି । ଏବେ ନିଦ ଭାଙ୍ଗିଲାରୁ କିଛି ସମୟ ପଢ଼ିବା କଥା । କିନ୍ତୁ ସେପଟର ପାଟିତୁଣ୍ଡରେ ପାଠପଢ଼ାରେ କ’ଣ ମନ ଲାଗିବ ? ରମେଶ ଭାଇ ଘରକୁ ଯଦି ଚାଲିଯାଆନ୍ତା ତା’ହେଲେ ସେମାନେ ଚୁପ୍‍ ପଡ଼ିଯାନ୍ତେ । କିନ୍ତୁ ଏମିତି କେତେ ଯିବ ? ତାଙ୍କ ଘରକଥାରେ ସିଏ ବା କାହିଁକି ମୁଣ୍ତ ଖେଳାଇବ ? ଚା’ ପିଇଦେଇ ସରୋଜ ସାଇକେଲଟା ଧରି ଛକ ଆଡ଼କୁ ମୁହାଁଇଲା ।

 

ସନ୍ଧ୍ୟାରେ ଫେରିବା ବେଳକୁ ରମେଶ ଭାଇ ଘରେ ସବୁ ସ୍ୱାଭାବିକ । ଭାଇ ବାରଣ୍ଡାରେ ଚୌକି ଉପରେ ବସି କ’ଣ ଗୋଟେ ବହି ପଢ଼ୁଛନ୍ତି । ଭାଉଜ ଫୁଲଗଛ ମୂଳେ ପାଣି ଦେଉଥାନ୍ତି । ସରୋଜ ସାଇକେଲଟା ନିଜ ବସା କାନ୍ଥରେ ଡେରି ଦେଇ ରମେଶ ଭାଇଙ୍କ ପାଖରେ ବସିପଡ଼ିଲା-। ଭାଉଜ ପଚାରିଲେ, ‘‘ଚା’ ପିଇବ ଟିକେ କରିଦେବି କି ?’’ ମନାକଲା ସରୋଜ । ରମେଶ ଭାଇ ୟାଡ଼ୁସ୍ୟାଡ଼ୁ ବିଭିନ୍ନ କଥା ପଚାରିଲେ । ପରୀକ୍ଷା ପ୍ରସ୍ତୁତ କେତେବାଟ ଗଲା ଜାଣିବାକୁ ଚାହିଁଲେ । ସରୋଜ ସବୁ ପ୍ରଶ୍ନର ଉତ୍ତର ଦେଉଥାଏ । କିନ୍ତୁ ମନଥାଏ ସେମାନଙ୍କ ଗଣ୍ଡଗୋଳରେ । ଭାଉଜ ଏମିତି ଲୁଚି ଲୁଚି କୋଉଠିକି ଯାଉଛନ୍ତି ଯେ, ଭାଇ ଅଫିସ୍‍ରୁ ଫେରିଲେ ପାଟିତୁଣ୍ଡ କରୁଛନ୍ତି !

 

ପରଦିନ ରବିବାର । ସରୋଜ ଲକ୍ଷ୍ୟ କଲା, ସେଦିନ ରମେଶ ଭାଇଙ୍କ ଘରେ କୌଣସି ପାଟିତୁଣ୍ଡ ନାହିଁ । ଶାନ୍ତିରେ ଶାନ୍ତିରେ କଟିଗଲା ଦିନଟା । ଭାଉଜଙ୍କ ଉପରେ ସନ୍ଦେହ କଲା । ଭାଉଜ ଆଉ କାହା ପ୍ରେମରେ ପଡ଼ିନାହାଁନ୍ତି ତ ? କାଲି ସୋମବାର । କାଲି ପୁଣି କୁଆଡ଼େ ଯିବେ । ରମେଶ ଭାଇ ଅଫିସ୍‍ରୁ ଫେରିଲେ ମାଡ଼ଗାଳି ଦେବେ । ସରୋଜ ଭାବିଲା, ପରଦିନ ଭାଇ ଅଫିସ୍‍କୁ ଚାଲିଗଲା ପରେ ଭାଉଜଙ୍କୁ ପଚାରିବ ସବୁକଥା । ଅବଶ୍ୟ ଯଦି ପ୍ରେମଫ୍ରେମ କଥା ହୋଇଥାଏ, ଭାଉଜ କହିନପାରନ୍ତି । କିନ୍ତୁ ଅନ୍ୟ କିଛି ହୋଇଥିଲେ ଜାଣିପାରିବ ତ ! ଗତକାଲି ରମେଶ ଭାଇ ଯେମିତି ଗାଳି ଦେଉଥିଲେ ଲାଗୁଥିଲା ସତେ ଅବା ଭାଉଜ ଆଉ କେଉଁଠି ମନ ଦେଇଛନ୍ତି ।

 

ସୋମବାର ଦିନ ରମେଶ ଭାଇ ଅଫିସ୍‍ ଚାଲିଗଲା ପରେ ସରୋଜ ନିଜକୁ ଆଉ ସମ୍ଭାଳି ପାରିଲାନି । କବାଟରେ ତାଲା ପକାଇ ଭାଉଜଙ୍କ ପାଖକୁ ଚାଲିଲା । ଅସମୟରେ ତାକୁ ଦେଖି ଭାଉଜ ଆଶ୍ଚର୍ଯ୍ୟ ଏତେବେଳେ କ’ଣ ? କିଛି କାମ ଥିଲା କି ?

 

ସରୋଜ କେମିତି ଆରମ୍ଭ କରିବ ଜାଣିପାରୁ ନଥିଲା । ଥ, ଥ, ମ, ମ ହେଲାରୁ ଭାଉଜ କହିଲେ ‘‘ଯାହା କହିବ, ଖୋଲିକି କହୁନା । ଲାଜ ଲାଗୁଛି କି ?’’

 

ନାଇଁ ମ ! ଲାଜ କଲାଭଳି କଥା ନୁହେଁ । କିନ୍ତୁ ପଚାରିବା ଉଚିତ କି ନୁହେଁ, ଜାଣିପାରୁନି-।’’

 

‘‘ଓଃ ! ଆମ ଘର କଥା ପଚାରିବ ବୋଧେ । ଛାଡ଼ ସେକଥା । ସାହିଟା ଯାକ ସମସ୍ତେ ଜାଣନ୍ତି । ତମେ ଏବେ କିଛି ମାସ ହେଲା ଆସିଛ ବୋଲି ଜାଣିନ ।’’

 

‘‘କିନ୍ତୁ ଭାଉଜ ! ଭାଇ ଏତେ ନିର୍ଦ୍ଦୟ ହୋଇ ପଡ଼ୁଛନ୍ତି ଯେ ? ଅନ୍ୟବେଳେ ତ ଆଦୌ ସେମିତି ଲାଗିନ୍ତିନି । ତା’ଛଡ଼ା ତମେ କୁଆଡ଼େ ଯାଉଛ, ସିଏ କେମିତି ଜାଣୁଛନ୍ତି ?’’

 

‘‘ସିଏ ବେଶ୍‌ ଲମ୍ବା କଥା । ଶୁଣିଲେ ତମକୁ ଗପ ଭଳି ଲାଗିବ । ତମେ ପିଲାଲୋକ । ଜାଣି ବା ଲାଭ କ’ଣ ?’’ ଭାଉଜ କହିଲେ ।

 

ସରୋଜ ପଚାରିଲା ‘‘ଆପଣ ଯଦି କହିବାକୁ ଚାହୁଁନାହାଁନ୍ତି ମୁଁ ବାଧ୍ୟ କରିବିନି । କିନ୍ତୁ ଭାଇଙ୍କ ରୁଦ୍ରରୂପରେ ମୁଁ ମଧ୍ୟ ଆଶ୍ଚର୍ଯ୍ୟ ହେଉଛି ।’’

 

ଭାଉଜ କହିଲେ, ‘‘ସେମିତି କିଛି ଗୁରୁତର କଥା ନୁହେଁ ଯେ ତମେ ଜାଣିଲେ ଅଡ଼ୁଆ । ତା’ଛଡ଼ା ମୁଁ ନକହିଲେ ବି ଏ ସାହିରେ ଯାହାକୁ ପଚାରିବ, ସିଏ କହିଦେବ । ଅନ୍ୟମାନେ ବନେଇ ଚୁନେଇ ୟାଡ଼ୁସ୍ୟାଡ଼ୁ କହିବା ଅପେକ୍ଷା, ମୋଠୁ ପ୍ରକୃତ କଥା ଜାଣିନେବା ଭଲ ।’’

 

ଭାଉଜ କହୁଥିଲେ । ସରୋଜ ଶୁଣୁଥିଲା । ରମେଶ ଭାଇଙ୍କ ବାହାଘରର କିଛିବର୍ଷ ପରେ ତାଙ୍କ ବୋଉଙ୍କ ପରଲୋକ ହେଲା । ରମେଶ ଭାଇ ଅନ୍ୟ ସହରରେ ଚାକିରି କରୁଥାନ୍ତି । ଏଠି ଭୁବନେଶ୍ୱରରେ ବାପା ଏକୁଟିଆ ଘରେ ରହିଲେ । ରମେଶ ଭାଇ ତାଙ୍କ ପାଖକୁ ଚାଲିଯିବା ଲାଗି ଯେତେ ଡାକିଲେ ମଧ୍ୟ ବାପା ଗଲେ ନାହିଁ । ବାଧ୍ୟ ହୋଇ ଏଠି ବାପାଙ୍କୁ ରୋଷେଇ କରିଦେବା, ଘରକାମ କରିଦେବା ପାଇଁ ଚାକରାଣୀଟେ ରଖାଗଲା । କିନ୍ତୁ କିଛିମାସ ପରେ ସେଇ ଚାକରାଣୀକୁ ବାପା ବାହା ହୋଇଗଲେ । ରମେଶ ଭାଇଙ୍କ ପାଇଁ ପୃଥିବୀର ଅଷ୍ଟମ ଆଶ୍ଚର୍ଯ୍ୟ ଭଳି ଘଟଣା ଥିଲା ଇଏ । ବାପାଙ୍କୁ ଛି’ କରିଦେଲେ । ବାପା କିନ୍ତୁ ତାଙ୍କ ବୋହୂଙ୍କୁ ଖୁବ୍‌ ଭଲ ପାଉଥିଲେ-। ବାପାଙ୍କୁ ବାଟକୁ ଆଣିବା ଲାଗି ଭାଉଜ ଢେର ଉଦ୍ୟମ କରିଛନ୍ତି । କିନ୍ତୁ ଚାକରାଣୀକୁ ବାହା ହୋଇଛନ୍ତି ଯେତେବେଳେ, ବାହାଘରଟାକୁ ତ ଅସ୍ୱୀକାର କରିହେବ ନାହିଁ । କିଛିବର୍ଷ କାଳ ବାପାଙ୍କଠାରୁ ସଂପର୍କ କଟିଗଲା ରମେଶ ଭାଇଙ୍କର । ଭୁବନେଶ୍ୱରକୁ ବଦଳି ହୋଇଆସିବା ପରେ ବି ରମେଶ ଭାଇ ନିଜ ଘରକୁ ଫେରିଲେନି । ବୁଢ଼ା ବୟସରେ ବାପାଙ୍କୁ ବାହା ହୋଇଥିବା ଚାକରାଣୀର ମନ କେବଳ ବାପାଙ୍କ ସଂପତ୍ତିରେ ଥିଲା । ସଂପତ୍ତିର ମାଲିକାଣୀ ହେଲାପରେ ତା’ର ଅସଲରୂପ ସେ ଦେଖାଇଲା । ବାପା ଏଣିକି ତା’ପାଇଁ ମଧ୍ୟ ଅଲୋଡ଼ା ହୋଇପଡ଼ିଲେ । ଏବେ ନା ନିଜ ପୁଅର ନା ନିଜ ଦ୍ୱିତୀୟ ସ୍ତ୍ରୀର ହୋଇପାରିଛନ୍ତି ସେ । ବାପାଙ୍କୁ ଘରଟା ଭିତରେ ଛାଡ଼ିଦେଇ ଦ୍ୱିତୀୟ ସ୍ତ୍ରୀ ବି ଦିନ ଯାକ ସହରରେ ଟହଲ ମାରେ । ତାଙ୍କ ଖିଆପିଆ କଥା ବୁଝିବାକୁ ମଧ୍ୟ ବେଳ ନାହିଁ । ଯାହା ହେବା କଥା ହୋଇଗଲା, ଏବେ ବାପାଙ୍କୁ ନିଜ ପାଖକୁ ନେଇ ଆସିବାକୁ ରମେଶ ଭାଇଙ୍କୁ କେତେଥର ବୁଝାଇଲେଣି ଭାଉଜ । କିନ୍ତୁ ଭାଇଙ୍କ ରାଗ କମିନି । ‘‘ଯିଏ ଯାହାକଲା, ତା’ଫଳ ବି ସିଏ ଭୋଗିବା ଉଚିତ’’ ଭାଇ କେବଳ ଏତିକି କହୁଛନ୍ତି । ଶ୍ୱଶୁରଙ୍କ ଦୁଃଖ ସହିନପାରି, ଭାଇ ଅଫିସ୍‍କୁ ଚାଲିଗଲା ପରେ ଭାଉଜ ଦୌଡ଼ୁଛନ୍ତି ଶ୍ୱଶୁରଙ୍କ ପାଖକୁ । ସେତିକି ମଧ୍ୟ ଦ୍ୱିତୀୟ ସ୍ତ୍ରୀର ନଜରକୁ ଯାଉନି । ସବୁଦିନ ଭାଇଙ୍କୁ ଫୋନ୍‍ କରି ୟାଡ଼ୁସ୍ୟାଡ଼ୁ ଶୋଧୁଛନ୍ତି । ଆଉ ଭାଇ ରାଗରେ ଘରକୁ ଫେରି ଭାଉଜଙ୍କ ଉପରେ ରାଗ ଶୁଝାଉଛନ୍ତି । ତାଙ୍କ ଯୁକ୍ତିହେଲା, ନିଜ ବାପା ହୋଇ ସେ ତାଙ୍କୁ ଘୃଣା କରୁଛନ୍ତି ଅଥଚ ଭାଉଜଙ୍କର ଶ୍ୱଶୁର ସୁଆଗ ବଢ଼ିଚାଲୁଛି କାହିଁକି ?

 

ଭାଉଜଙ୍କଠାରୁ ସରୋଜ ଶୁଣୁଥିଲା ନୀରବରେ । ଭାଉଜ ତା’ ଆଗରେ ଧୀରେ ଧୀରେ ଦେବୀ ପାଲଟି ଯାଉଥିଲେ ।

Image

 

ଲେଉଟାଣି

 

‘‘ଆରେ ମଦନା ! ଗାଡ଼ିଟା ସଜା ହୋଇ ସାରିଲାଣି ନା ନାହିଁ, ଗଲୁ ଦେଖି ଆସିବୁ !’’ ସୂର୍ଯ୍ୟକାନ୍ତ କହିଲେ ମଦନଙ୍କୁ । ସୂର୍ଯ୍ୟକାନ୍ତଙ୍କ ସଂପର୍କୀୟ ବଡ଼ଭାଇଙ୍କ ପୁଅ ମଦନ । ଆଜି ସୂର୍ଯ୍ୟକାନ୍ତଙ୍କ ପୁଅ ବିନ୍ଦୁସାରର ବିବାହ । ଆଉ କିଛି ସମୟ ପରେ କନ୍ୟାଘରକୁ ବାହାରିଯିବେ ସେମାନେ । ସେଇଲାଗି ଗାଡ଼ିର ବ୍ୟବସ୍ଥା ।

 

ଘର ଭିତରୁ ଗହଳି ଶୁଭିଲା । ସୂର୍ଯ୍ୟକାନ୍ତ କିନ୍ତୁ ସେଆଡ଼କୁ ନଜର ଦେଲେନି । ‘‘ହଃ ! କ’ଣ ଗୋଟେ ହୋଇଥିବ । ସ୍ତ୍ରୀଲୋକଗୁଡ଼ାକତ ସବୁବେଳେ ଗହଳି କରନ୍ତି ।’’ ମନକୁମନ କହିଦେଇ ସେ ବ୍ୟସ୍ତ ରହିଲେ ନିଜ କାମରେ । ଏ ଭିତରେ ଆଉ କିଛି ସମୟ ଚାଲିଗଲା । ଘରଭିତରୁ ପାଟିତୁଣ୍ଡ କମିବା ବଦଳରେ ବଢ଼ିବାରେ ଲାଗିଛି । ବିରକ୍ତ ଲାଗିଲା ତାଙ୍କୁ । ଯାହା କହିବା କଥା ଆସ୍ତେ କହିଲେ ହେବନି ? ଏମିତି ହୋହଲ୍ଲା ଲାଗିଛି କାହିଁକି ? ମନେ ମନେ ବିରକ୍ତି ପ୍ରକାଶ କଲେ ।

 

ଭିତରୁ କେହି ଜଣେ ଆସି କହିଲା–‘‘ଜେଜୀମା ଡାକୁଛନ୍ତି ।’’ ଜେଜୀମା’ ଅର୍ଥାତ୍‌ ସୂର୍ଯ୍ୟକାନ୍ତଙ୍କ ମାଆ । ଏଥର ଭିତରକୁ ଗଲେ ସେ । ତାଙ୍କୁ ଦେଖ ସମସ୍ତେ ଚୁପ୍‍ । ବାଟ ଛାଡ଼ି ଦେଉଥାନ୍ତି ସେମାନେ । ଭିତର ଘର ପାଖରେ ପହଞ୍ଚିଲା ବେଳକୁ ସେଆଡ଼ୁ ଆସୁଛନ୍ତି ମାଆ । ସୂର୍ଯ୍ୟକାନ୍ତ ପଚାରିଲେ ‘‘କ’ଣ ହେଲା ?’’

 

କିଛି କହିଲେନି ମାଆ ।

 

‘‘କି ଅଦ୍ଭୁତ କଥା । ପଚାରୁଛି ପରା କ’ଣ ହେଲା ? ମତେ କାହିଁକି ଡାକିଲୁ ?’’ ବିରକ୍ତିରେ କହିଲେ ସୂର୍ଯ୍ୟକାନ୍ତ ।

 

ଏଥର ପାଟି ଫିଟାଇଲେ ମାଆ–‘‘ବିନ୍ଦୁ କ’ଣ କହୁଛି ଶୁଣ । ମୋ ଉପରେ କାହିଁକି ରାଗୁଛୁ ?

 

‘‘କ’ଣ କହୁଛି ? ସିଏ ପ୍ରସ୍ତୁତି ସାରିଲାଣିତ ?’’

 

‘‘ପ୍ରସ୍ତୁତି ନା ଛେନାଗୁଡ଼ । କହୁଛି କ’ଣ ନା ବୋଉକୁ ଅଣା ନଗଲା ଯାଏଁ ସିଏ ବେଶ ହେବ ନାହିଁ ।’’ –ମାପିଚୁପି ଉତ୍ତର ଦେଲେ ମାଆ । ହଠାତ୍‍ ଯେମିତି ବିସ୍ଫୋରଣ ଘଟି ଗଲା ସେଇଠି ।

 

ମାଆଙ୍କ କଥାରେ ଚମକି ପଡ଼ିଲେ ସୂର୍ଯ୍ୟକାନ୍ତ । ବୋଉ, ମାନେ ଅନସୂୟା ନ ଆସିଲେ ସେ ବାହାହେବାକୁ ଯିବନି । ଏତେଦିନ ପରେ ସୂର୍ଯ୍ୟକାନ୍ତଙ୍କର ଅନସୂୟା ମନେ ପଡ଼ିଗଲେ । ତେବେ ବାହାରକୁ କିଛି ନହେବା ଭଳି ଅଭିନୟ କରି ସେ କହିଲେ, ଆଜି କ’ଣ ହୋଇଛି ବିନ୍ଦୁର ? ଗାଡ଼ି ସିଆଡ଼େ ସଜା ହୋଇ ଫେରିଆସୁଥିବ । ସମସ୍ତେ ଯିବା ପାଇଁ ପ୍ରସ୍ତୁତ ହୋଇ ସାରିଲେଣି । ଏତିକି ବେଳେ ବିନ୍ଦୁ ଏମିତି କ’ଣ ହେଉଛି ?’’

 

‘‘ତୁ ତାକୁ ପଚାର । ମୁଁ ପାରିବିନି, ଯେତେ କହିଲେ ବି ଶୁଣୁନି । ବୋଉ ଆସିବ ତ ବାହାହେବାକୁ ଯିବ, ନହେଲେ ନାହିଁ, ଜିଦ୍‌ ଧରି ବସିଛି ସିଏ ।’’ କହିଲେ ମାଆ । ଆଉ କିଛି ନକହି ସୂର୍ଯ୍ୟକାନ୍ତ ନିଜର ଶୋଇବା ଘରକୁ ଚାଲିଗଲେ ।

 

ଦୀର୍ଘବର୍ଷର ବ୍ୟବଧାନପରେ ‘ବିନ୍ଦୁ’ ଲାଗି ଆଜି ଅନସୂୟା ମନେ ପଡ଼ିଯାଉଛନ୍ତି । ଅନସୂୟାଙ୍କ ପ୍ରତି ସେ ଖୁବ୍‌ ଅନ୍ୟାୟ କରିଛନ୍ତି ବୋଲି ଆଜି ସୂର୍ଯ୍ୟକାନ୍ତଙ୍କର ହୃଦବୋଧ ହେଉଛି । ସେତେବେଳେ ତାଙ୍କ ପରିବାରର ଏ ଖଣ୍ଡମଣ୍ଡଳରେ ଅମାପ ପତିଆରା ଥିଲା । ସୂର୍ଯ୍ୟକାନ୍ତଙ୍କ ବାପା ଜଣେ ନିଷ୍ଠୁର ବ୍ୟକ୍ତି ଭାବରେ ଜଣାଶୁଣାଥିଲେ । ଖଣ୍ଡମଣ୍ଡଳର ସବୁ ଲୋକ ଭୟ କରୁଥିଲେ ତାଙ୍କୁ । ବାପା କୌଣସି ପରିସ୍ଥିତିରେ ବି ମୁଣ୍ଡ ନୁଆଁଇ ନଥିଲେ । ଧନବଳ ଏବଂ ଅହଙ୍କାର ତାଙ୍କୁ ପ୍ରମତ୍ତ କରି ରଖିଥିଲା । ସୂର୍ଯ୍ୟକାନ୍ତଙ୍କ ରକ୍ତରେ ମଧ୍ୟ ବାପାଙ୍କର କିଛି ବଦ୍‌ଗୁଣ ମିଶି ଯାଇଛି । ବାପାଙ୍କ ଭଳି ସେ ମଧ୍ୟ ଏକଜିଦିଆ । ଯାହା ନିଷ୍ପତ୍ତି ନେବେ, ମୁଣ୍ଡକାଟ ହୋଇଯିବ ପଛେ, ସେଥିରୁ ଓହରିବେ ନାହିଁ । ରେଭେନ୍ସାରୁ ବି.ଏ. ପାସ୍‌ କରି ପରିବାରର ବ୍ୟବସାୟ ବୁଝୁଥାନ୍ତି ସେ । ବ୍ୟାବସାୟିକ କାମରେ ସମ୍ବଲପୁର ଯାଇଥିବା ବେଳେ ଅନସୂୟାଙ୍କୁ ଦେଖନ୍ତି । ତାଙ୍କ ରୂପରେ ମୁଗ୍ଧ ହୋଇ, ତାଙ୍କୁ ବିବାହ କରିବାକୁ ଚାହାଁନ୍ତି । ଅନସୂୟାଙ୍କ ବାପା ସୂର୍ଯ୍ୟକାନ୍ତଙ୍କ ପରିବାରର ସମକକ୍ଷ ନହେଲେ ମଧ୍ୟ ଉଚ୍ଚ ମଧ୍ୟବିତ୍ତ ଥିଲେ । ଜଣେ ବନ୍ଧୁଙ୍କ ଜରିଆରେ ପ୍ରଥମେ ନିଜ ବୋଉଙ୍କ କାନରେ କଥା ପକାଇଲେ ସୂର୍ଯ୍ୟକାନ୍ତ । ଦୁଇ ପରିବାର ମଧ୍ୟରେ କଥାବାର୍ତ୍ତା ଚାଲିଲା ଏବଂ ଶେଷରେ ଅନସୂୟା ଆସିଲେ ଚୌଧୁରୀ ପରିବାରର ବୋହୂ ହୋଇ ।

 

ବିବାହର ପ୍ରଥମ କିଛିମାସ ବେଶ୍‌ ସୁଖରେ କଟିଗଲା । ଧୀରେ ଧୀରେ ବ୍ୟବସାୟରେ ଅଧିକରୁ ଅଧିକ ସମୟ ଦେଲେ ସୂର୍ଯ୍ୟକାନ୍ତ । ଅର୍ଥାଗମର ବିଭିନ୍ନ ଉପାୟ ସବୁକୁ କରାୟତ କରବାକୁ ଲାଗିଲେ ସେ । ଏଇଠୁ ଆରମ୍ଭ ହେଲା ସମସ୍ୟା । ରାତ୍ରିର ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ସେ ବାହାରେ ରହିଲେ । ଅନସୂୟା ପ୍ରଥମେ ପ୍ରଥମେ କିଛି କହିପାରୁ ନଥିଲେ । କିନ୍ତୁ କେତେଦିନ ଆଉ ବା ଚୁପ୍‌ ରହିପାରିଥାନ୍ତେ । ବିବାହର ବର୍ଷେ ମଧ୍ୟ ପୁରିନି ସ୍ଵାମୀଙ୍କଠାରୁ ଦୀର୍ଘ ବିଛେଦ–ମନଟା ତାଙ୍କର ହତାଶାରେ ଭରିଗଲା ।

 

ଏ ଭିତରେ ତାଙ୍କ ଜଠରରେ ମାତୃତ୍ୱର ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ଏଭଳି ପରିସ୍ଥିତିରେ ସୂର୍ଯ୍ୟକାନ୍ତ ଦୀର୍ଘ ସମୟ ଅନୁପସ୍ଥିତ ରହିବାଟାକୁ ପସନ୍ଦ କରିପାରୁ ନଥିଲେ ସେ । ଦୁଇ ଚାରିଥର ନିଜ ମନକଥା ମଧ୍ୟ କହିଦେଲେ ସୂର୍ଯ୍ୟକାନ୍ତଙ୍କୁ । ଅଥଚ ସାମାନ୍ୟ ଟିକିଏ ହସିଦେବା ବ୍ୟତୀତ ସୂର୍ଯ୍ୟକାନ୍ତଙ୍କର ଅନ୍ୟ କିଛି ପ୍ରତିକ୍ରିୟା ନଥିଲା । ତାଙ୍କର ଏଭଳି ଆଚରଣ, ଅନସୂୟାଙ୍କ ସ୍ଵାଭିମାନୀ ମନକୁ ଜଳାଇବାରେ ଲାଗିଲା । ସେ ଯେ ମାଆ ହେବାକୁ ଯାଉଛନ୍ତି, ଏକଥା ଜାଣିବା ପରେ ମଧ୍ୟ ସୂର୍ଯ୍ୟକାନ୍ତ ବିଶେଷ ଆଗ୍ରହ ଦେଖାଇବା ଭଳି ମନେ ହେଲା ନାହିଁ । ଡେରି ରାତିରେ ଘରକୁ ଫେରିବା ପରେ କ୍ଳାନ୍ତ ଶରୀର ସବୁବେଳେ ବିଶ୍ରାମ ଖୋଜୁଥିଲା ।

 

ଏବେବି ସୂର୍ଯ୍ୟକାନ୍ତ ଭାବନ୍ତି–ଜାଣିଶୁଣି ସେ କେବେବି ଅବହେଳା କରି ନାହାଁନ୍ତି ଅନସୂୟାଙ୍କୁ । କିନ୍ତୁ କେହି କାହାକୁ ବି କିଛି କହିପାରୁ ନଥିଲେ । ଅନସୂୟା ଭିତରେ ଭିତରେ ଜଳିବାକୁ ଲାଗିଲେ; ସୂର୍ଯ୍ୟକାନ୍ତ, ଅନସୂୟାଙ୍କ ଅଭିମାନକୁ ଅନୁଭବ ବି କରିପାରିଲେ ନାହିଁ ।

 

ୟା’ ଭିତରେ ବିନ୍ଦୁସାରର ଜନ୍ମ । ତଥାପି ସୂର୍ଯ୍ୟକାନ୍ତଙ୍କ ଆଚରଣରେ କୌଣସି ପରିବର୍ତ୍ତନ ଘଟିଲା ନାହିଁ । ଘରେ ବାପା, ମାଆ ସମସ୍ତେ ବେଶ୍‌ ଆନନ୍ଦ ଅନୁଭବ କରୁଥିବା ବେଳ ସୂର୍ଯ୍ୟକାନ୍ତଙ୍କର କୌଣସି ପ୍ରତିକ୍ରିୟା ନଜର କରି ପାରିଲେ ନାହିଁ ଅନସୂୟା । ତାଙ୍କର ମନେ ହେଲା, ବୋଧହୁଏ ଧନ ସଂପତ୍ତି ହିଁ ସୂର୍ଯ୍ୟକାନ୍ତଙ୍କ ପାଇଁ ସବୁକିଛି ହୋଇଗଲା । ନଚେତ ନିଜ ରକ୍ତଜ ପ୍ରତି ମଧ୍ୟ ଢଳିଲେ ନାହିଁ ! ଏମିତିରେ ଏମିତିରେ କୁହୁଳି କୁହୁଳି ଥିଲେ ଅନସୂୟା ।

 

ହଠାତ୍‍ ଦିନେ ବିସ୍ଫୋରଣ ଘଟିଲା ଏ କୁହୁଳା ସ୍ୱଭାବର । ନିଜର ସ୍ୱାଭିମାନକୁ ବେଶିଦିନ ଚାପି ରଖି ପାରିଲେ ନାହିଁ ଅନସୂୟା । ଆରମ୍ଭ ହେଲା ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ । ଭାରତୀୟ ସମାଜ ଚରିତ୍ର ହିଁ ଏୟା । ଯେ ପର୍ଯ୍ୟନ୍ତ ସ୍ତ୍ରୀ, ସ୍ୱାମୀର ଅହଙ୍କାରକୁ ନିରବରେ ସହି ଚାଲିଥିବ ସେ ପର୍ଯ୍ୟନ୍ତ ସେମାନଙ୍କ ଦାମ୍ପତ୍ୟ ଜୀବନ ଥିବ ସୁଖମୟ । ଅଥଚ ଯେଉଁ ମୁହୂର୍ତ୍ତରେ ନାରୀ ନିଜର ମତପୋଷଣ କରିବ, ସେବେଠାରୁ ଆରମ୍ଭ ହୋଇଯିବ ବିବାଦ । ଦାମ୍ପତ୍ୟ ଜୀବନର ମୁକ୍ତାକାଶରେ ଛାଇଯିବ ବାଦଲ । ଆଉ ତାହା ଧୀରେ ଧୀରେ ଘନୀଭୂତ ହୋଇ ବର୍ଷିଯିବ ମନୋମାଳିନ୍ୟର ବାରିଧାରା । ଦୁଇମନକୁ ଉତପ୍ତ କରାଉଥିବ ଏ ବର୍ଷା ।

 

ଆଜି ସବୁ ମନେ ପଡ଼ିଯାଉଛି ସୂର୍ଯ୍ୟକାନ୍ତଙ୍କର । ବାହାରେ ମୃଦୁଗୁଞ୍ଜରଣ ଶୁଭୁଛି । ସମ୍ଭବତଃ ତାଙ୍କ ଭୟରେ ଅନ୍ୟମାନେ ଜୋରରେ କିଛି କହିପାରୁନାହାଁନ୍ତି । ବିନ୍ଦୁ ଏଇବେଳେ ଏମିତି କରିବାର ଥିଲା ! ରାଗିଗଲେ ସୂର୍ଯ୍ୟକାନ୍ତ ଖୁବ୍‌ ଜୋରରେ । ଅଥଚ କିଛି କହି ପାରୁନାହାଁନ୍ତି । ବିନ୍ଦୁକୁ ଆସି ପଚିଶ ବର୍ଷ ହେଲାଣି । ଅନସୂୟା ଚାଲିଯିବା ପରଠାରୁ କେବେବି ବିନ୍ଦୁକୁ କଡ଼ାକରି ପଦେ କହି ନାହାଁନ୍ତି ସେ ।

 

ଅନସୂୟାଙ୍କ ସହିତ ମନୋମାଳିନ୍ୟ ଆରମ୍ଭ ହେବା ପରେ ଦିନେ ଏହା ଚରମ ରୂପ ନେବାରୁ ସୂର୍ଯ୍ୟକାନ୍ତ ରାଗରେ କିଛି ୟାଡ଼ୁସ୍ୟାଡ଼ୁ କହିଦେଲେ । ଅନସୂୟାଙ୍କୁ ବାଧିଲା । ଘରଛାଡ଼ି ଚାଲିଯିବାକୁ ନିଷ୍ପତ୍ତି ନେଲେ ସେ । ସୂର୍ଯ୍ୟକାନ୍ତଙ୍କର କୌଣସି ପ୍ରତିକ୍ରିୟା ନଥିଲା । ସତେ ଯେମିତି ଏୟାହିଁ ଚାହୁଁଥିଲେ । ପୁଅବୋହୂଙ୍କ ମଧ୍ୟରେ ମନାନ୍ତର ଯେ ଏତେବାଟ ଆଗେଇ ଯାଇଛି ସେକଥା ବାପାବୋଉ ଖୁବ୍‌ ଡେରିରେ ଜାଣିଲେ । ଘଟଣାରେ ହସ୍ତକ୍ଷେପ କଲେ ମଧ୍ୟ । କିନ୍ତୁ କିଛି ଲାଭ ହେଲାନାହିଁ । ବରଂ ବାପା-ବୋଉଙ୍କ କାନରେ କଥାଟା ପଡ଼ିଲା ବୋଲି ଭୀଷଣ କ୍ଷୁବ୍ଧ ହେଲେ ସୂର୍ଯ୍ୟକାନ୍ତ । ଅନସୂୟାଙ୍କୁ ଘରଛାଡ଼ି ଚାଲିଯିବାକୁ ଅନୁମତି ମିଳିଲା । କିନ୍ତୁ ସାଥୀରେ ପୁଅକୁ ନେଇଯିବା ଲାଗି ଅନୁମତି ଦିଆଗଲା ନାହିଁ । ତାଙ୍କର କୌଣସି ଅନୁନୟକୁ ଖାତିର କଲେ ନାହିଁ ସୂର୍ଯ୍ୟକାନ୍ତ । ବରଂ ଅପମାନିତ କଲେ । ଶେଷରେ ଛଅମାସର ପୁଅକୁ ଛାଡ଼ିଦେଇ ଚାଲିଗଲେ ଅନସୂୟା । ସେଇ ଯାଇଛନ୍ତି ଯେ ଯାଇଛନ୍ତି ।

 

ଏ ଭିତରେ ପଚିଶ ବର୍ଷ ବିତିଗଲାଣି । ଅନସୂୟା କୌଣସି ଏକ ସରକାରୀ ହାଇସ୍କୁଲରେ ଶିକ୍ଷକତା କରୁଛନ୍ତି । ସେ ଚାଲିଯିବା ପରେ ଢେର କିଛିବର୍ଷ ତାଙ୍କୁ ଭୁଲିଯିବାକୁ ଉଦ୍ୟମ କରିଥିଲେ ସୂର୍ଯ୍ୟକାନ୍ତ । ଅବଶ୍ୟ ଏଥିରେ କିଛି ମାତ୍ରାରେ ସଫଳ ହୋଇଥିଲେ ବି । ଅନସୂୟାଙ୍କ ସ୍ମୃତିକୁ ତ ସଂପୂର୍ଣ୍ଣ ପାଶୋରିଯିବା ସମ୍ଭବ ନଥିଲା । ଅନ୍ତତଃ ‘‘ବିନ୍ଦୁ’’ ମୁହଁରେ ସେ ଦେଖି ପାରୁଥିଲେ ଅନସୂୟାଙ୍କ ଛାପ ।

 

ତେବେ ପତ୍ନୀଙ୍କ ଅନୁପସ୍ଥିତି ବିଚଳିତ କରୁନଥିଲା ତାଙ୍କୁ । ୟା’ ଭିତରେ ବାପା ଆରପୁରକୁ ଚାଲିଗଲେଣି । ‘‘ବିନ୍ଦୁ’’ ବାଣୀବିହାରରୁ ରାଜନୀତି ବିଜ୍ଞାନରେ ଏମ.ଏ, ଏମ.ଫିଲ୍‌ ସାରି ଏକ ସରକାରୀ କଲେଜରେ ଅଧ୍ୟାପକ ଅଛି । ମାଆ ନଥିବା ଛୁଆ ହୋଇଥିବାରୁ ତାକୁ କେବେବି କୌଣସି କଟୁ କଥା ସେ କହିନାହାଁନ୍ତି । ଏପରିକି ବିନ୍ଦୁ ଅଧ୍ୟାପକ ହେବାପରେ କୌଣସିମତେ ଅନସୂୟାଙ୍କ ଖବର ସଂଗ୍ରହ କରି ତାଙ୍କ ପାଖକୁ ଯାଇଥିବାର ଏବଂ ବାରମ୍ବାର ଅନସୂୟାଙ୍କ ସହିତ ରହୁଥିବାର କଥା ମଧ୍ୟ ସୂର୍ଯ୍ୟକାନ୍ତଙ୍କର ଅଛପା ନଥିଲା । ତେବେ ବି ସେ ବିନ୍ଦୁକୁ କିଛି କହି ନଥିଲେ-

 

ତାଙ୍କର ମନେହେଲା ସମ୍ଭବତଃ ଅନସୂୟାଙ୍କ ପାଇଁ ନିଜ ହୃଦୟର କେଉଁ ଏକ ନିଭୃତତମ କୋଣରେ ଏବେ ବି ଶ୍ରଦ୍ଧା ଭରି ରହିଛି । ନହେଲେ, ‘ବିନ୍ଦୁ’ର ଅନସୂୟାଙ୍କ ସହିତ ବାରମ୍ବାର ସାକ୍ଷାତକୁ ସେ ବିରୋଧ କରିନାହାଁନ୍ତି କେମିତି ଯେ ? ଅବଶ୍ୟ ଅନସୂୟା ଘର ଛାଡ଼ି ଚାଲିଯିବାର କିଛିମାସ ପରେ ତାଙ୍କୁ ଫେରାଇ ଆଣିବା ପାଇଁ ସୂର୍ଯ୍ୟକାନ୍ତ ଭାବିଥିଲେ । ତେବେ ଅହଙ୍କାର ତାଙ୍କୁ ବାଧା ଦେଇଥିଲା । ଆରେ ସିଏ ଯେତେଯାହା ସଂପତ୍ତି ଅର୍ଜୁଥିଲେ ସବୁତ ଅନସୂୟା ଓ ବିନ୍ଦୁ ପାଇଁ । ଏଥିରେ ଯଦି ଅନସୂୟା ତାଙ୍କୁ ଭୁଲ ବୁଝି ରାଗରେ ଚାଲିଯିବେ, ସିଏ କାହିଁକି ଦୋଷୀ ହେବେ ?

 

ସେପଟୁ ଏଯାଏଁ ବି ପାଟି ଶୁଭୁଛି । ବାହାରକୁ ଯିବା ଲାଗି ମନ ଚାହୁଁଛି । କିନ୍ତୁ ପାଦ ଟାଣି ହେଉନି । ବାହାରୁ ବି କେହି ଆସି ବିନ୍ଦୁ ସଜବାଜ ହେଲାଣି କି ନାହିଁ ଜଣାଉ ନାହାଁନ୍ତି । ସମ୍ଭବତଃ ଭୟରେ । ଶେଷରେ ବାଧ୍ୟ ହୋଇ ସୂର୍ଯ୍ୟକାନ୍ତ ବାହାରକୁ ଆସିଲେ । ଅନ୍ୟମାନେ ଆଡ଼େଇ ହୋଇଗଲେ । ବିନ୍ଦୁ ତା’ହେଲେ ଏଯାଏଁ ଜିଦ୍‌ ଧରି ବସିଛି ? ସୂର୍ଯ୍ୟକାନ୍ତଙ୍କର ମନେହେଲା ଦୀର୍ଘ ପଚିଶ ବର୍ଷ ପରେ ଆଜି ସେ ପରାଜୟବରଣ କରିବେ । ଅବଶ୍ୟ ଅନସୂୟାଙ୍କ ପ୍ରତି ଚରମ ଅବହେଳା କରିଛନ୍ତି ବୋଲି ହୃଦବୋଧ ହେବା ପରମୁହୂର୍ତ୍ତରୁ ନିଜକୁ ବେଶି ଦୋଷି ମଣୁଥିଲେ ସେ-

 

ବିନ୍ଦୁର ଶୋଇବା ଘର ଦୁଆର ପାଖରେ ଛିଡ଼ା ହେଲେ ସୂର୍ଯ୍ୟକାନ୍ତ । ସମସ୍ତେ ଭୟଭୀତ ହୋଇ ଛିଡ଼ା ହୋଇଛନ୍ତି । କିଏ ଜାଣେ, ସୂର୍ଯ୍ୟକାନ୍ତ ଆଜିକିଛି ଅଘଟଣ ଯେ ଘଟାଇ ନଦେବେ । ‘‘ବିନ୍ଦୁ ! –ଡାକିଲେ ସେ । ଆଜିଯାଏଁ ପୁଅକୁ କେବେବି ହସିହସି ଭଲରେ ଦୁଇପଦ କଥା କହିଥିବାର ମନେ ପଡ଼ିଲାନି ତାଙ୍କର । ବରଂ ଦୀର୍ଘ ପଚିଶ ବର୍ଷକାଳ ଜନ୍ମଦାତ୍ରୀଠାରୁ ତାକୁ ଦୂରେଇ ରଖିଥିଲେ । ଅଥଚ କେବେବି ବିନ୍ଦୁ ସେ ସଂପର୍କରେ ତାଙ୍କୁ କିଛି ପଚାରିନି । ଏପରିକି ଅନସୂୟାଙ୍କ ପାଖରେ ଯାଇ କିଛି ଦିନ ରହିବା ପରେ ମଧ୍ୟ ଦିନେବି ବାପାଙ୍କଠାରୁ କୈଫିୟତ ଲୋଡ଼ିନି ବିନ୍ଦୁ । ସୂର୍ଯ୍ୟକାନ୍ତଙ୍କର ମନେ ହେଲା ମାଆ ଓ ପୁଅ ଉଭୟଙ୍କ ପ୍ରତି ସେ ଘୋର ଅନ୍ୟାୟ କରିଛନ୍ତି ।

 

ତାଙ୍କ ଡାକରେ ବିନ୍ଦୁ ବାହାରକୁ ଚାଲି ଆସିଲେ ।

 

‘‘ତା’ହେଲେ ତୁ ଜିଦ୍‌ ଧରି ବସିଛୁ ଏଯାଏଁ ? –ପ୍ରଶ୍ନକଲେ ସୂର୍ଯ୍ୟକାନ୍ତ ।’’

 

‘‘ଇଏ ଜିଦ୍‌ ନୁହେଁ ବାପା ‘‘ଏହାତ ସ୍ୱାଭାବିକତା, ମାଆ ବଞ୍ଚି ଥାଉଥାଉ ତା ଅନୁପସ୍ଥିତିରେ ପୁଅ ବାହାହେବାକୁ ଯିବ, ଲୋକେ କ’ଣ ଭାବିବେ ?’’ –ମୁଣ୍ଡ ତଳକୁ କରି ସନ୍ତର୍ପଣରେ କହିଲେ ବିନ୍ଦୁ ।

 

‘‘ଆଉ ଯଦି ତୋ କଥାକୁ ମୁଁ ଗ୍ରହଣ ନକରେ ?’’

 

‘‘ମୁଁ ଜାଣେ ଆପଣ ମୋ କଥାକୁ ଗ୍ରହଣ କରିବେ, ଆଜିଯାଏ କେବେ ବି ଆପଣଙ୍କୁ କିଛି ମାଗିନି । ଏଇ ଗୋଟିଏ ମାଗୁଣି ପୂରା କରିବାକୁ କ’ଣ ଆପଣଙ୍କ ପାଖରେ ମନୋବଳର ଅଭାବ ଅଛି ?’’

 

ଚମକି ପଡ଼ିଲେ ସୂର୍ଯ୍ୟକାନ୍ତ । ଅନସୂୟା ଚାଲିଗଲା ବେଳେ କୁଆଡ଼େ ଥିଲା ଏ ମନୋବଳ । ଆଜି ସିଏ ଏତେ ଦୁର୍ବଳ ହୋଇପଡ଼ୁଛନ୍ତି କାହିଁକି ?

 

ଚାରିପଟେ ବନ୍ଧୁଜନେ ଘେରି ରହିଛନ୍ତି । କ’ଣ କହିବେ ସୂର୍ଯ୍ୟକାନ୍ତ ! ସମସ୍ତଙ୍କ ମନରେ ଉତ୍କଣ୍ଠା ।

 

‘‘ବେଶ୍‌ ! ତୋ କଥା ରହିଲା । ତେଣିକି ତୁ ଯାହା ଚାହୁଁଛୁ କର’’ କହି ଦୁମ୍‌କିନା ନିଜ ଶୋଇବା କୋଠରୀକୁ ଚାଲିଗଲେ ସୂର୍ଯ୍ୟକାନ୍ତ ।

 

ମାଆ ତାଙ୍କର ଶୁଣୁଥିଲେ ସବୁକଥା । କ’ଣ କହିଲା ପୁଅ ! ଏତେ ବର୍ଷ ପରେ ରାଜି ହୋଇଗଲା ! ବିଶ୍ଵାସ କରିପାରୁନଥିଲେ ସେ । ଅନସୂୟା ଚାଲିଯିବା ପରେ ବେଶ୍‌ କିଛି ବର୍ଷ ପର୍ଯ୍ୟନ୍ତ ସିଏ ପୁଅକୁ ବୁଝାଇବାରେ ଲାଗିଥିଲେ । ଦାମ୍ପତ୍ୟ ଜୀବନରେ କଳହ କିଛି ନୂଆ କଥା ନୁହେଁ । ସେଥିଲାଗି ପରସ୍ପରଠାରୁ ପୃଥକ ରହିବା ଉଚିତ ନୁହେଁ ବୋଲି ସେ ଯେତେଥର କହିଲେ ମଧ୍ୟ ପୁଅ ଆଦୌ ବୁଝିନଥିଲେ । ଅଥଚ ଆଜି ନିଜ ପୁଅର ପଦେ କଥାରେ ନରମିଗଲେ । ବିନ୍ଦୁସାର ବି ଚମକି ପଡ଼ିଥିଲେ । ସୂର୍ଯ୍ୟକାନ୍ତ ଏତେ ସହଜରେ ରାଜି ହୋଇଯିବେ ବୋଲି ସେ ମଧ୍ୟ ଭାବି ପାରିନଥିଲେ । ସାରା ଘରଟା ଯେମିତି ଜୀବନ୍ୟାସ ପାଇଗଲା । ଏଥର ଚାଲିଲା ଆଲୋଚନା–ଅନସୂୟାଙ୍କୁ ଆଣିବାକୁ ଯିବ କିଏ ? ମଦନ କହିଲେ ‘‘ମୁଁ ଯାଉଛି ଖୁଡ଼ୀଙ୍କୁ ନେଇ ଆସିବି । ମତେ କେବଳ ଠିକଣାଟା କୁହ ।’’

 

ଅନ୍ୟମାନେ ହସି ପକାଇଲେ, ଖୁଡ଼ୀ ଘର ଛାଡ଼ିଲା ବେଳକୁ ବାବୁ ଜନ୍ମ ହୋଇନଥିଲେ । ଏବେ ବାହାରିଛନ୍ତି ବାହୁଡ଼ା ପର୍ବରେ । ଅନସୂୟାଙ୍କୁ ଦେଖିଥିବା ସବୁ ଆତ୍ମୀୟ ତାଙ୍କୁ ଆଣିଯିବା ପାଇଁ କୁଣ୍ଠିତ ହେଲେ । ବଡ଼ କଷ୍ଟରେ ସୂର୍ଯ୍ୟକାନ୍ତ ଏତେବର୍ଷ ପରେ ହଁ ମାରି ଦେଇଛନ୍ତି । ତୁରନ୍ତ ତାକୁ କାର୍ଯ୍ୟରେ ପରିଣତ ନକଲେ ପୁଣି ମନ ବଦଳାଇ ଦେବେନିତ ? ତେବେ ଅନସୂୟା ଯେଭଳି ଭାବେ ଏଠାରୁ ଅପମାନିତା ହୋଇ ଯାଇଥିଲେ, ତାଙ୍କୁ ଏମିତି ଯେ କୌଣସି ଲୋକ ଡାକିବାକୁ ଗଲେ ସିଏ କ’ଣ ଚାଲିଆସିବେ !

 

ହଠାତ୍‍ ଶୋଇବାଘର ଭିତରୁ ବାହାରି ଆସିଲେ ସୂର୍ଯ୍ୟକାନ୍ତ ।

 

‘‘କେହିଯିବା ଦରକାର ନାହିଁ । ମୁଁ ନିଜେ ଯିବି । ମୁଁ ଜାଣେ ଅନ୍ୟ କେହିଗଲେ ବି ଅନୁ ଆସିବନି । ମଦନା ! ତୁ ଆଉ ଗୋଟେ ଗାଡ଼ି ନେଇ ସମୁଦିଘରେ ଖବର ପହଞ୍ଚାଇ ଦେ-ଆମେ ତାଙ୍କ ଘରେ ପହଞ୍ଚିବାରେ ଆଠ/ଦଶଘଣ୍ଟା ଡେରି ହୋଇଯିବ । ସିଏ ବ୍ୟସ୍ତ ହେବେ ନାହିଁ ।

 

ବିନ୍ଦୁ, ମଦନ, ମାଆ ଏବଂ ଅନ୍ୟମାନଙ୍କ ଆଖିରୁ ଲୁହ ଝରି ଆସିଲା । ପଚିଶ ବର୍ଷର ବନବାସ ଆଜି ଶେଷ ହେବାକୁ ଯାଉଛି ।

Image

 

ଦିନେ ସନ୍ଧ୍ୟାରେ

 

ଗାଧୋଇବା ଲାଗି ଦେହରେ ତେଲ ଲଗାଇ ସାରିଲା ବେଳକୁ କଲିଂବେଲ୍‌ ବାଜିଉଠିଲା-। ତେଲ ବୋତଲର ଠିପି ଲଗାଇ କବାଟ ଖୋଲିବାକୁ ଗଲା ସରୋଜ ।

 

ସେପଟେ ଛିଡ଼ା ହୋଇଥିବା ଯୁବକ ଜଣକ କହିଲେ ‘‘ଭାଇ ! ନମସ୍କାର !’’

 

ସରୋଜ ହଠାତ୍‍ ଚିହ୍ନିପାରିଲାନି । କୋଉଠି ଦେଖିଲାଭଳି ମନେ ହେଉଛି, କିନ୍ତୁ ଏଇମୁହୂର୍ତ୍ତରେ ମନେ ପଡ଼ୁନି । ତେବେ କିଛି କହିବା ପୂର୍ବରୁ ଯୁବକ ଜଣକ କହିଲେ ‘‘ମୁଁ ରମେଶ’’ । ଏଥର ମନେ ପଡ଼ିଗଲା ସରୋଜର ! ଭିତରକୁ ଡାକିଲା ।

 

ଦୁହେଁ ବସିଲାବେଳକୁ ସରୋଜ ବିଭିନ୍ନ କଥା ଭାବିସାରିଲାଣି । ଇଏ ତା’ଘର ଚିହ୍ନିଲା କେମିତି ? ଏମିତି ଲୋକ ତା’ଘରକୁ ଆସିବା ଅନ୍ତତଃ ତା’ପାଇଁ ବୋଧହୁଏ ଠିକ୍‌ ହେବ ନାହିଁ । କେତେବେଳେ କୋଉକଥା । ତେବେ ଉପରକୁ ଦମ୍ଭ ରଖି ରମେଶ ସହିତ କଥା ଆରମ୍ଭ କଲା ସରୋଜ ।

 

‘‘ମୋ ଘର ଠିକଣା କିଏ କହିଲା ? କେମିତି ଆସିଲ ? କାମଥିଲା କି ?’’

 

‘‘ଏକାବେଳକେ ଏତେ ପ୍ରଶ୍ନ ।’’ କହି ଅଳ୍ପ ହସିଲେ ରମେଶ । ‘‘ଅଫିସ୍‍କୁ ଯାଇଥିଲି । ଆପଣଙ୍କ ଷ୍ଟାଫ୍‌ ଜଣେ ବାଟ ବତାଇଦେଲେ । ଅବଶ୍ୟ ଏଇଠି ଘରଟା ପାଇବା ଲାଗି କିଛି ସମୟ ଏପଟସେପଟ ହେଲି । ଆପଣ କହୁଥିଲେ ନା ସୁଧାଭାଇଙ୍କ ସାକ୍ଷାତକାର ନେବାକୁ । ଭାଇ ଆସିଛନ୍ତି । ନେବେ କି ?’’

 

ଏଥର ସହଜ ହେଲା ସରୋଜ । ସୁଧାଭାଇଙ୍କ ସାକ୍ଷାତକାରଟେ ନେବା ପାଇଁ ସେ ବେଶ୍‌ କିଛିଦିନ ହେଲା ଆଗ୍ରହ ପ୍ରକାଶ କରିଥିଲା । ସୁଧାଭାଇ ଏବେ ରାଜ୍ୟ ପୁଲିସ ପାଇଁ ଆତଙ୍କ ସାଜିଛନ୍ତି । ସୀମାନ୍ତ ଅଞ୍ଚଳରେ ପ୍ରଶାସନ, ପୁଲିସ ଓ ଅତ୍ୟାଚାରୀ ଜମିମାଲିକଙ୍କ ବିରୋଧରେ ସାଧାରଣ ଲୋକଙ୍କୁ ସଂଗଠିତ କରୁଥିବାରୁ ସେ ଅଞ୍ଚଳରେ ବେଶ୍‌ ଲୋକପ୍ରିୟତା ଅର୍ଜିଛନ୍ତି । ଲୋକେ ତାଙ୍କ ନେତୃତ୍ୱରେ ନିଜର ହକ୍‌ ପାଇବା ପାଇଁ ଅନେକଥର ଅସ୍ତ୍ର ମଧ୍ୟ ଧରିଲେଣି । ସୁଧାଭାଇ ତେଣୁ ପୁଲିସ, ପ୍ରଶାସନ ଓ ଜମିଦାରଙ୍କ ଲାଗି ଆତଙ୍କ ପାଲଟିଛନ୍ତି । ତାଙ୍କୁ ଧରିବା ପାଇଁ ପଚାଶ ହଜାର ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିବା ସତ୍ତ୍ଵେ କେହି ଧରାଇ ଦେଉନାହାଁନ୍ତି ।

 

କିଛିଦିନ ତଳେ ଏଇ ରମେଶ ଆସି ସରୋଜକୁ ଅଫିସରେ ଦେଖାକରିଥିଲେ ଓ କିଛି ସମ୍ବାଦ ଛପାଇ ଦେବାକୁ ଅନୁରୋଧ କରିଥିଲେ । ସୁଧାଭାଇଙ୍କଠାରୁ ସରୋଜ ନାଁ ଶୁଣି ତା’ ପାଖକୁ ଆସିଥିଲେ ସେ । କଥାଛଳରେ, ସୁଧାଭାଇଙ୍କ ସହ ପରିଚୟ ଥିବାରୁ ସେହି ପରିଚିତିକୁ ଆଧାର କରି ତାଙ୍କର ସାଂପ୍ରତିକ କାର୍ଯ୍ୟକଳାପ ସଂପର୍କରେ ଏକ ସାକ୍ଷାତକାର ନେବା ଲାଗି ବ୍ୟବସ୍ଥା କରାଇ ଦେବାକୁ ରମେଶକୁ ଅନୁରୋଧ କରିଥିଲା ସରୋଜ । ରମେଶ ଏ ସଂପର୍କରେ ସୁଧାଭାଇଙ୍କ ସହ କଥା ହେବାର ପ୍ରତିଶ୍ରୁତି ଦେଇଥିଲେ ।

 

ଆଜି ସେ ସୁଯୋଗ ପହଞ୍ଚିଥିବାରୁ ତାକୁ ହାତଛଡ଼ା କରିବାକୁ ଚାହିଁଲାନି ସରୋଜ । କେତେବେଳେ ଓ କେଉଁଠି ଦେଖାହେବ ବୋଲି ପଚାରିଲା । ରମେଶ ବତାଇ ଦେଲେ ପରଦିନ ଭେଟ ହୋଇପାରିବ । ସରୋଜକୁ ବସ୍‍ଷ୍ଟାଣ୍ଡ ପର୍ଯ୍ୟନ୍ତ ଯିବାକୁ ପଡ଼ିବ । ସେଇଠୁ ରମେଶ ତାକୁ ନେଇଯିବେ ନିର୍ଦ୍ଧାରିତ ସ୍ଥାନକୁ । କିନ୍ତୁ ସ୍ଥାନଟା କେଉଁଠି, ସେକଥା ସରୋଜ ବାରମ୍ବାର ପଚାରିବା ସତ୍ତ୍ଵେ ରମେଶ କିଛି କହିଲେନି । ପରଦିନ ଠିକ୍‌ ସମୟରେ ବସ୍‍ଷ୍ଟାଣ୍ଡରେ ପହଞ୍ଚିଯିବାର ପ୍ରତିଶ୍ରୁତି ଦେଲା ସରୋଜ । ରମେଶ ଚାଲିଗଲେ ।

 

ସେଦିନ ବସି ସୁଧାଭାଇଙ୍କ କାର୍ଯ୍ୟକଳାପ ସଂପର୍କରେ ଗତ ଦୁଇବର୍ଷ ମଧ୍ୟରେ ଯେତେସବୁ ସମ୍ବାଦ ଛପାହୋଇଥିଲା ବିଭିନ୍ନ ଖବରକାଗଜ ଓ ପତ୍ରିକାରେ, ସେଗୁଡ଼ିକୁ ପଢ଼ିଲା ସରୋଜ । ଏମିତି ଏକ ସାକ୍ଷାତକାର ନେବାର ସମ୍ଭାବନାକୁ ଆଖି ଆଗରେ ରଖି ଏହି ଖବରଗୁଡ଼ିକୁ ସଂଗ୍ରହ କରିରଖୁଥିଲା । ଆଜି କାମ ଦେଲା ସେଗୁଡ଼ିକ । ସବୁ ସମ୍ବାଦ ଓ ଫିଚର ଭଲଭାବେ ପଢ଼ି କେତେକ ପ୍ରଶ୍ନ ପ୍ରସ୍ତୁତ କଲା । ଓ୍ୱାକମ୍ୟାନଟିକୁ ମଧ୍ୟ ପରୀକ୍ଷା କରିନେଲା, କଣ୍ଡିସନ ଠିକ୍‌ ଅଛି କି ନା’ ଜାଣିବାକୁ ।

 

ସେଦିନ ରାତିରେ ସରୋଜ ଆଖିରେ ନିଦ ନାହିଁ । ଏକ ନୂଆ କାମ କରିବାକୁ ଯାଉଛି ସେ । ଆଜିପର୍ଯ୍ୟନ୍ତ ଓଡ଼ିଶାରେ କୌଣସି ପ୍ରମୁଖ ନକ୍ସଲନେତାଙ୍କ ସାକ୍ଷାତକାର ସମ୍ବାଦପତ୍ରରେ ପ୍ରକାଶପାଇ ନାହିଁ । ଦଶବର୍ଷ ହେଲା ସୁଧାଭାଇଙ୍କୁ ଦେଖିନାହିଁ ସରୋଜ ଯଦିଓ ସୁଧାଭାଇ ମଝିରେ ମଝିରେ କିଛିକିଛି ସମ୍ବାଦ ପଠାଇ ଏକତରଫା ଯୋଗସୂତ୍ର ରଖିଛନ୍ତି । ଦଶବର୍ଷ ତଳର ସୁଧାଭାଇ ଥିଲେ ବେଶ ଭଦ୍ର ଓ ସରଳ । କିନ୍ତୁ ଭାରି ଜିଦଖୋର ମଧ୍ୟ । କଥାରେ ଟିକିଏ ଏପଟସେପଟ ଘଟିଲେ ହଠାତ୍‍ ରାଗିଯିବେ ଓ ହାତ ମଧ୍ୟ ଉଠାଇଦେବେ । ଏବେ ପୁଣି ନକ୍ସଲ ଆନ୍ଦୋଳନରେ ସାମିଲ ହୋଇ ଲୋକଙ୍କୁ ସଂଗଠିତ କରିବା ପରଠାରୁ ଆହୁରି ଉଗ୍ର ହୋଇଯାଇଥିବେ । ଅତୀତର ପରିଚିତିକୁ ନେଇ ସରୋଜ ତାଙ୍କ ପାଖକୁ ଯିବ । କିନ୍ତୁ ପ୍ରଶ୍ନକରିବାରେ ବା ଅନ୍ୟ କୌଣସି ଥିରେ ସାମାନ୍ୟ ତ୍ରୁଟି ଘଟିଲେ ତା’ର ଯଦି କିଛି କ୍ଷତି ଘଟାଇବେ ? ବସ୍‌ଷ୍ଟାଣ୍ଡରୁ କୁଆଡ଼େ ଯିବାକୁ ହେବ, କେତେଦିନ ପାଇଁ ଯିବାକୁ ହେବ କିଛି କହିଲେ ନାହିଁ ରମେଶ । ଏଣେ ଘରେ ସରୋଜର ନବପରିଣିତା ପତ୍ନୀ ସ୍ମୃତି । ସରୋଜକୁ ଟିକିଏ ଟିକିଏ ଭୟ ମଧ୍ୟ ଲାଗୁଥାଏ । ତେବେ ସବୁ ଯଦି ଠିକ୍‌ଠାକ୍‌ ଚାଲେ, ତା’ହେଲେ ସୁଧାଭାଇଙ୍କ ସାକ୍ଷାତକାର ଛପାଇ ବେଶ୍‌ ଚାଞ୍ଚଲ୍ୟ ସୃଷ୍ଟି କରାଯାଇପାରିବ । ବେଶ୍‌ କିଛି ବର୍ଷପରେ ସୁଧାଭାଇଙ୍କ ସହ ଦେଖାସାକ୍ଷାତ ହେବ ଓ ତାଙ୍କ ସଂପର୍କରେ ରାଜ୍ୟବାସୀଙ୍କ ମନରେ ଥିବା କିଛି ଧାରଣାକୁ ସାକ୍ଷାତକାର ମାଧ୍ୟମରେ ବଦଳାଇପାରିବ ବୋଲି ସରୋଜ ଭାବୁଥିଲେ ।

 

ସୁଧାଭାଇଙ୍କ ସଂପର୍କରେ ସ୍ମୃତିକୁ କିଛି ନକହିବାକୁ ସ୍ଥିର କଲା । କାଳେ ଭୟ ପାଇ ଯିବସେ, କାଳେ ମନା କରିବ ଯିବାକୁ । କିନ୍ତୁ ଯଦି ସୁଧାଭାଇ କିଛି ଅଘଟଣ ଘଟାନ୍ତି, ଦୁନିଆ ଜାଣିବ କେମିତି ? ଶେଷକୁ ସୁଧାଭାଇଙ୍କ ନିକଟକୁ ଯାଉଥିବା କଥା ଓ କେଉଁସ୍ଥାନକୁ ଯାଉଛି ସେ ବିଷୟରେ ଜାଣିନଥିବା କଥା ଗୋଟିଏ କାଗଜରେ ଲେଖି ନିଜ ଟେବୁଲ ଉପରେ ଥିବା ଫୁଲଦାନୀ ତଳେ ରଖିଦେଲା ସରୋଜ । ଚାରିଦିନ ମଧ୍ୟରେ ଘରକୁ ନଫେରିଲେ ପୋଲିସର ଆଶ୍ରୟ ନେବାକୁ କାଗଜଟିରେ ଲେଖିଦେଲା । ପ୍ରତିଦିନେ ଦୁଇଦିନରେ ଫୁଲଦାନୀଟିକୁ ସ୍ମୃତି ଏପଟ ସେପଟକରେ, ସେତିକିବେଳେ ସେ ଚିଠିଟା ପାଇଯିବ । ଚାରିଦିନ ଭିତରେ ସରୋଜ ଘରକୁ ଫେରିଥିଲେ ତ ଭଲ, ନଫେରିଥିଲେ ସ୍ମୃତି ବିକଳ୍ପ ବ୍ୟବସ୍ଥାକରିବ ।

 

ନିର୍ଦ୍ଧାରିତ ସମୟରେ ହ୍ୟାଣ୍ଡବ୍ୟାଗଟେ ସଜାଡ଼ି ସରୋଜ ବାହାରିଲା । ଟ୍ରାଉଜର, ଘରପିନ୍ଧା ସାର୍ଟଖଣ୍ଡେ, ଓ୍ୱାକମ୍ୟାନ, କାଗଜ, କଲମ, ଟର୍ଚ୍ଚ ଆଦି ଅତ୍ୟାବଶ୍ୟକ ଜିନିଷ କିଛି ବ୍ୟାଗରେ ପୁରାଇଲା ଓ ଗୋଟେ ଜରୁରୀ ଅଫିସ୍‍ କାମରେ ଚାରିଦିନ ପାଇଁ ବାହାରକୁ ଯାଉଛି ବୋଲି ସ୍ମୃତିକୁ କହିଲା । ସ୍ମୁତି ଯେତେ ପଚାରିଲେ ମଧ୍ୟ କୁଆଡ଼େ ଯାଉଛି ନିଜେ ବି ଜାଣିନାହିଁ ବୋଲି ଦର୍ଶାଇଲା ଓ ବାହାରିଗଲା ।

 

ବାରମ୍ବାର ପଛକୁ ଫେରି ଚାହୁଁଥିଲା ସେ । ସ୍ମୃତି ଦାଣ୍ଡଦୁଆରେ ସେମିତି ଛିଡ଼ା ହୋଇ ରହିଛି । ସରୋଜ ଭାବୁଥିଲା କିଏ ଜାଣେ ତା’କାମ ସୁରୁଖୁରୁରେ ହେବକି ନାହିଁ । ଭଲରେ ଫେରିବ କି ନାହିଁ ? ପ୍ରଥମଥର ପାଇଁ ତା’ମନ ଦୁର୍ବଳ ହୋଇଗଲା, କାହିଁକି ଭଲା ସୁଧାଭାଇଙ୍କ ସାକ୍ଷାତକାର ପାଇଁ ଏତେ ହମହମ ହେଉଥିଲା । ନ ନେଇଥିଲେ କ’ଣ ଚଳୁନଥିଲା ? ଅଯଥା ହାଣମୁହଁକୁ ବେକ ଦେଖାଉଛି । ପୁଣି ମନକୁ ଦୃଢ଼କଲା । ସାମ୍ବାଦିକର ଜୀବନରେ ଏମିତି କିଛି କାମ କରାଯିବା ଉଚିତ ବୋଲି ନିଜକୁ ନିଜେ ସାନ୍ତ୍ଵନା ଦେଲା ।

 

ବସ୍‌ଷ୍ଟାଣ୍ଡରେ ପହଞ୍ଚିଲାବେଳକୁ ରମେଶ ଅପେକ୍ଷା କରିଥିଲେ । ସରୋଜ ଘଣ୍ଟାକୁ ଚାହିଁଲା, ନିର୍ଦ୍ଧାରିତ ସମୟଠାରୁ ଦଶମିନିଟ ଆଗୁଆ ପହଞ୍ଚିଛି । ସନ୍ଧ୍ୟା ହେବାକୁ କିଛି ସମୟ ବାକି ଅଛି । ସନ୍ଧ୍ୟାବେଳେ ବସ୍‌ଷ୍ଟାଣ୍ଡକୁ ଆସିଥିବାରୁ ସମ୍ଭବତଃ ସୁଧାଭାଇ କାମ କରୁଥିବା ସୀମାନ୍ତ ଅଞ୍ଚଳକୁ ହିଁ ଯିବାକୁ ପଡ଼ିପାରେ ବୋଲି ଭାବିଲା ସରୋଜ । ମାଲକାନଗିରି ଯାଉଥିବା ଏକ ଦ୍ରୁତଗାମୀ ବସରେ ଚଢ଼ିଲେ ସେମାନେ । ସରକାରୀ ବସ୍‍ଟା ଭିତରେ ତଥାପି କିଛି ସିଟ୍‌ ଖାଲି ପଡ଼ିଥାଏ । ସମ୍ଭବତଃ ଆଗୁଆ ଟିକେଟ କରିଥିବା ଯାତ୍ରୀ ଆସିନାହାଁନ୍ତି, କିମ୍ବା ପରବର୍ତ୍ତି କୌଣସି ଷ୍ଟପେଜରୁ ଉଠିବାର ଥିବ । ଦୁହେଁ ଗୋଟିଏ ଦୁଇଟିକିଆ ସିଟରେ ବସିଲେ । ଏଥର ରମେଶକୁ ସରୋଜ ପଚାରିଲା ପ୍ରକୃତରେ କେତେବାଟ ଯିବାକୁ ପଡ଼ିବ । ବସ୍‌ଟା ମାଲକାନଗିରି ଯାଉଛି, ସେମାନେ କ’ଣ ସେତେବାଟ ଯିବେ ? ରମେଶ ମନାକଲେ । କହିଲେ, ‘‘ଏଇ ଆଗ ସହରକୁ ଯିବା । ସୁଧାଭାଇ ସେଇଠି ଅପେକ୍ଷା କରିଥିବେ ।’’

 

ଅଧଘଣ୍ଟା ପରେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିଗଲେ ସରୋଜ ଓ ରମେଶ । ବସ୍‌ରୁ ଓହ୍ଲାଇ ନିକଟସ୍ଥ ଛୋଟ ବଜାର ଆଡ଼କୁ ଚାଲିଲେ । ଦୁଇ ଚାରିଟି ଦୋକାନ ପଡ଼ିଛି । ଚେକଗେଟଟେ ଅଛି । ସେଠି କିଛି ପୁଲିସ ଜମାହୋଇ ଚେକଗେଟ ଦେଇ ଯାତାୟତ କରୁଥିବା ଗାଡ଼ିକୁ ସର୍ଚ୍ଚ କରୁଥାନ୍ତି । ସେମାନଙ୍କୁ ଦେଖି ସରୋଜ ମନେ ମନେ ଭାବିଲା, ସୁଧାଭାଇ ଆସୁଥିବା କଥା ଆଉ ପୋଲିସ ଜାଣି ପାରିଛି କି ? ଗାଡ଼ିମଟର ସେଇଥିପାଇଁ ଖାନତଲାସ ହେଉଛି କି ? କିନ୍ତୁ ରମେଶକୁ ସେ କିଛି ପଚାରି ପାରୁନଥାଏ ।

 

ଅକ୍ପ ସମୟ ଛିଡ଼ା ହୋଇଛନ୍ତି, ମୁହଁରେ ମଙ୍କିକ୍ୟାପଟେ ଲଗାଇ କେହି ଜଣେ ସେମାନଙ୍କ ଆଡ଼କୁ ଜୋରରେ ଆସୁଥିବାର ଦେଖିଲା ସରୋଜ । ରମେଶ ସୂଚନା ଦେଲେ, ଭାଇ ଆସିଗଲେ । ସରୋଜ ଚାହିଁଲା । ସେ ଶେଷଥର ଦେଖିବା ବେଳେ ସୁଧାଭାଇ ବେଶ୍‌ ସ୍ୱାସ୍ଥ୍ୟବାନ ଥିଲେ । ଅଥଚ ୟା’ ଭିତରେ କେତେ ଝଡ଼ିଯାଇଛନ୍ତି । ପାଖରେ ପହଞ୍ଚିବାରୁ ସରୋଜ ନମସ୍କାର କଲା । ସୁଧାଭାଇ ତା’ର ଭଲମନ୍ଦ ପଚାରିଲେ । ପୁଣି ଛକଠାରୁ ଦୂରକୁ କୌଣସି ନିଛାଟିଆ ସ୍ଥାନକୁ ଯିବା ଲାଗି ପରାମର୍ଶ ଦେଲେ । ଚେକଗେଟ ଟପି ତିନିଜଣଯାକ ଯିବା ବେଳକୁ ସରୋଜର ଛାତି ଧଡ଼ପଡ଼ ହେଉଥାଏ, ପୁଲିସମାନେ ଜାଣିଯିବେନିତ ? ସୁଧାଭାଇଙ୍କ ପ୍ରତି ବିପଦ ନାହିଁ ତ ।

 

ନା ! କିଛି ଘଟିଲାନି । ସେମାନେ ଆରାମରେ ପାର ହୋଇଗଲେ ଛକଟା । ଶୀତ ପଡ଼ିବା ଆରମ୍ଭ ହେଉଥାଏ । କିନ୍ତୁ ମଙ୍କିକ୍ୟାପ୍‌ ଲଗାଇବା ଭଳି ସମୟ ପହଞ୍ଚି ନାହିଁ । ସୁଧାଭାଇ କହିଲେ, ଏ ଶୀତ ଦିନରେ ଆତ୍ମଗୋପନ ପାଇଁ ସୁବିଧା ହୁଏ । ମଙ୍କିକ୍ୟାପ୍‍ ପିନ୍ଧିଥିଲେ ସହଜରେ ଜଣାପଡ଼େ ନାହିଁ । ଅତୀତରେ ସେ ସକ୍ରିୟଥିବା ଅଞ୍ଚଳରେ ତାଙ୍କ ଚେହେରାର ସାଦୃଶ୍ୟଥିବା ଜଣେ ଲୋକକୁ ପୁଲିସ ଭ୍ରମରେ ପଡ଼ି ଧରିନେଇ ଦୁଇଦିନ ଅଟକ ରଖିଥିଲା । ଭାଗ୍ୟକୁ ଲୋକଟା ସରକାରୀ ଚାକିରିଆ ହୋଇଥିବାରୁ ତା’ର ପରିଚୟ ପାଇ ପୋଲିସ ଛାଡ଼ିଦେଲା ।

 

ସେଠାରୁ ବେଶ୍‌ କିଛିବାଟ ଆସିବା ପରେ ଗୋଟିଏ ପୋଲ ଉପରେ ତିନିଜଣ ଯାକ ବସିଲେ । ସୁଧାଭାଇ ୟା’ ଭିତରେ ସରୋଜଠାରୁ ତା’ କ୍ୟାରିୟର ଏବଂ ଘରକଥା ପଚାରି ସାରିଥାନ୍ତି । ପୋଲରେ ବସିବା ପରେ ସେ କହିଲେ ‘କ’ଣ ପଚାରିବା କଥା ପଚାର ?’ ସରୋଜ ଓ୍ୱାକମ୍ୟାନଟା କାଢ଼ୁଥିଲା । ସୁଧାଭାଇ ମନାକଲେ । ଏ ନିଛାଟିଆ ସ୍ଥାନରେ ଓ୍ୱାକମ୍ୟାନ ଧରି କଥାବାର୍ତ୍ତା କଲେ, ଯଦି କାହାର ନଜର ପଡ଼ିବ ଓ ସନ୍ଦେହ କରିବ, ତା’ହେଲେ ଅସୁବିଧା ହୋଇପାରେ । କିନ୍ତୁ ସରୋଜ ବୁଝାଇଦେଲା, ରେକର୍ଡିଂ ନକଲେ ଯେଉଁ ରିପୋର୍ଟ ଛାପିବ ସେଇଟା ପ୍ରକୃତରେ ସୁଧାଭାଇଙ୍କର ମନ୍ତବ୍ୟ ବୋଲି ପ୍ରମାଣିତ ହେବ କିପରି ? ବ୍ୟାଗ ଭିତରେ ଅନ୍‌କରି କାମ ଚଳାଇ ନେବ ବୋଲି କହିବାରୁ ସୁଧାଭାଇ ରାଜିହେଲେ ।

 

ଏଥର ସାକ୍ଷାତକାର ନେବା ପର୍ବ ଆରମ୍ଭ ହେଲା । ସୁଧାଭାଇ ଏଭଳି ନକ୍ସଲ ଆନ୍ଦୋଳନରେ କାହିଁକି ପଶିଲେ, ହିଂସାଦ୍ୱାରା ଉଦ୍ଦେଶ୍ୟ ପୂରଣ ହୋଇ ପାରୁଛି କି ନାହିଁ, ବଣ ଜଙ୍ଗଲରେ ଲୁଚି ଲୁଚି ସରକାରୀକଳ ବିରୋଧରେ ଲୋକଙ୍କୁ ମତାଇ ସେମାନଙ୍କର ସ୍ୱାର୍ଥରକ୍ଷା କରିବା ସମ୍ଭବ କି ନୁହେଁ, ଆଦି ବିଷୟରେ ସରୋଜ ପଚାରିଲା । ତା’ଛଡ଼ା ସୁଧାଭାଇଙ୍କ ସାଂସାରିକ ଜୀବନ ବିଷୟରେ ମଧ୍ୟ । ସେ ନକ୍ସଲ ଆନ୍ଦୋଳନରେ ସାମିଲ ହେବା ଏବଂ ତାଙ୍କ ଲୋକଙ୍କଦ୍ଵାରା କେତେକ ଜମିଦାର ଓ ପୁଲିସ ନିହତ ହେବା ଘଟଣା ଯୋଗୁ ସରୋଜ ଭାବି ନେଇଥିଲା ଯେ, ସେ ପୁରାପୁରି ହିଂସ୍ର ଲୋକଟିଏ ହୋଇ ସାରିଥିବେ । କିନ୍ତୁ ଆଲୋଚନା ବେଳେ ସେମିତି କିଛି ଅନୁଭବ କଲିନି । ବରଂ ତା’ର ଉତ୍ୟକ୍ତ କଲାଭଳି ଅନେକ ପ୍ରଶ୍ନରେ ମଧ୍ୟ ସୁଧାଭାଇ ରାଗୁନଥିଲେ । ନିଜ ନୀତି ଓ ଆଦର୍ଶର ଉଚ୍ଚ ପ୍ରଶଂସା କରୁଥିଲେ ।

 

ଏଠିକୁ ଆସିବା ପୂର୍ବରୁ ସୁଧାଭାଇଙ୍କ ପ୍ରତି ସରୋଜ ମନରେ ଯେଉଁ ଆତଙ୍କ ଭରିଯାଇଥିଲା, ତାହା କମି ଆସିଲାଣି । ସୁଧାଭାଇ ଯେ ଏବେବି ନରମ ମନଟିଏ ରଖିଛନ୍ତି ତା’ ହୃଦବୋଧ ହେଲା ସରୋଜର । ଭିତରକୁ ନରମ ଥିବା ସୁଧାଭାଇ ଜମିଦାର ଏବଂ ସରକାରୀକଳ ଉପରେ ଆକ୍ରମଣର ନେତୃତ୍ୱ ନେବାବେଳେ ହିଂସ୍ର ହୋଇପାରନ୍ତି କେମିତି ? କୌତୁହଳ ଚାପିନପାରି ପଚାରିଦେଲା ସରୋଜ । ସୁଧାଭାଇ ଉତ୍ତର ଦେଲେ, ନୀତି, ଲକ୍ଷ୍ୟ ଓ ଆଦର୍ଶ ଆଗରେ ହିଂସା ବଡ଼ କଥା ନୁହେଁ । ତା’ଛଡ଼ା ତାଙ୍କ ଲୋକମାନେ ହଠାତ୍‍ ହିଂସ୍ର ହୁଅନ୍ତି ନାହିଁ । ଯା ବିରୋଧରେ କାର୍ଯ୍ୟାନୁଷ୍ଠାନ ହୁଏ ତାଙ୍କୁ ବାରମ୍ବାର ବୁଝାଯାଏ । ଲୋକଙ୍କର ସ୍ଵାର୍ଥବିରୋଧି କାମ ନକରିବାକୁ ଅନୁରୋଧ କରାଯାଏ । ତଥାପି ଯଦି ଅନୁରୋଧ ଗ୍ରହଣ କରାନଗଲା ତ ଧମକ ଦିଆଯାଏ । କେତେଥର ଧମକ ଦେବା ପରେ ବି ଲୋକଟି ସୁଧୁରି ନଗଲେ ଶେଷରେ ଆକ୍ରମଣ କରାଯାଏ । ଆଉ ଆକ୍ରମଣର ଅର୍ଥହେଲା ମୃତ୍ୟୁଦଣ୍ଡ । ମୃତ୍ୟୁଦଣ୍ଡଠାରୁ ଆଉ କୌଣସି କୋହଳ ଦଣ୍ଡର ବ୍ୟବସ୍ଥା ତାଙ୍କ ସଂଗଠନରେ ନାହିଁ । ଅବଶ୍ୟ ଚେତାବନୀ ଦେବା ପାଇଁ ପୂର୍ବରୁ ସେ ଲୋକର ଘର ଉପରେ ଚଢ଼ାଉ କରାଯାଏ କିମ୍ବା ଫସଲ କାଟି ନିଆଯାଇ ଆଦିବାସୀଙ୍କ ମଧ୍ୟରେ ବାଣ୍ଟି ଦିଆଯାଏ ।

 

କଥାବାର୍ତ୍ତା ଭିତରେ ରାତି ନଅଟା ବାଜିଗଲାଣି । ଘଣ୍ଟାକୁ ଚାହିଁ ସରୋଜ ବ୍ୟସ୍ତ ହୋଇପଡ଼ିଲା । ଦୂରଜାଗାକୁ ଯାଇଥିଲେ, ଫେରିବାର ସୁବିଧା ନଥିବାରୁ ବାଧ୍ୟ ହୋଇ ରାତିରେ ରହିଥାନ୍ତା । କିନ୍ତୁ ଏଠି ରହିବାର ଆବଶ୍ୟକତା ନାହିଁ । ସାକ୍ଷାତକାର ବି ସରିଗଲାଣି । ଏଥର ଓ୍ୱାକମ୍ୟାନ ବନ୍ଦକଲା ସେ । ଭୁବନେଶ୍ଵର ଫେରିଯିବାକୁ ହେବ ବୋଲି ସୁଧାଭାଇଙ୍କୁ କହିଲା । ରମେଶ ଫେରିବେନି । ତେଣୁ ଏକାକୀ ଭୁବନେଶ୍ୱର ଫେରିବାକୁ ହେବ । ସେଇ ଛକ ଦେଇ ସେମାନେ ପୁଣି ଫେରିଲେ । ସେ ଯାଏଁ ପୁଲିସ ପାର୍ଟି ଛିଡ଼ା ହୋଇଥାନ୍ତି । ସୁଧାଭାଇ ଓ ରମେଶ ତାକୁ ବିଦାୟ ଦେଇ ଚାଲିଗଲେ । ଏଇଠୁ ସରୋଜ ଟ୍ରକରେ ଚାଲିଯିବ । ମୁଖ୍ୟ ଛକକୁ ଯିବା ଦରକାର ନାହିଁ । କାରଣ ସେପଟେ ଆଉ ବସ ନଥିବ । ଛକରେ ସରୋଜ ଗାଡ଼ିକୁ ଅପେକ୍ଷା କରିଥିବା ବେଳେ ଜଣେ କନେଷ୍ଟବଳ ଏକ ପାନଦୋକାନରୁ ପାନ ନେଉଥିବା ଦେଖିଲା । ସାମ୍ବାଦିକ ମନତ ! ପୋଲିସ ପାର୍ଟି ଛିଡ଼ା ହେବାର କାରଣ ଜାଣିବାକୁ ମନହେଲା ସରୋଜର । କନେଷ୍ଟବଳକୁ ପଚାରିବାରୁ ତା’ପ୍ରତି ଅବଜ୍ଞା ନଜର ପକାଇ ଲୋକଟି କହିଲା ‘‘ଗୋଟେ ନକ୍ସଲ ଏପଟେ ଯିବ ବୋଲି ଖବର ମିଳିଛି । ତେଣୁ ସନ୍ଦେହଜନକ ମନେ ହେଉଥିବା ଗାଡ଼ିଗୁଡ଼ିକୁ ସର୍ଚ୍ଚ କରାଯାଉଛି ।’’ ଚମକି ପଡ଼ିଲା ସରୋଜ । ପ୍ରଥମରୁ ସେ ଯେଉଁ ଅନୁମାନ କରୁଥିଲା, ସେଇଟା ତା’ହେଲେ ସତ । ପୁଣି ପଚାରିଲା ‘ନକ୍ସଲକୁ ଚିହ୍ନିଛନ୍ତି ତ ? ଜାଣିବେ କେମିତି ?’ କନେଷ୍ଟବଳ ବିରକ୍ତିରେ କହିଲା ‘‘ଓହୋ ! ବାବୁ ଆମେ କେମିତି ଜାଣିବୁ ନ ଜାଣିବୁ ସେଇଟା ଆମ କାମ । ତମର ମୁଣ୍ଡ କିଆଁ ବଥଉଛି ହୋ !’’

 

ମନେ ମନେ ହସିଲା ସରୋଜ । ଚଳଚ୍ଚିତ୍ରଗୁଡ଼ିକରେ ପୁଲିସକୁ ପ୍ରାୟ ଏହିଭଳି ଭୂମିକା ମିଳିଥାଏ । ଅପରାଧୀ ଚାଲିଗଲା ପରେ ପୁଲିସ ଆସେ, ନଚେତ ହିରୋ ନିଜ ଜୀବନକୁ ବିପନ୍ନ କରି ଅପରାଧୀକୁ ହରେଇ ସାରିବା ପରେ ପହଞ୍ଚେ । ଦୂରରୁ ଟ୍ରକଟେ ଆସୁଥିଲା । ଚେକ୍‌ପୋଷ୍ଟରେ ପୋଲିସ ଅଟକାଇ ତଲାସି ନେଲେ ଓ ଛାଡ଼ିଦେଲେ । ହେଲପରକୁ ଅନୁରୋଧ କରି ସରୋଜ ସେଥିରେ ଚଢ଼ିଗଲା । ଭାଗ୍ୟକୁ ଟ୍ରକଟା କଟକ ଯାଉଥାଏ । ତେଣୁ ବାଣୀବିହାର ପର୍ଯ୍ୟନ୍ତ ଚାଲିଆସିଲା ସେଥିରେ । ରାତି ଏଗାର ବାଜିଗଲାଣି । ବାଣୀବିହାର ଛକରେ ଅଟୋ ନଥିଲା କିଛି-। ଘର ପର୍ଯ୍ୟନ୍ତ ପ୍ରାୟ ଦୁଇ କିଲୋମିଟର ବାଟ । ଚାଲିବା ବ୍ୟତୀତ ଉପାୟ ନାହିଁ ।

 

ସୁଧାଭାଇଙ୍କ ସାକ୍ଷାତକାର ସଂଗ୍ରହ କରିପାରିଥିବାରୁ ତଳେ ଗୋଡ଼ ଲାଗୁନଥାଏ ତା’ର-। କିଭଳି ଲେଖିବ; ସୁଧାଭାଇ ତ ଏତେକଥା କହିଲେ, କୋଉ କଥାକୁ ଗୁରୁତ୍ୱଦେବ, କେଉଁଟା ଆଗ ଲେଖିବ, ଏମିତି ଭାବୁଥାଏ । ଲେଖାଟିକୁ ମନେ ମନେ ରୂପରେଖ ଦେଉ ଦେଉ ଘରେ ପହଞ୍ଚିଗଲା ସେ ।

 

କଲିଂ ବେଲରେ ହାତମାରୁ ମାରୁ କବାଟ ଖୋଲିଲାଣି ସ୍ମୃତି । ସତେଅବା ଅପେକ୍ଷା କରି ବସିଥିଲା । ସରୋଜ ଗଡ଼ଜିତିବାର ହସ ନେଇ ଭିତରକୁ ପଶିଲାବେଳକୁ ତାକୁ ଜାବୁଡ଼ି ଧରି ଭୋ ଭୋ କାନ୍ଦିଲା ସ୍ମୃତି । ଚମକି ପଡ଼ିଲା ସରୋଜ । ୟାର କ’ଣ ହେଲା ? ପଚାରିଲେ ବି ଉତ୍ତର ଦେଉନଥାଏ ସ୍ମୃତି । ଡ୍ରଇଂରୁମ୍‌କୁ ପଶିବା ପରେ ପ୍ରଥମେ ଫୁଲଦାନୀଟା ଆଡ଼େ ନଜର କଲା ସରୋଜ । ଏଇଟାର ସ୍ଥାନ ବଦଳ ହୋଇଛି । ଏଥର ସ୍ମୃତି କାନ୍ଦିବାର କାରଣଟା ସ୍ପଷ୍ଟ ହୋଇଗଲା । ହସିଲା ସରୋଜ–‘‘ଏଇଥି ପାଇଁ କାନ୍ଦ ? ତମେ ଚିଠିଟାକୁ ଏତେ ଶୀଘ୍ର ପାଇଗଲ ? ସନ୍ଧ୍ୟାବେଳେ ତ ଫୁଲଦାନୀ ବଦଳାଇବା କଥା ନୁହେଁ ।’’

 

ସ୍ମୃତି କିଛି କହୁ ନଥାଏ । ତା’ ଆଖିର ଆବେଗ ହିଁ ଜଣାଇଦେଉଥାଏ ସବୁ । ଭବିଷ୍ୟତରେ ଆଉ ଏଭଳି ଦୁଃସାହସ ନକରିବାକୁ ସତେ ଅବା ବାରଣ କରୁଛି ସେ । ସରୋଜ ଆଉ ଟିକେ ଜୋରରେ ଭିଡ଼ିଧରିଲା ସ୍ମୃତିକୁ । କହିଲା ‘‘ବେଳେ ବେଳେ ଏମିତି କରିବାକୁ ହେବ । ନଚେତ କାମର ଗୁରୁତ୍ୱ କେମିତି ଜଣାପଡ଼ିବ ? ମୁଁ ତ ନକ୍ସଲନେତାଙ୍କ ପାଖକୁ ଯାଇଥିଲି । ଯେଉଁ ସାମ୍ବାଦିକମାନେ କାର୍ଗିଲ ଯୁଦ୍ଧକ୍ଷେତ୍ରରୁ ରିପୋର୍ଟଂ କରୁଥିଲେ, ସେମାନଙ୍କ ପରିବାର କେମିତି ଭାବୁଥିବେ ! ଯେତେବେଳେ ମୋ ରିପୋର୍ଟ ପେପରରେ ଛପାହେବ, ଚହଳ ପଡ଼ିଯିବ ରାଜ୍ୟରେ । ସେଇଟା କ’ଣ ତମ ପାଇଁ ଖୁସିର କଥା ନୁହେଁ ?’’

 

ନୀରବରେ ମୁଣ୍ଡ ଟୁଙ୍ଗାରିଲା ସ୍ମୃତି ।

Image

 

ଗୋଟେ ପ୍ରେମଗଳ୍ପ

 

ପୂଜାପାଇଁ ସଂପାଦକ ବନ୍ଧୁଙ୍କଠାରୁ ବାରମ୍ବାର ତାଗିଦ ଆସୁଛି ଶୀଘ୍ର ଗୋଟେ ଭଲ ପ୍ରେମ ଗଳ୍ପ ଲେଖି ପଠାଅ । କିନ୍ତୁ ସରୋଜ କ’ଣ କରିବ ଜାଣି ପାରୁନି । ଯେତେ ଚେଷ୍ଟା କଲେବି ଆଜି କାଲି ଭଲ ଗପତ ଛାଡ଼, ସାଧାରଣ ଗପଟିଏ ବି ଲେଖିହେଉନାହିଁ । ସ୍ମୃତି ଯେତେ ଦିନ ତା’ର ପ୍ରେମିକା ରହି ଆସିଥିଲା, ବେଶ୍‌ କେତେଟା ପ୍ରେମ ଗପ ଲେଖିପାରିଥିଲା ସରୋଜ । ଅଥଚ ଯେଉଁ ଦିନଠୁ ସ୍ମୃତିକୁ ବାହା ହେଲା ଗପ ଲେଖିବା ପ୍ରାୟ ବନ୍ଦ । ସ୍ମୃତି ବି ନିଜେ ନିଜକୁ ଅପରାଧିନୀ ମନେ କଲା ‘‘ମୋ ଲାଗି ତମେ ଆଉ ଲେଖାଲେଖି କରିପାରୁନନା ?’’ ସରୋଜ କହିଲା, ‘‘ତମ ଲାଗି କ’ଣ ? ତମେ କ’ଣ ମୋ ଲେଖିବା ବନ୍ଦ କରିଦେଲ ? ଆରେ ବାବା ! କିଛି ପ୍ଲଟତ ମନକୁ ଆସୁନି, ଲେଖିବି କ’ଣ ?’’

 

କିନ୍ତୁ ପ୍ରକୃତରେ ବାହାଘର ପରଠୁ ଗପ ଲେଖିନପାରିବାର କାରଣ ସ୍ମୃତି ହିଁ ଥିଲା । ଜଞ୍ଜାଳ ଭିତରେ ସମୟ କାଢ଼ିବା କଷ୍ଟ ହୋଇପଡ଼ୁଥିଲା ସରୋଜ ପାଇଁ । ଚିନ୍ତା କରିବାକୁ ତ ଫୁରୁସତ ନାହିଁ, ଲେଖିବା ପାଇଁ ଭାଷା ଓ ପ୍ଲଟ ପାଇବ କେଉଁଠୁ ? ତେଣୁ ସ୍ମୃତି ଯେଉଁଦିନ ବାପଘରକୁ ମାସେ ପାଇଁ ଗଲା, ସରୋଜ ଭାବିଲା ଏଇ ମାସକ ଭିତରେ ଅନ୍ତତଃ ୨/୩ଟି ଗପ ଲେଖିଦେବ । ଆଗକୁ ପୂଜା ବଜାର ରହିଲା ୫ମାସ । ଏବେଠୁ ନ ଲେଖିଲେ ହେବନି । କିନ୍ତୁ ଏମିତି ଭାବନାରେ ହିଁ ପଳେଇଗଲା ୧୫ଦିନ । ଶେଷରେ ଦିନେ ବିରକ୍ତ ହୋଇ ଏକାଜିଦରେ କାଗଜ କଲମ ଧରି ବସିଲା । ଯାହାହେଲେବି ଆଜି ଦ୍ୱିପହରଟାରେ ଲେଖା ହେବ । ଥର୍ମୋଫ୍ଳାସ୍କରେ ଚା’ କରି ଭର୍ତ୍ତି କଲା । ମଝିରେ ମଝିରେ କପେ ଚା’ ପିଆ ଯାଉଥିବ, ଲେଖା ଚାଲିଥିବ ।

 

ନା । ତଥାପି ହେଉନି । ଗପ କବିତା ଲେଖିବା କ’ଣ ମାଟି ହାଣିବା କାମ ହୋଇଛି ଯେ, କୋଡ଼ି କୋଦାଳ ଧରି ଦେଲେ ଆରମ୍ଭ ହୋଇଯିବ । କେମିତି ଗପ ଲେଖିବ, ପ୍ରେମ ପ୍ଲଟଟିକୁ କେମିତି ଆରମ୍ଭ କରିବ, କେଉଁଠି ସରିବ କିଛି ଚିନ୍ତାର ଖିଅ ମୁଣ୍ଡକୁ ଜୁଟିଲାନି । ଶେଷରେ ବିରକ୍ତ ହୋଇ ଭାବିଲା ନିଜର ନହେଉ ନିଜ ସାଙ୍ଗମାନଙ୍କର ପ୍ରେମାନୁଭୂତିକୁ ଲେଖି ପକାଇବ । ସେଇଠୁ କଲମ ଧରି ସ୍ମରଣ କଲା ଶ୍ରୀ ଗଣେଶଙ୍କୁ ପ୍ରଭୁ ଭାଷାଦିଅ, ପୁଣି ସ୍ମରଣ କଲା କାମଦେବଙ୍କୁ–ପ୍ରଭୁ ମନ ଦିଅ ।

 

ନିଜ କଥା ଲେଖିଲେ କେଉଁଠୁ ଆରମ୍ଭ କରିବ । ତା’ ଜୀବନର ପ୍ରଥମ ପ୍ରେମାନୁଭୁତି ଆସିଥିଲା ନବମ ଶ୍ରେଣୀରେ । ତାରି ସହପାଠିନୀ ମୀତା ସେତେବେଳେ ତା’ ପଛେ ପଛେ ଗୋଡ଼ାଉ ଥିଲା । ଅନ୍ୟ ଝିଅମାନେ ଜାଣି ସାରିଥିଲେ ଏକଥା । ସ୍କୁଲରେ ସରୋଜ ଯୁଆଡ଼େ ଚାଲିଲା, ମୀତା ନେତୃତ୍ୱରେ ଆଉ କେତେଜଣ ଝିଅ ସିଆଡ଼େ ଚାଲିଲେ । ଏବେ ସେକଥା ମନେ ପଡ଼ିଲେ ହସ ଲାଗେ ସରୋଜକୁ । ଏବେ ସେ ଜାଣୁଥିଲା ଯେ ନବମ ଶ୍ରେଣୀରେ ପଢ଼ୁଥିବା ଝିଅମାନେ ପ୍ରଥମେ ନିଜ ଟ୍ୟୁସନ ସାର୍‍ଙ୍କ ପ୍ରତି ଆକୃଷ୍ଟ ହୁଅନ୍ତି । କିନ୍ତୁ ମୀତା ତା’ ଆଡ଼କୁ ଢଳିଲା କେମିତି ? ସେ କ’ଣ ଟ୍ୟୁସନ କରୁନଥିଲା ? ନା ତାର ଟ୍ୟୁସନମାଷ୍ଟର ବେରସିକଥିଲେ । ଦିନେ ଦିନେ ସରୋଜ ସ୍କୁଲରେ ଖେଳଛୁଟି ସମୟରେ ଖେଳୁଥିବ, ଶ୍ରେଣୀରେ ଥିବ ବହି ବସ୍ତାନି । ଖେଳସାରି ଫେରିଲା ବେଳକୁ ତା’ ରଫ ଖାତାରେ ଗୁଡ଼ାଏ ୟାଡ଼ୁସ୍ୟାଡ଼ୁ ଲେଖିଦେଇଥିବ ମୀତା । ସେ ସମୟରେ ପ୍ରେମର ଭାଷାଥିବ ପୁରା ଗାଉଁଲି ଚିଠିର ଭାଷା ପରି–ନଡ଼ିଆ ଗଛର ପତର, କରିବନି ମୋତେ ହତାଦର । ତାଳ ଗଛ ଡାଳେ ବଣି, ତମ ପାଇଁ ମନ ସାଇତି ରଖିଛି, ତମ ମନ କଥା ଜାଣି । ଏବେକୁ ସିନା ଏଗୁଡ଼ା ମନେ ପଡ଼ିଲେ ଶସ୍ତା ଗୀତ ଭଳି ଲାଗୁଛି, ସେତେବେଳେ କିନ୍ତୁ ମନ ଭିତର ଥରି ଯାଉଥିଲା- ରୋମାଂଚିତ ହୋଇ ଯାଉଥିଲା ଛାତି ତଳ । ହେଲେ ପ୍ରେମ ସେଠି ଗଜୁରିବା ପୂର୍ବରୁ ସରୋଜର ବାପାଙ୍କ ଅନ୍ୟତ୍ର ବଦଳି ହୋଇଗଲା । ଖରାଛୁଟି ଭିତରେ କେହି ନଜାଣିବା ଅବସ୍ଥାରେ ସରୋଜକୁ ଛାଡ଼ିବାକୁ ପଡ଼ିଲା ସେ ସ୍ଥାନ । ଏପରିକି ସ୍କୁଲରୁ ଟିସି ନେଲା ଦିନ, ମୀତାକୁ ଦେଖିବ ବୋଲି ଭାବିଥିଲେ ମଧ୍ୟ ପାରିଲାନି । ବାସ୍‌ ! ଜୀବନର ପ୍ରଥମ ପ୍ରେମ ଆରମ୍ଭ ହେଉ ହେଉ ଶେଷ । ତା’ ପରଠୁ ମୀତା ଖବର କିଛି ଜାଣିବା ୟା ଭିତରେ ୧୫ବର୍ଷ ବିତି ଗଲାଣି ମାନେ ମୀତା ନିଶ୍ଚୟ ଆଠ/ଦଶବର୍ଷ ହେଲା ବାହା ସାହା ହୋଇ ସଂସାର ଗଢ଼ିବଣି ।

 

ନା ହେଲା ନାହିଁ । ମୀତା ସହିତ ପରିଚିତିର ଏମିତି କେଉଁ ଅବା ମଧୁର ସ୍ମୃତି ଥିଲା ଯେ, ତାକୁ କଳ୍ପନାର ପୁଟ ଦେଇ ପୁରା ଗପଟିଏ ଲେଖିହେବ ? ଏଥର ସରୋଜ ଅନ୍ୟ ପ୍ଲଟ ଖୋଜିଲା । ଆଉ କାହାର ପ୍ରେମ କଥା ଲେଖିଲେବି ଚଳନ୍ତା । କିନ୍ତୁ କା କଥା ଲେଖିବ ? ଲେଖିବକି ରାକେଶର, ଯିଏ କଲେଜ ପଢ଼ିବା ବେଳେ ଦିନାକେତେ ଲାଇନ ମାରୁଥିଲା ରିନିକୁ, ଅଥଚ ରିନି ହଠାତ୍‍ ବାହା ହୋଇଗଲା ପରେ ପାଗଳ ଭଳି ହୋଇଗଲା ଏବଂ ଦିନେ ହଷ୍ଟେଲର ଫ୍ୟାନରେ ଝୁଲାଇ ଦେଲା ନିଜକୁ । ନା ଏଇଟା ପ୍ରେମ କଥା ହୋଇପାରିବନି । ଟ୍ରାଜେଡି କ’ଣ ଲଭଷ୍ଟୋରିର ଶେଷ କଥା ? ଏମିତି କଥା ତ ପାଠକେ ଫିଲ୍ମରେ ଦେଖି ଆସୁଛନ୍ତି ବାରମ୍ବାର । ୟା ଗପ ପଢ଼ିବାକୁ ଯିବ କିଏ ? ଶେଷକୁ ଭାବିଲା, ନାଇଁ ୟା ତା କଥା ଲେଖିବା ଅପେକ୍ଷା ସ୍ମୃତି ସହିତ ତା’ର ପ୍ରେମ ଅନୁଭୂତି ଲେଖିଲେ କେମିତି ହୁଅନ୍ତା ।

 

ହେଲେ କେଉଁଠୁ ଆରମ୍ଭ କରିବ ! କଲେଜରେହିଁତ ସେମାନଙ୍କର ପ୍ରେମର ଆରମ୍ଭ ! ଅବଶ୍ୟ ପ୍ରଥମ ଦେଖାର ପ୍ରେମ ନୁହେଁ, ତେଣୁ ମନେରଖିବା ଭଳି ପ୍ରଥମ ପ୍ରେମର ଦିନ ଟିଏ ନାହିଁ-। ଏମିତି ସାଙ୍ଗ ହେଉ ଦିନେ ଉଭୟେ ପରସ୍ପରକୁ ଭଲ ପାଉ ଥିବାର ଅନୁଭବ କଲେ । ବାସ୍‌-! ଯେଉଁଦିନ ସରୋଜ, ତା’ ମନ କଥା ସ୍ମୃତିକୁ ଜଣାଇବ ବୋଲି ମନେ ମନେ ଭାବି କଲେଜକୁ ଆସିଥିଲା, ସେଦିନ ସ୍ମୃତି ମଧ୍ୟ ସେଇଆ ଭାବି ଆସିଥିଲା । ଅଥଚ କେହି କାହାରିକୁ ମୁହଁ ଖୋଲି କହିପାରିଲେନି । ସରୋଜ ଲେଖିଲା ଦୁଇଧାଡ଼ିର ଛୋଟ ଚିଠିଟାଏ ‘‘ସ୍ମୃତି ! ସିଧାସଳଖ ଲେଖିଛି–ଆଇ ଲଭ୍‌ ୟୁ । ତମେ ଯଦି ମତେ ଭଲ ପାଉଥାଅ ୩ଟା ବେଳକୁ କ୍ୟାଣ୍ଟିନ ଆସିବ ।’’ ଗାର୍ଲସ କମନ ରୁମ୍‍କୁ ଯାଇ ସ୍ମୃତିକୁ ଡାକିଲା ସରୋଜ ଏବଂ ଚିଠିଟିକୁ ଧରାଇଦେଲା ବେଳକୁ ସ୍ମୃତି ମଧ୍ୟ ତା ହାତରେ ଚିଠିଟିଏ ଧରାଇ ଦେଇ ତରତରରେ ପଶିଗଲା କମନ ରୁମ୍‌କୁ । ସରୋଜ ବାହାରେ ଆସି ସ୍ମୃତି ଦେଇଥିବା ଚିଠି ଖୋଲି ପଢ଼େତ ସିଏବି ସେଇଆ ଲେଖିଛି- ସରୋଜ ! ଆଇ ଲଭ୍‍ ୟୁ । ଆଜି ତିନିଟା ବେଳେ କ୍ୟାଣ୍ଟିନକୁ ଆସିବ ନିଶ୍ଚୟ !

 

ଚମକିପଡ଼ିଲା ସରୋଜ । ଆରେ ଇଏ କ’ଣ ଟେଲିପାଥି ଭଳି ମନେ ହେଲା । ସିଏ ଯାହା ଲେଖିଛି, ସ୍ମୃତିବି ସେଇୟା ! ସେଦିନ କ୍ୟାଣ୍ଟିନରେ ପରସ୍ପରକୁ ଦେଖିବା ବେଳେ ଉଭୟଙ୍କୁ ମନେ ହେଲା ସତେ ଯେମିତି ଏଇ ପ୍ରଥମ ଥର ପାଇଁ ସେମାନେ ପରସ୍ପରକୁ ଦେଖୁଛନ୍ତି । ବାସ୍‌ । ଆରମ୍ଭହେଲା ପ୍ରେମ ଓ ଏବେ ପ୍ରେମରୁ ବିବାହ ।

 

ନା । ଏକଥା ବି ଲେଖି ପାରିବନି ସରୋଜ । ତା’ର କଲେଜ ପଢ଼ା ସାଙ୍ଗ ଅନେକ ଜାଣିଛନ୍ତି ତା’ ପ୍ରେମାନୁଭୂତିର ଅଧିକାଂଶ କଥା । ତେଣୁ ଗପଟି ଲେଖିଲେ ସେମାନେ ଚିଡ଼ିବେ ନାହିଁ ତ ! ପ୍ରେମକରିତ ବାହା ହେଲ, ପୁଣି ସେକଥାକୁ ଗପଭଳି ଲେଖୁଛି ? ଆଉ କିଛି ପ୍ଲଟ ମିଳିଲାନି ? ସରୋଜ ଭାବିଲା ତା’ ଦୁର୍ବଳତା ଧରାପଡ଼ିଯିବ । ନା ଯେତେ ଚେଷ୍ଟାକଲେ ମଧ୍ୟ ହେଲାନି । ଥର୍ମୋଫ୍ଲାସ୍କରୁ ଚା’ କପେ ପିଇଲା, ବାହାରେ ଦଶ ପନ୍ଦର ମିନିଟ ବୁଲିଆସିବାକୁ ଭାବି ବାହାରିଲା ।

 

ଇଲେକସନ ପାଇଁ ପ୍ରଚାର ଚାଲିଛି । ଆହୁରି ୫ ମାସ ରହିଲାଣି ଇଲେକସନ । ଅଥଚ ଏବେଠୁ ରାଜନୀତିଜ୍ଞମାନେ ବୁଲିବା ଆରମ୍ଭ କଲେଣି । ଏଥର ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରେ ଇଲେକଟ୍ରୋନିକ ଭୋଟିଂ ମେସିନ ବା ଇଭିଏମଦ୍ଵାରା ଭୋଟରମାନେ ଭୋଟଦେବାର ନୂଆ ଅନୁଭୂତି ପାଇବେ । ପୂର୍ବରୁ ଦେଶରେ ଅନ୍ୟ କେତେକ ସ୍ଥାନରେ ଗତ ନିର୍ବାଚନରେ ମଧ୍ୟ ଇଭିଏମ ବ୍ୟବହାର କରାଯାଇଥିଲା । ଗତଥର ନିର୍ବାଚନବେଳେ ସରୋଜ ଦିଲ୍ଲୀରେ ଥିଲା । ସେଠି ଇଭିଏମରେ ଭୋଟ ନିଆଯାଉଥିଲା ବୋଲି ନିର୍ବାଚନ କମିଶନ ବା ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଏହି ମେସିନଗୁଡ଼ିକୁ ରଖାଯାଇ, ୟାର ବ୍ୟବହାର କରିବା ପ୍ରଣାଳୀ ଜନସାଧାରଣଙ୍କୁ ବୁଝାଯାଉଥିଲା, ସେହି ସମୟରେ ସରୋଜ ମଧ୍ୟ ଦେଖିଥିଲା ଗୋଟିଏ ଇଭିଏମ । ମେସିନର ନୀଳ ବୋତାମଟିକୁ ଦେଖି ସରୋଜ ତା ସାଙ୍ଗକୁ କହିଲା ଇଏ ତ ଭାଇ ଇଭିଏମ ନୁହେଁ, ପଲିଟିକାଲ ଭାଏଗ୍ରା । ସାଙ୍ଗ ଜଣକ ବୁଝିପାରିଲାନି ତା’ କଥାକୁ । ସରୋଜ ବୁଝାଇଦେଲା ‘‘ଆରେ ଭାଇ ! ଭାଏଗ୍ରା ଜାଣିଛତ ? ସେହି ଯୌନଶକ୍ତି ବର୍ଦ୍ଧକ ବଟିକାମ । ସେଇଟା ନୀଳରଙ୍ଗର ପରା ଆମ ଇଭିଏମର ଏଇ ନୀଳ ବୋତାମ ମଧ୍ୟ ସେଇ ଭାଏଗ୍ରା ଭଳି । ୟାକୁ ଠିକ୍‌ଭାବରେ ଉପଯୋଗ ନକଲେ ଦିବର୍ଷରେ ଏଥର କ’ଣ ଭୋଟଦେଲ ଆଉଥରକୁ ବର୍ଷକରେ ଦେବାକୁ ପଡ଼ିବ ।’’

 

ଏବେ ସରୋଜର ସେକଥା ମନେ ପଡ଼ିଲା । ଦେଖ କାକତାଳୀୟ କଥା ଭଳି ସେଇବର୍ଷକ ପରେ ହିଁ କେମିତି ସରକାର ଭାଙ୍ଗିଲା ଆଉ ଦେଢ଼ ବର୍ଷ ମଧ୍ୟରେ ଭୋଟରମାନେ ପୁଣି ଭୋଟ ଦେବାକୁ ଯାଉଛନ୍ତି ।

 

ଘରକୁ ଫେରିଆସିଲା ସରୋଜ । ସେ ରାଜନୀତିରୁ କ’ଣ ମିଳିବ ! କିନ୍ତୁ ଗପଟିଏ ଯେ ଲେଖି ହେଉନି । ଲେଖିବା ପାଇଁ ପ୍ଲଟଟେ ମିଳି ଯାଆନ୍ତା ଯଦି ଯାହିତାହି କରି ଲେଖିଦେଇ ସଂପାଦକ ବନ୍ଧୁ ପାଖକୁ ପଠାଇଦିଅନ୍ତା । ଯଦି ମନକୁ ଆସନ୍ତା ନାହିଁ ବନ୍ଧୁଙ୍କର, ତେବେ ବି ଅସୁବିଧା ନାହିଁ । ନିଜ କାମତ କରିଦେଇଛି ନା । ସବୁବେଳେ କ’ଣ ଭଲ ପ୍ରେମ ଗପଟିଏ ଲେଖିହେବ ! ସିଏ କ’ଣ ବିଭୂତି ପଟ୍ଟନାୟକ ନା ପରେଶ ପଟ୍ଟନାୟକ କି ଅଜୟ ସ୍ଵାଇଁ ହୋଇଛି ? ଓହୋଃ ! ବିରକ୍ତ ଲାଗିଲା ତାକୁ । ପୁଣି କପେ ଚା’ ପିଇଲା । ସିଗାରେଟଟେ କାଢ଼ି ନିଆଁ ଧରାଇଲା ବେଳକୁ ବାହାରେ ଅଟୋ ରହିବାର ଶବ୍ଦ ଶୁଭିଲା । ପୁଣି କିଏ ବିରକ୍ତ ବଢ଼ାଇବାକୁ ଆସିଲା ବୋଲି ମନେ ମନେ ଗୁଣୁଗୁଣେଇ ଦିଆସିଲିଟାକୁ ତଳେ ପକାଇ ଦେଲା । ପକେଟରେ ସିଗାରେଟକୁ ଭର୍ତ୍ତି କରି ଦାଣ୍ଡକୁ ଆସିଲା । ଆରେ ! ସ୍ମୃତି ଯେ । ଏତେ ଶିଘ୍ର କ’ଣ ଚାଲି ଆସିଲ ?

 

ଅଟୋବାଲାକୁ ପାଉଣା ଦେଇ ସ୍ମୃତି ଆଟାଚକୁ କାଢ଼ି ଆଣିବା ବେଳକୁ ସରୋଜ ତା’ଠାରୁ ଭିଡ଼ି ଆଣି ଆଶ୍ଚର୍ଯ୍ୟ ଭାବରେ ଚାହିଁଥିଲା । ସ୍ମୃତି କହିଲା ଚାହିଁଛ କ’ଣ ମ ? ଅଷ୍ଟମ ଆଶ୍ଚର୍ଯ୍ୟ ଦେଖୁଛ କି ?

 

ଥ, ଥ, ମ,ମ, ହୋଇଗଲା ସରୋଜ । ନୁହେଁ ଆଉ କ’ଣ ? କିହୋ ! ତମେତ ମାସେ ପାଇଁ ଯାଇଥିଲ । ଏଇ ୧୫ଦିନ ନହେଉଣୁ ଫେରିଆସିଲ ଯେ ।

 

‘‘ବାପା ବୋଉ ଗାଁର ଗୋଟିଏ ଦଳ ସହିତ ତୀର୍ଥ ଯାଉଛନ୍ତି । ମୁଁ ଆଉ ରହିଥାନ୍ତି କାହିଁକି-? ଚାଲିଆସିଲି ।’’ କହିଲା ସ୍ମୃତି । ଭିତରକୁ ଗଲେ ଦୁହେଁ । ଟେବୁଲଉପରେ କାଗଜ, କଲମ ଦେଖି ସ୍ମୃତି ପଚାରିଲା ମୁଁ ନଥିଲା ଭିତରେ କ’ଣ ସବୁ ଲେଖିଛ କହିଲ ! ମୁଁ ଥିଲା ବେଳେ ଡିଷ୍ଟର୍ବ କରୁଥିଲି ପରା !

 

ହସିଲା ସରୋଜ ଆହେ ! ଲେଖିବି ନା ଛେନାଗୁଡ଼ । ଗୋଟେ ପ୍ରେମ ଗଳ୍ପ ଲେଖିବି ବୋଲି ବସିଛି ଯେ ଦି ଘଣ୍ଟା ହେଲାଣି ମନକୁ କିଛି ପ୍ଲଟ ଆସୁନି ।

 

ୟେ ଦେଖ ! ମୁଁ ଥିଲାବେଳେ ତ କହୁଥିଲ ଯେ ମୁଁ ଡିଷ୍ଟର୍ବ କରୁଛି ତେଣୁ ଲେଖି ପାରୁନ-। ଏବେ କିଏ ଥିଲା କି ତମକୁ ଲେଖାଇ ଦେଲାନି ? –କହିଲା ସ୍ମୃତି । ସରୋଜ ଉତ୍ତର ଦେଲା ଛାଡ଼-। ଲେଖିବାକୁ ପ୍ଲଟ ପାଇଲେ ସିନା ଲେଖିବି । ସମ୍ଭବତଃ ତମକୁ ବାହା ହେଲା ପରଠାରୁ ପ୍ରେମ କାହାଣୀ ଗୁଡ଼ିକ ମୋ ମନରୁ ମରିଗଲେଣି । ଏବେ ବୁଝୁଛି । ପ୍ରେମ ଗଳ୍ପ ଲେଖିବି କ’ଣ, ତମେ ହିଁ ତ ମୋର ପ୍ରେମ ଗଳ୍ପ । ତମକୁ ଲେଖିବି ତମକୁ ପଢ଼ିବି । –ସ୍ମୃତିକୁ ଏକଦମ୍‌ କୁଣ୍ଢାଇଧରି କହିଲା ସରୋଜ ଏବଂ କିଛି ସମୟ ପାଇଁ ଦୁହେଁ ଦୁହିଁଙ୍କ ଭିତରେ ହଜିଗଲେ ।

Image

 

ଦର୍ପଣ ଭାଙ୍ଗିଗଲା

 

ରାଉରକେଲାରେ ମାମୁଁ ପୁଅଭାଇର ବ୍ରତଘର । ଭୁବନେଶ୍ୱରରୁ ଶତାଧିକ ଟଙ୍କାର ବାଟ-। ସରୋଜ ପରିବାରର ସବୁ ସଭ୍ୟ ଯିବା ସମ୍ଭବ ନଥିବାରୁ ଅବଶେଷରେ ସରୋଜକୁ ହିଁ ପରିବାରର ପ୍ରତିନିଧିତ୍ୱ କରିବା ସୁଯୋଗ ମିଳିଲା । ବାଣୀବିହାର ଛକରୁ ବସରେ ଚଢ଼ି ନିଜ ସିଟ ପାଖରେ ପହଞ୍ଚିବା ପରେ ଜାଣିଲା ଯେ ପାଖ ସହଯାତ୍ରୀ ଜଣେ ନାରୀ । ଲଗେଜ କ୍ୟାରିଅରରେ ଆଟାଚଟିକୁ ଥୋଇ ଚେନ ବାନ୍ଧି ଦେଲା ପରେ ସିଟରେ ବସିଲା ସରୋଜ । ବସ୍‍ ଛାଡ଼ିଲା ।

କିଛିବାଟ ପରେ ସରୋଜ ଚାହିଁଲା ସହଯାତ୍ରିଣୀଙ୍କୁ । ବେଶ୍‌ ସୁନ୍ଦରୀ ଓ ସ୍ମାର୍ଟ । ଅବିବାହିତା ନିଶ୍ଚୟ–ହାତରେ ଚୂଡ଼ି ବା ମଥାରେ ସିନ୍ଦୂରର ଚିହ୍ନବର୍ଣ୍ଣ ନାହିଁ ପରା । ସୁନ୍ଦରୀ ସହଯାତ୍ରିଣୀ, ପୁଣି ଅବିବାହିତା । ବେଶ୍‍ ଜମିଯିବ ବାଟଯାକ-ମନେ ମନେ ଭାବିଲା ସରୋଜ ଏବଂ ଆରମ୍ଭ କରିଦେଲା ବାଣୀବିହାର ଛାତ୍ରଙ୍କ ଚିରାଚରିତ ଟ୍ରାପିଙ୍ଗ କୌଶଳ ।

‘‘ଆପଣ କୁଆଡ଼େ ଯିବେ ?’’ –ପଚାରିଲା ସେ ।

‘‘ମୁଁ ? ବାରକୋଟ ଯିବି ।’ ଉତ୍ତର ଦେଲେ ସହ ଯାତ୍ରିଣୀ ।

‘ମୋ ନାଁ ସରୋଜ । ଯିବି ରାଉରକେଲା ।’

‘ମୁଁ ସୁନୀତା । ଭଲ ହେଲା କଥାବାର୍ତ୍ତା କରିହେବ ବାଟଯାକ । ରାତିବସ ଜର୍ଣ୍ଣିଂରେ ମୋର ଶୋଇବା ଅଭ୍ୟାସ ନାହିଁ । ଆପଣଙ୍କୁ ନିଦ ଲାଗିବ କି ?’’- ଏକାଥରକେ କହି ଚାଲିଲେ ସହଯାତ୍ରିଣୀ ।

‘ଏଁ । ନା । ନା ମୁଁ ବି ଶୁଏନି । ହେଁ ହେଁ... ।’ –ଉତ୍ତର ଦେଲା ସରୋଜ ।

ପ୍ରକୃତରେ ସରୋଜ ପୂରାପୂରି ନିଦୁଆଟିଏ । ରୁମରେ ବସି ସାଙ୍ଗସାଥୀଙ୍କ ସହିତ କଥା ହେଉଥିବ ତ କେତେବେଳେ ଢୁଳେଇ ପଡ଼ିବଣି । ସେଇଥିଲାଗି ସବୁବେଳେ କହେ–‘ସୁନ୍ଦର ନିଦ୍ରାର ଅବସାନ ନାହିଁ, ଯେତେ ଶୋଉଥିଲେ ନିଦ ଆସୁଥାଇ ।’ ବସ୍‍କୁ ଆସିବା ପୂର୍ବରୁ ସେ ନିଶ୍ଚିତ କରି ଆସିଥିଲାଯେ, ସିଟରେ ବସୁ ବସୁ ଶୋଇ ପଡ଼ିବ ତ ଏକା ଥରକେ ଉଠିବ ରାଉରକେଲାରେ । କିନ୍ତୁ ପାଖରେ ସୁନ୍ଦରୀ ତରୁଣୀ, ପୁଣି ଆଳାପର ଖୋଲା ଆମନ୍ତ୍ରଣ । ଛାଡ଼ିହେବ କି ? ମନେ ମନେ ଖୁସି ହୋଇଗଲା ।

 

ବାଟଯାକ ସୁନୀତା ବିଭିନ୍ନ କଥା କହି ଚାଲିଥାଏ । ସରୋଜ କେତେବେଳେ ହୁଁ ମାରୁଥାଏ ତ କେତେବେଳେ ପଦେଅଧେ କଥା ଯୋଡ଼ୁଥାଏ । ଅସଲ କଥା ହେଉଛି, ସୁନୀତାକୁ ନେଇ ଗୁଡ଼ାଏ ସୁଖସ୍ଵପ୍ନ ଭାବି ସାରିଥିଲା ମନେ ମନେ ଏବଂ ସେଇ କାରଣରୁ ସୁନୀତାର ଅଧାକଥା ତା ମୁଣ୍ଡରେ ଢୁକୁ ନଥାଏ । ଅତଏବ ହୁଁ ମାରିବା ଛଡ଼ା ଗତି ନାହିଁ ।

 

ତାଳଚେର ପାଖାପାଖି ସୁନୀତା ନିଜ ଭାନିଟିରୁ ଛୋଟିଆ ଦର୍ପଣଟିଏ କାଢ଼ି ମୁହଁ ଦେଖିନେଲା, ସାଇବାବା ମାର୍କା ଝାମ୍ପୁରା ବାଳକୁ ପାନିଆରେ କୁଣ୍ଡାଇ ଆଣିଲା । ‘‘ଓଃ ! ମ୍ୟାଡାମ୍‌ ତ ବେଶ୍‌ ସଚେତନ ନିଜ ଚେହେରା ସଂପର୍କରେ’’–ମନେ ମନେ ଭାବିଲା ସରୋଜ ।

 

‘‘ମୁଁ ଏଇଟାକୁ ସବୁବେଳେ ପାଖେ ପାଖେ ରଖିଥାଏ । ଯାହାହେଲେ ବି ଝିଅ ପିଲାତ !’’ କହିଲା ସୁନୀତା ଓ ହସିଦେଲା ଫିକ୍‌ କରି । ସରୋଜ ଛାତିରେ ଫୁଲଶରଟିଏ ବାଜିଗଲା ଯେମିତି । ସୁନୀତା ଦେହରେ ଘସି ହୋଇ ଝରକାକୁ ଖୋଲିଦେଲା । ଦଲକାଏ ପବନ ଲେସି ହୋଇଗଲା ମୁହଁରେ, ସୁନୀତା ଡ୍ରେସରେ ପଡ଼ିଥିବା କଡ଼ା ପର୍ଫ୍ୟୁମର ବାସ୍ନା ସହିତ । ରୋମାଞ୍ଚିତ ହେଲା ସରୋଜ । ଆଃ !

 

ଭାବିଲା ସୁନୀତାକୁ ଅଫର ଦେବ । ବାଣୀବିହାରରେ ଏତେ ଝିଅଙ୍କ ସହ ମିଶିଛି, ଅଥଚ ସୁନୀତା ଭଳି ଝିଅଟେ କେବେ ଦେଖିନଥିବା ଭଳି ମନେ ହେଲା ତାକୁ । ଅବଶ୍ୟ ମନ ତଳେ ପ୍ରେମ ସୃଷ୍ଟି କରି ଦେଇଥିବା ଯେ କୌଣସି ଝିଅ ସବୁ ପୁରୁଷଙ୍କୁ ଅନନ୍ୟା, ଅସାମାନ୍ୟା, ମନେ ହୁଅନ୍ତି । ଦୁହିଁଙ୍କ ଆଲୋଚନା ଚାଲିଥାଏ । ବାରକୋଟ ପାଖେଇ ଆସୁଥାଏ । ସରୋଜ ପକେଟରୁ ପକେଟ ନୋଟ ଓ କଲମ କାଢ଼ି ଲେଖିଲା ‘‘ସୁନୀତା ! ଆଇ ଲଭ୍‍ ୟୁ ।’’ ଲେଖିଲା ନିଜ ଠିକଣାବି । ଭାବିଲା, ସୁନୀତା ବସରୁ ଓହ୍ଲାଇଲା ବେଳକୁ ଗୁଞ୍ଜିଦେବ ତା’ ହାତରେ ।

 

ବସ୍‍ ଅଟକିଲା ବାରକୋଟରେ । କିଛି ସମୟ ରହଣି ହେବ । କାରଣ ଚା’ ପିଆ ହୁଏ ଏଠି । ସୁନୀତା କହିଲା ‘‘ହେଇ ଦେଖନ୍ତୁ । ସେଇ ଚା’ ଦୋକାନ ପାଖରେ ଛିଡ଼ା ହୋଇଥିବା ହାଣ୍ଡସମଙ୍କୁ । ମାଇଁ ହଜ୍‌ବ୍ୟାଣ୍ଡ । ଆସନ୍ତୁ ପରିଚୟ କରାଇ ଦେବି ।’’

 

ଚମକି ପଡ଼ିଲା ସରୋଜ । କ’ଣ ହେଲା, ସୁନୀତା ବିବାହିତା ? ସରୋଜ ପାଟି ଥର ଥମ ହୋଇଗଲା । କାଗଜ ଟୁକୁରାଟି ରହିଗଲା ହାତ ମୁଠାରେ । କହିଲା ‘‘ନା ! ଯାଆନ୍ତୁ ! ମୋ ମୁଣ୍ଡଟା ଚିକେ ବିନ୍ଧୁଛି ।’’

 

‘‘ହଉ । ମୁଁ ଚାଲିଲି । ଆପଣଙ୍କ ସହ ଏଇ କେତେ ଘଣ୍ଟା ବେଶ୍‌ ଭଲ ଲାଗିଲା’-ଉତ୍ତର ଦେଲା ସୁନୀତା ଏବଂ ପୁଣି ଭାନିଟିରୁ ଦର୍ପଣ କାଢ଼ି ମୁହଁକୁ ଦେଖିନେଲା । ଏତିକିବେଳେ ପଛରୁ କେହି ଜଣେ ଚାଲିଆସୁ ଆସୁ ଧକ୍କା ଲାଗିଲା ସୁନୀତା ଦେହରେ । ହାମୁଡ଼ାଇ ପଡ଼ିଲା ସେ । ହାତରୁ ଛିଟକିଗଲା ଦର୍ପଣ-ଚୂନା ହୋଇଗଲା । ଆହାଃ ! କହି କହି ଓହ୍ଲାଇଗଲା ସୁନୀତା । ପଛ ଲୋକମାନେ ସତର୍କତାର ସହ ଓହ୍ଲାଇଲେ ।

 

ତଳେ ଚା’ ପିଉଥିବା କ୍ଲିନରଟା ଆସି ଗୋଟାଇଲା କାଚ ଟୁକୁଡ଼ା । ବିଡ୍‌ବିଡ୍‍ ହୋଇ ବହେ ଶୋଧିଗଲା ସୁନୀତାକୁ । ସରୋଜ ଚାହିଁଲା ତାକୁ । କାଚତକ ଗୋଟାଇ କ୍ଲିନରଟି ଫିଙ୍ଗିଦେଲା ବେଳକୁ ସରୋଜ କହିଲା, ‘‘ଥାଉ । ପିଙ୍ଗନି । ମତେ ଦେଇଦିଅ ।’’ ବଢ଼ାଇ ଦେଲା ରୁମାଲ । ବିସ୍ମୟରେ କ୍ଲିନରଟି କାଚଟୁକୁରାତକ ଢାଳିଦେଲା ରୁମାଲରେ ।

 

ଜାବୁଡ଼ି ଧରିଲା ସରୋଜ । ଓଃ ! ଖୁବ୍‌ ଡେରି ହୋଇଗଲା ।

Image

 

ହୋଲି

 

ଆର ସାହିର ବାସୁ ପ୍ରତିଦିନ ସଂଧ୍ୟାରେ ଆସି ରେବତୀକୁ ଦୁଇଘଣ୍ଟା ଲେଖାଏଁ ଗଣିତ ପଢ଼ାଇବ ବୋଲି ବାପା ଯେଉଁଦିନ ଘରେ ଘୋଷଣା କଲେ, ପ୍ରଥମେ ଜେଜୀ ଏହାର ଘୋର ବିରୋଧ କରିଥିଲେ । ରେବତୀ ଦଶମ ଶ୍ରେଣୀର ଛାତ୍ରୀ । ଅନ୍ୟସବୁ ବିଷୟରେ ଭଲ ପଢ଼ୁଥିଲେ ମଧ୍ୟ ଗଣିତରେ ଟିକିଏ ଦୁର୍ବଳ । ତେଣୁ ତା’ପାଇଁ ଗଣିତରେ ଟ୍ୟୁସନର ଆବଶ୍ୟକତା ଥିଲା । ରେବତୀ ଏକଥା ବାପାଙ୍କୁ କହିବାରୁ ଟ୍ୟୁସନ ପାଇଁ ବାପା ରାଜି ହୋଇଗଲେ । କିନ୍ତୁ କାହାଘରକୁ ଯାଇ ଟ୍ୟୁସନ ହେବାଟାକୁ ବାପା ପସନ୍ଦ କଲେନାହିଁ । ନିଜ ଘରେ ହିଁ କେହି ଜଣେ ଭଲ ଟ୍ୟୁସନ ମାଷ୍ଟର ଯେମିତି ଆସି ପଢ଼ାଇବେ ତା’ର ବ୍ୟବସ୍ଥା କରିବାକୁ ଉଦ୍ୟମ କଲେ ସେ ।

 

କିନ୍ତୁ ଗାଁ ହାଇସ୍କୁଲର ଗଣିତ ଶିକ୍ଷକ ନିକଟବର୍ତ୍ତି ସହରରୁ ଯା’ ଆସ କରନ୍ତି । ସହରରେ ଟ୍ୟୁସନବି ଅଛି ତାଙ୍କର । ତେଣୁ ଗାଁ ସ୍କୁଲର ପିଲାଙ୍କ ପାଇଁ ଏ ଗାଁରେ ରହିବାକୁ ସେ ରାଜି ନୁହଁନ୍ତି । ଗାଁର ପାଠୁଆ ପିଲାମାନଙ୍କୁ ଏକଥା ବେଶ୍‌ ସୁହାଏ । ଗଣିତ ଓ ବିଜ୍ଞାନ ବିଷୟରେ ଗାଁ ସ୍କୁଲର ପିଲାମାନଙ୍କୁ ଏଇ ପାଠୁଆ ପିଲାମାନେ ହିଁ ଟ୍ୟୁସନ କରନ୍ତି । ବାସୁ ବି.ଏସ୍‌ସସି ପାସ୍‍ କରି ଗାଁରେ ଅଛି । ଭଲ ପଢ଼ୁଥିଲେ ମଧ୍ୟ ପାରିବାରିକ ସମସ୍ୟା ଯୋଗୁଁ ଅଧିକ ପଢ଼ିପାରିଲାନି କି ଚାକିରି କରିବାକୁ ଗାଁ ବାହାରକୁ ଯାଇପାରିଲାନି । ଗାଁ ପିଲାଙ୍କୁ ସେ ଗଣିତ ଟ୍ୟୁସନ କରେ । ଘରେ ସଂପତ୍ତି କିଛି ଅଛି । ଜମିବାଡ଼ିରୁ ଭଲ ଆମଦାନୀ ହୁଏ । ଟ୍ୟୁସନଟା କେବଳ ତା’ପାଇଁ ଟାଇମ୍‌ ପାସ୍‍ର ମାଧ୍ୟମ । ତେଣୁ ଗ୍ରୁପ୍‌ ଟ୍ୟୁସନ ନକରି ଦୁଇ ଚାରିଜଣ ପିଲାଙ୍କୁ ସେମାନଙ୍କ ଘରକୁ ଯାଇ ପଢ଼ାଏ । ଭଲ ପଢ଼ାଏ ବୋଲି ଅଧିକ ଟଙ୍କା ମଧ୍ୟ ଦାବି କରେ । ଗାଁରେ ଅଧିକ ଟଙ୍କା ଦେଇ ନିଜ ପିଲାଙ୍କୁ ଟ୍ୟୁସନ ପଢ଼ାଇବା ଭଳି ଲୋକଙ୍କ ସଂଖ୍ୟା ମଧ୍ୟ ହାତଗଣତିରେ ଅଳ୍ପ କେତୋଟି । ତେବେ ବାସୁର ଚରିତ୍ରଭଲ ନୁହେଁ ବୋଲି ଗାଁରେ ସମସ୍ତେ ଜାଣନ୍ତି । ସେଇଥିପାଇଁ ବାସୁ ଆସି ରେବତୀକୁ ଟ୍ୟୁସନ କରିବ ବୋଲି ବାପା ଘୋଷଣା କଲାରୁ, ରେବତୀର ବୋଉ ଓ ଜେଜୀ ସ୍ଵାଭାବିକ ଭାବେ ବିରୋଧକଲେ । ବୋଉଙ୍କୁ ତ ବାପା ସହଜରେ ବୁଝାଇଦେଇ ମନାଇନେଲେ । ଜେଜୀ କିନ୍ତୁ ଜୋରଦାର ବିରୋଧ କରିଲେ ।

 

ବାପା ବୁଝାଇ ଦେଲେ, ଝିଅର ପଢ଼ାଆଗ । ଆଜିକାଲି ଝିଅମାନେ ସବୁକ୍ଷେତ୍ରରେ ଅଗେଇଲେଣି । କିନ୍ତୁ ସେଥିପାଇଁ ଭଲ ପାଠପଢ଼ିଥିବା ତ ନିହାତି ଦରକାର । ରେବତୀ ତାଙ୍କର ଗୋଟିଏ ବୋଲି ସନ୍ତାନ । ପୁଅ ନାହିଁକି ଆଉ ଝିଅନାହିଁ । ସେ ଭଲ ପଢ଼ିଲେ ବଂଶର ନାଁ ଉଜ୍ଜ୍ୱଳ କରିବ । ମାଟ୍ରିକ ପରୀକ୍ଷାଟା ଉପରେ ସାରା କ୍ୟାରିୟର ନିର୍ଭର କରୁଛି । ମାଟ୍ରିକରେ ଭଲ କଲେ, ଭଲ କଲେଜରେ ନାଁ ଲେଖାଇବା ସହଜ ହେବ । କେବଳ ଗଣିତକୁ ଛାଡ଼ିଦେଲେ ଅନ୍ୟସବୁ ବିଷୟରେ ରେବତୀ ଭଲ ପଢ଼ୁଛି । ଏଇ ଗୋଟିଏ ବିଷୟ ଲାଗି ତ ଆଉ କ୍ୟାରିୟର ନଷ୍ଟ କରିବନି-। ଗାଁରେ ବି ବାସୁଭଳି ଭଲ ଟ୍ୟୁସନ ମାଷ୍ଟର ମିଳିବନି । ତା’ଛଡ଼ା ସେତ ଘରକୁ ଆସି ରେବତୀକୁ ପଢ଼ାଇବ । ତା’ପୁଣି ଘଣ୍ଟେ/ଦୁଇଘଣ୍ଟା ପାଇଁ । ବାସୁର ଚରିତ୍ର ସହିତ ରେବତୀର ପାଠପଢ଼ାର ବା କି ସଂପର୍କ ? ରେବତୀ କୋଉ ବାସୁର ଘରକୁ ଯାଉଛି ଯେ ଅସୁବିଧା ହେବ !

 

ତଥାପି ଜେଜୀ କୁନ୍ଥୁକୁନ୍ଥୁ ହେଉଥିଲେ । ବାପା ପୁଣି ବୁଝାଇଦେଲେ । ମାଟ୍ରିକ ପରୀକ୍ଷାତ ମାସକେଇଟା ରହିଲା । ଘର ଲୋକଙ୍କ ଆଖି ଆଗରେ ଟ୍ୟୁସନ ପଢ଼ାହେବ । ପରୀକ୍ଷାଟା ଦେଇଦେଲେ ଗଲା । ତା’ପରେ କ’ଣ ବାସୁସହିତ କା’ର ସଂପର୍କ ରହୁଛି ! ଏଇମାସ କେଇଟା ଜଗିହେବନି ?

 

ଜେଜୀ ଆଉ ବିରୋଧ କଲେ ନାହିଁ । ପୁରୁଣାକାଳିଆ ଲୋକ ହୋଇଥିଲେ ମଧ୍ୟ ନାତୁଣୀର ପାଠପଢ଼ା ଉପରେ ତାଙ୍କର ଭାରି ଆଗ୍ରହ । ପୁଅର ତ ଆଉ ଛୁଆ ପିଲା ହେଲାନି । ରେବତୀହିଁ ସବୁକିଛି । ଅତଏବ ବାସୁ ଆସି ରେବତୀକୁ ଟ୍ୟୁସନ କରିବା କଥାଟାକୁ ଅନୁମୋଦନ କରିବା ବ୍ୟତୀତ ଜେଜୀଙ୍କର ଅନ୍ୟ ଉପାୟ ନଥିଲା ।

 

ଦାଣ୍ଡଘରଟାରେ ଟ୍ୟୁସନ ଚାଲିଲା । ତେବେ ଦିନ କେଇଟା ଯାଇନି ବାସୁ ତା’ର ଅସଲ ସ୍ଵରୂପ ଦେଖେଇବା ଆରମ୍ଭ କଲା । ପାଠପଢ଼ାଇବା ବେଳେ ବିଭିନ୍ନ ଆଳ ଦେଖାଇ ରେବତୀର ନିକଟତର ହେବାକୁ ଉଦ୍ୟମ କଲା ସେ । ରେବତୀଯେ ଏକଥା ବୁଝିପାରୁନଥିଲା ତା’ ନୁହେଁ । କିନ୍ତୁ କାଳେ ଘରେ ପ୍ରଘଟ କରିଦେଲେ ଟ୍ୟୁସନଟା ବନ୍ଦ ହୋଇଯିବ ଓ ସେ ପରୀକ୍ଷାରେ ଫେଲ ହୋଇଯିବ, ଏଇ ଭୟରେ ଚୁପ୍‌ ରହିବାକୁ ଶ୍ରେୟ ମଣୁଥାଏ ।

 

ଅଥଚ ତା’ ନିରବତାକୁ ସ୍ଵିକୃତୀ ବୋଲି ଭାବି ନେଉଥାଏ ବାସୁ । ତା’ର ସାହସ ମଧ୍ୟ ଦିନକୁ ଦିନ ବଢ଼ିଚାଲିଥାଏ । ଦାଣ୍ଡଘରେ ପଢ଼ାଯାଉଥିବା ଯୋଗୁଁ ଘର ଲୋକଙ୍କ ଯିବା ଆସିବା ପ୍ରାୟତଃ ଲାଗି ରହୁଥାଏ । ତା’ରି ଭିତରେ କେତେବେଳେ କେମିତି ନିରୋଳା ସମୟ ମିଳିଗଲେ ବାସୁ ଗଣିତ ପଢ଼ାଇବା ବଦଳରେ ସଂସ୍କୃତରୁ ପାଠ ପଚାରିବା ଆରମ୍ଭ କରିଦିଏ । ୟାଡ଼ୁସ୍ୟାଡ଼ୁ ପ୍ରସଙ୍ଗ ଉଠାଉଥାଏ । ରେବତୀ ବୁଝିପାରୁଥାଏ ବାସୁର ମତଲବ । କେବଳ ଅପେକ୍ଷା କରିଥାଏ ପରିସ୍ଥିତି ଗୁରୁତର ହେଲେ ବାଧ୍ୟ ହୋଇ ପ୍ରତିବାଦ କରିବ ।

 

ସେଭଳି ଗୁରୁତର ପରିସ୍ଥିତି ସୃଷ୍ଟି ହେବାକୁ ବି ବେଶିଦିନ ଲାଗିଲାନି । ଦିନେ ରେବତୀର ବାପା ଓ ବୋଉ ଘରେ ନଥାନ୍ତି । ଟ୍ୟୁସନ ଚାଲିଥାଏ । ଜେଜୀ ଦାଣ୍ଡକୁ ବାଡ଼ି ଏପଟସେପଟ ହେଉ ହେଉ ପଡ଼ିଶାଘର ଆଡ଼େ ଚାଲିଗଲେ । ଘରେ କେବଳ ରେବତୀ ଓ ବାସୁ । ଏଇଟାକୁ ବାସୁ ସୁବର୍ଣ୍ଣ ସୁଯୋଗ ମନେ କରି ପାଠପଢ଼ାଉ ପଢ଼ାଉ ହଠାତ୍‍ ରେବତୀକୁ କୁଣ୍ଢାଇ ପକାଇଲା । ରେବତୀ ଛାଟିପିଟି ହୋଇ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ବାସୁ ଅଧିକରୁ ଅଧିକ ଭୟଙ୍କର ମନେ ହେଉଥାଏ । ଏମିତି ଟଣାଓଟରା ଭିତରେ ରେବତୀ ନିଜର ସମସ୍ତବଳ ପ୍ରୟୋଗ କରି ବାସୁର ହାତକୁ ଜୋରରେ କାମୁଡ଼ି ପକାଇବାରୁ ଚିତ୍କାର କରି ବାସୁ ତାକୁ ଛାଡ଼ିଦେଲା । ଆଖିବୁଜି ରେବତୀ ଦୌଡ଼ିଗଲା ଦାଣ୍ଡକୁ । ଅବସ୍ଥା ଅସମ୍ଭାଳ ଦେଖି ବାସୁ ମଧ୍ୟ ସୁନାପିଲା ଭଳି ଅଭିନୟ କରି ବାହାରକୁ ବାହାରିଆସିଲା । ଦାଣ୍ଡପଟେ ରେବତୀ ଥରୁଛି । ପାଖ ଆଖରେ କେହି ଦେଖାଯାଉନାହାଁନ୍ତି । କିଛି ଘଟିନଥିବାର ବାହାନା କରି ବାସୁ ତା’ ପାଖକୁ ଯାଇ କିଛି ସମୟ ତଳର ଘଟଣା କାହାରିକୁ ନକହିବାକୁ ଧମକ ଦେଇ ଚାଲିଗଲା । ପନ୍ଦର ବର୍ଷର ଝିଅ ରେବତୀ, କ’ଣ କରିବ ଜାଣିପାରିଲାନି-। ଘରେ କେହି ନଥିବା ବେଳେ ଏଘଟଣା ଘଟିଛି । ବାସୁର ଚରିତ୍ର ଖରାପ ବୋଲି ସମସ୍ତେ ଜାଣନ୍ତି-। ତଥାପି ଏକଥା କହିଲେ ଯଦି ବିଶ୍ୱାସ ନକରିବେ ! ବାପା ଜାଣିଲେ ତ ସମ୍ଭାଳିକି ରହିବେ ନାହିଁ । ବାସୁସହ ପାଟିତୁଣ୍ଡ କରିବେ । ଗାଁରେ ବାପାଙ୍କର ଖାତିର ଅଛି । ବାସୁକୁ ଗାଁ ଲୋକେ ଛାଡ଼ିବେନି । ପାଟିତୁଣ୍ଡ, ଗଣ୍ଡଗୋଳ ସବୁ କିଛି ଘଟିଯିବାର ସମ୍ଭାବନା ରହିଛି । ତା’ଛଡ଼ା ଗାଁରେ ଏକଥା ରାଷ୍ଟ୍ରହୋଇଗଲେ ତା’ ନିଜର ମଧ୍ୟ ବଦନାମ ହେବ । ପରୀକ୍ଷା ପୂର୍ବରୁ ଏଭଳି ଏକ ପରିବେଶ ପରୀକ୍ଷା ବେଳେ ଅଡ଼ୁଆ କରିବ ନାହିଁ ତ ? ନିଜ ବୟସ ତୁଳନାରେ ଆଉ ଅଧିକ କିଛି ଭାବିପାରୁନଥାଏ ରେବତୀ । କିନ୍ତୁ କାଲିକୁ ଯଦି ବାସୁଭାଇ ପୁଣି ପଢ଼ାଇବାକୁ ଆସନ୍ତି, ସେ ତାଙ୍କ ପାଖରେ ଯାଇ ବସିପାରିବ ତ ?

 

ରେବତୀର ସୌଭାଗ୍ୟକୁ ତା’ ପରଦିନ ବାସୁ ଆସିଲାନି । ବାପା ରେବତୀକୁ ପଚାରିଲେ ‘‘ବାସୁ ତ ଆଜି ଆସିଲାନି । ଆସିବନି ବୋଲି କାଲିଠୁ କହିଥିଲା କି ?’’ ରେବତୀ ମୁଣ୍ଡକୁ ଉପସ୍ଥିତ ବୁଦ୍ଧି ଜୁଟିଗଲା । ‘‘କାଲି ଟ୍ୟୁସନରେ କୋର୍ସ ସଂପୂର୍ଣ୍ଣ ସରିଗଲା । ପରୀକ୍ଷାତ ପାଖେଇ ଆସିଲାଣି । ବାସୁଭାଇ ଆଜିଠୁ ଆଉ ଆସିବେ ନାହିଁ ବୋଲି କହିଥିଲେ’–ରେବତୀ ଉତ୍ତର ଦେଲା ।

 

ବାପା ବ୍ୟସ୍ତହେଲେ । ‘‘ଆରେ ଏତେ ଶୀଘ୍ର କ’ଣ ପଢ଼ା ସରିଗଲା ! ଯଦି ବି ସରିଲା, ବାସୁ ମତେ ଆଗରୁଟିକେ କହି ଦେଇନଥାନ୍ତା । ଏମାସର ଟ୍ୟୁସନ ଟଙ୍କାଟା ତ ଦେଇଥାନ୍ତି କାଲି । ଆମ ଉପରେ ତା’ର ବାକି କାହିଁକି ପଡ଼ିବ ?’’

 

ରେବତୀ ଆଶ୍ଵସ୍ତ ହେଲା । ଯାହାହେଉ, ବାପା ଆଉ କିଛି ପଚାରି ନାହାଁନ୍ତି । ସେ ଯାହା କହିଲା, ତାକୁ ବିଶ୍ୱାସ କରିଗଲେ । ବାସୁଭାଇ ହେଲେ ଆଉ ନଆସନ୍ତା କି !

 

ତେଣେ ବାସୁ ମଧ୍ୟ ଏକ ପ୍ରକାର ଆତଙ୍କିତ ଅବସ୍ଥାରେ ଅଛି ! ରେବତୀ ତା’ ବାପାକୁ କିଛି କହିନିତ ? ରେବତୀର ବାପା ଗାଁରେ ଜଣେ ସମ୍ମାନସ୍ପଦ ବ୍ୟକ୍ତି । ସମସ୍ତେ ତାଙ୍କୁ ମାନନ୍ତି । ଭାରି ରାଇଟିଆ ଲୋକ । ରୋକ୍‍ଠୋକ୍‍ କଥା । କେବଳ ଟିକେ ବଦ୍‌ରାଗୀ । ସିଏ କିଛି କରିବସିଲେ, ଅଡ଼ୁଆରେ ପଡ଼ିଯିବ ବାସୁ । ତେଣୁ କିଛିଦିନ ଚୁପ୍‌ଚାପ୍‍ ରହିଯିବାକୁ ଶ୍ରେୟ ମଣିଲା ସେ । ରେବତୀର ଘରକୁ କିଛିଦିନ ଟ୍ୟୁସନ କରିବାକୁ ଯିବନି । ଯଦି ରେବତୀ ସେ ଘଟଣାଟା କହିଦିଏ ତ ପରିସ୍ଥିତି ସମ୍ଭଳା ପଡ଼ିବନି । ଯଦି ନକହେ, କିଛିଦିନ ପରେ ପୁଣି ଟ୍ୟୁସନ କରିବାକୁ ଯିବ ।

 

ରେବତୀ ଘରକୁ ଆଉ ବାସୁ ଗଲାନି । ପରିସ୍ଥତିତିଟା ଉଭୟଙ୍କୁ ସୁହାଇଲା । ରେବତୀର ବାପା ବି କିଛି ଦିନ ଅପେକ୍ଷା କଲେ । ବାସୁ ଆସି କେତେବେଳେ ଟ୍ୟୁସନ ଟଙ୍କାଟା ନେଇ ଯାଉ । କିନ୍ତୁ ବାସୁ ଗଲାନି । ସପ୍ତାହକ ପରେ ରେବତୀର ବାପା ବାଧ୍ୟ ହୋଇ ଟ୍ୟୁସନ ଟଙ୍କାଟା ଦେଇ ଦେବାକୁ ବାସୁ ଘରକୁ ଗଲେ । ଘରଭିତରେ ଥିବା ବାସୁ ଏଖବର ପାଇ ଡରିଗଲା । ରେବତୀ କ’ଣ ଏତେ ଡେରିରେ ସେଦିନର କଥା କହିଦେଲା କି ? ମନରେ ଭୟ ରଖି ବାହାରକୁ ଆସିଲା ସେ ।

 

କିନ୍ତୁ ନା । ସେମିତି କିଛି ହେଲାନି । ଟ୍ୟୁସନ ଟଙ୍କାଟା ଦେଇଦେବା ପରେ ରେବତୀର ବାପା କେବଳ କହିଗଲେ ଯେ ଏତେ ଶୀଘ୍ର ପଢ଼ା ସରିଯିବ ବୋଲି ଆଗରୁ ଜଣାଇ ଦେଇଥିଲେ, ପଢ଼ା ସରିବା ଦିନ ହିଁ ସେ ଟ୍ୟୁସନ ଟଙ୍କାଟା ଦେଇ ପାରିଥାନ୍ତେ । ସେ ଯାହାବି ହେଉ, ପରୀକ୍ଷା ତ ଆହୁରି ଢେର ଦିନ ଅଛି । ମଝିରେ ମଝିରେ ଯାଇ ରେବତୀ କେମିତି ପଢ଼ାଚଲେଇଛି, ଟିକିଏ ଦେଖିଆସିବାକୁ ବାସୁକୁ ସେ କହିଗଲେ । ବାସୁ ହଠାତ୍‍ କିଛି ବୁଝିପାରିଲାନି । କୋର୍ସତ ସଂପୂର୍ଣ୍ଣ ସାରିପାରିନି ସେ । ଆଉ ୧୫/୨୦ ଦିନ ଲାଗିଥାନ୍ତା ସରିବାକୁ । ରେବତୀର ବାପା ଏମିତି କ’ଣ କହୁଛନ୍ତି ! ତେବେ ସେ ଆଶ୍ଵସ୍ତ ହେଲା, ରେବତୀ ତା’ହେଲେ ସେଦିନର ଘଟଣା କିଛି କହିନି । ବୋଧହୁଏ କୋର୍ସ ସରିଯାଇଛି ବୋଲି ମିଛରେ ତା’ ବାପାଙ୍କୁ କହି ଦେଇଛି । ରେବତୀର ବୁଦ୍ଧିକୁ ମାନିବାକୁ ପଡ଼ିବ–ମନେ ମନେ ଭାବିଲା ବାସୁ ।

 

ମଣିଷ ପ୍ରକୃତି । ରେବତୀର ଘରକୁ ସିନା ଯିବାଟା ବନ୍ଦ ହୋଇଗଲା । ତା’ କଥା କିନ୍ତୁ ଭୁଲିପାରୁନି ବାସୁ । ଆଗରୁ ଗାଁରେ ଏମିତି ଦୁଇଚାରିଟା ଘଟଣାରେ ସେ ଧରାପଡ଼ିଥିଲା । ମାଡ଼ଗାଳି ଖାଇଥିଲା । କିନ୍ତୁ ରେବତୀ ତ ସେମିତି କିଛି କଲାନି । ବରଂ ବାସୁର ଦୋଷକୁ ଲୁଚାଇଲା । ରେବତୀର ମତିଗତି ଠଉରାଇବା ବଡ଼ କଷ୍ଟ–ଭାବିଲା ବାସୁ । ସତରେ କ’ଣ ରେବତୀ ତାକୁ କ୍ଷମା କରି ଦେଇଛି ନା ଘଟଣାର ଗୁରୁତ୍ୱ ବୁଝିପାରିନି । କିନ୍ତୁ ସିଏ କ’ଣ ରେବତୀକୁ ଭୁଲି ପାରିବ ! ରେବତୀର କାମୁଡ଼ା ଦାଗ ତା’ ହାତରେ ଏବେବି ଅଛି । ଘା’ ହୋଇଯାଇଥିଲା ଯେ ଘର ଲୋକଙ୍କୁ ଓ ସାଙ୍ଗମାନଙ୍କୁ ମିଛ କହି ଭୁଲାଇଦେଇଥିଲା । କିନ୍ତୁ ନିଜେ ତ ଭୁଲିପାରୁନି । ରେବତୀକୁ ନପାଇଲା ପର୍ଯ୍ୟନ୍ତ ତା’ ମନ ଶାନ୍ତ ହେବନି ।

 

ବାସୁ ଯେ ଆଉ ରେବତୀକୁ ଟ୍ୟୁସନ କରିବାକୁ ଯାଉନି, ଏକଥା ଖୁବ୍‌ ଶୀଘ୍ର ତା’ର ସାଙ୍ଗମାନେ ଜାଣିଗଲେ । ସେମାନେ ତା’ ପ୍ରକୃତି ସହ ଭଲଭାବେ ପରିଚିତ । ଅତୀତରେ ଏକାଧିକ ଘଟଣାରେ ସେମାନେ ତାକୁ ଗାଁ ଲୋକଙ୍କ ରୋଷରୁ ବଞ୍ଚାଇଛନ୍ତି । ଯେଉଁ ଝିଅ ପଛରେ ବାସୁ ଲାଗିଯାଏ, ତାକୁ ନପାଇବା ପର୍ଯ୍ୟନ୍ତ ଥୟ ରହେନି । ଏମିତିରେ ଦୁଇ ଚାରିଥର ଧରାପଡ଼ିଛି । ଅନେକ ସମୟରେ ଧରାପଡ଼ିବାର ସମ୍ଭାବନାଥିଲେ ଚୁପ୍‌ଚାପ୍‌ ଖସି ଆସିଛି । ଏବେ ରେବତୀକୁ ସେ ଟ୍ୟୁସନ କରିବା ପରଠାରୁ ତା’ ସାଙ୍ଗମାନେ ବାସୁକୁ ଚିଡ଼ାଇବାରେ ଲାଗିଥିଲେ, ନୂଆ ଶିକାରଟିଏ ପାଇଥିବାରୁ । ବାସୁ କିନ୍ତୁ ଆଉ ରେବତୀ ଘରକୁ ଯାଉ ନଥିବାରୁ ସେମାନେ ଭାବିନେଲେ ଯେ ବାସୁ ତା’ ଉଦ୍ୟମରେ ସଫଳ ହୋଇଛି କିମ୍ବା ଧରାପଡ଼ିଛି । ସିଏ ଯେଉଁଠି ଧରାପଡ଼ିଛି, ସେଠୁ ଖସି ପଳାଇଆସିଛି । ଏକଥା ଜାଣନ୍ତି ସାଙ୍ଗମାନେ । ଅତଏବ ରେବତୀକୁ ବାସୁ ପଟେଇ ଦେଇଛି ଓ ଧରା ପଡ଼ିବା ପରେ ଆଉ ତା’ ଘରକୁ ଯାଉନାହିଁ ବୋଲି ସାଙ୍ଗମାନେ ଭାବିନେଲେ ।

 

ବାସୁଠାରୁ ପ୍ରକୃତ କଥା ଜାଣିବାକୁ ସେମାନେ ବାରମ୍ବାର ପ୍ରଶ୍ନକଲେ ବାସୁ ବେଶ୍‌ ଗର୍ବର ସହ କହେ ଯେ, ସେ ରେବତୀକୁ ମନେଇପାରିଛି । ସେ କହେ ଶହେ ବର୍ଷ ହେଲା ରେବତୀମାନେ ବାସୁମାଷ୍ଟ୍ରମାନଙ୍କର ହୋଇ ଆସିଛନ୍ତି । ଆଜିର ରେବତୀ ଏ ବାସୁମାଷ୍ଟ୍ରର ହେବନି, ଇଏ କେମିତି କଥା !

 

ତେବେ ସାଙ୍ଗମାନେ ତାକୁ ଛିଗୁଲାନ୍ତି । ଯଦି ପଟେଇ ଦେଇଛୁ, ଆଉ କାହିଁକି ଟ୍ୟୁସନ କରିବାକୁ ଯାଉନୁ ? ଯୁଗେ ଯୁଗେ ରେବତୀ ଓ ବାସୁର ମିଳନ ଘଟିନାହିଁ, ବରଂ ଦୁଃଖଦ ବିୟୋଗ ଘଟିଛି, ଏକଥା ମନେପକାଇ ଦେଲେ ବାସୁ ଚୁପ୍‌ ରହେ ।’’

 

ୟାଭିତରେ ବେଶ୍‌ କିଛି ଦିନ ବିତିଗଲା । ରେବତୀ ପାଠପଢ଼ାରେ ବ୍ୟସ୍ତ ରହିବା ଭିତରେ ବାସୁର କାଣ୍ଡକାରଖାନାକୁ ଆଉ ମନେ ପକାଏନି । କିନ୍ତୁ ବାସୁ ଯେ ଭୁଲି ପାରୁନି । ରେବତୀ ପଢ଼ାପଢ଼ି କରୁଥିବାରୁ ଘରୁ ପ୍ରାୟତଃ ବାହାରେନି । ଆର ସାହିରେ ଘର ହୋଇଥିବାରୁ ବାସୁ ତାକୁ ଦେଖିପାରୁନି, ଏଣେ ତା’ ଘରକୁ ଯିବାର ସାହସ ମଧ୍ୟ ନାହିଁ ବାସୁର । ମାଟ୍ରିକ ପରୀକ୍ଷା ଆରମ୍ଭ ହେବାର ସପ୍ତାହକ ପୂର୍ବରୁ ହୋଲି ପଡ଼ିଲା । ଗାଁଟା ଯାକ ପିଲା, ଟୋକା ହୋଲିରେ ମାତିଥାଆନ୍ତି । ଏଇ ମଉକାରେ ବାସୁ ହୋଲି ଖେଳୁଖେଳୁ ରେବତୀର ଘର ଆଡ଼େ ଚାଲିଆସିଲା । ଦାଣ୍ଡଦୁଆରେ ହିଁ ଦେଖାହୋଇଗଲେ ରେବତୀର ବାପା । ତାଙ୍କୁ ଦେଖୁ ଦେଖୁ ହଡ଼ବଡ଼େଇ ଗଲା ବାସୁ । ‘‘କୁଆଡ଼େ ଆସିଛୁ କିରେ’’ ବୋଲି ପ୍ରଶ୍ନ କରିବାରୁ ଅନ୍ୟ ଉପାୟ ନପାଇ ବାସୁ କହିଦେଲା ରେବତୀର ପରୀକ୍ଷାଟା ତ ପାଖେଇ ଆସିଲାଣି । ମଝିରେ କେବେ ଟିକିଏ ଆସିବି ବୋଲି ଭାବି ଭାବି ଆସିପାରିଲିନି । ଆଜି ହୋଲି ଖେଳିବାକୁ ଆସିଥିଲି ଇଆଡ଼େ । ପଛରେ ଆସୁଛନ୍ତି ଅନ୍ୟମାନେ ବାଜା ବଜେଇ, ପ୍ରସେସନ କରି । ଏପଟେ ନଦୀକୁ ଯିବୁ ଗାଧୋଇବାକୁ । ସେମାନେ ଆସିବା ପର୍ଯ୍ୟନ୍ତ ରେବତୀ ସହ କଥା ହୋଇଯିବି ବୋଲି ଭାବିଲି । ଯଦି କିଛି ତା’ର ବୁଝିବାର ଥାଏ, ପରେ ଆସି ବୁଝେଇ ଦେବି।’’

 

ରେବତୀର ବାପା ତାକୁ ଘର ଭିତରକୁ ଯିବାକୁ କହିଦେଇ ଦାଣ୍ଡଆଡ଼େ ଚାଲିଗଲେ । ଘରେ ଯେ ରେବତୀ ଏକୁଟିଆ ଅଛି, ଏକଥା ତାଙ୍କର ମନେ ନଥିଲା । ଭିତରେ ରେବତୀର ବୋଉ ଓ ଜେଜୀଙ୍କୁ ନଦେଖି ବାସୁ ପାଟି କରି ଡାକିଲା ‘‘ଘରେ କିଏ ଅଛ ନା ନାହିଁ ?’’ ଆରପଟ ରୁମ୍‌ରେ ପଢ଼ୁଥିଲା ରେବତୀ । ବାସୁର ପାଟିଶୁଣି ଚମକି ପଡ଼ିଲା । ଘରେ କେହି ନାହାଁନ୍ତି । ବୋଉ ଓ ଜେଜୀ ବାରିପଟେ । ବାପା ଦାଣ୍ଡପଟେ ବୋଧେ ଥିଲେ । ଏତେବେଳେ ବାସୁଭାଇ କୁଆଡ଼େ ? ସେଦିନର କଥା ତା’ର ମନେ ପଡ଼ିଗଲା । ସେଦିନ ବି ସେ ଏକୁଟିଆ ଥିଲା ଘରେ । ବାସୁଉପରେ ଭିଷଣ ରାଗିଗଲା ସେ । କିନ୍ତୁ ଉପାୟ ଶୂନ୍ୟ ହୋଇ ବାହାରକୁ ଆସିଲା ଓ ଘରେ କେହି ନାହାଁନ୍ତି ବୋଲି କହିଲା ।

 

ବାସୁ ଉତ୍ତର ଦେଲା ‘‘ମୁଁ ତ ତୋରି ପାଖକୁ ଆସିଥିଲି । ଆଉ କିଏ ଥିଲେ କେତେ, ନଥିଲେ କେତେ ? ପଢ଼ାପଢ଼ି କେମିତି କରୁଛୁ ?

 

‘‘ଆହାରେ ! ଆସିଗଲେ ଶୁଭଚିନ୍ତକ !’’ ମନେ ମନେ ଭାବିଲା ରେବତୀ ଓ ଠିକ୍‌ ଭାବେ ପଢ଼ୁଛି ବୋଲି କହିଦେଇ ରୁମ୍‌କୁ ପଶିଗଲା । ତା’ ପଛେ ପଛେ ବାସୁ ମଧ୍ୟ ଭିତରକୁ ଚାଲିଯାଇ ୟାଡ଼ୁସ୍ୟାଡ଼ୁ ପଚାରିବାରେ ଲାଗିଲା । ଯଦି ଗଣିତରେ କିଛି ଅବୁଝା ଥାଏ କହିଲେ ସେ ବୁଝାଇଦେବ । ନହେଲେ ପରେ କେତେବେଳେ ଆସିବ ବୋଲି ବାସୁ କହିଲା । ରେବତୀ ରୋକ୍‌ଠୋକ୍‍ କହିଦେଲା ଯେ, ଆଉ କିଛି ଅବୁଝା ନାହିଁ । ତା’ର ପଢ଼ାପଢ଼ି ସବୁ ସରିଗଲାଣି । କେବଳ ରିଭିଜନ କରୁଛି ।

 

ତଥାପି ବାସୁ ଯାଉନଥାଏ । ରେବତୀ ମନରେ ଭୟ ପଶିଗଲା । ଥରଟିଏ ବାସୁ କବଳରୁ ଖସିଆସିଛି । ଆଜି ପୁଣି ଘରେ କେହି ନଥିବାରୁ ବାସୁଭାଇ ମତଲବ ଆରମ୍ଭ କଲାଣି । ରୁମ୍‌ ଭିତରେ ବସି ରହିବାଟା ବିପଦ ଭାବି ରେବତୀ ଅଗଣାକୁ ବାହାରି ଆସି କହିଲା ‘‘ଘରେ ତ କେହି ନାହାଁନ୍ତି । ମୁଁ ମୋର ପଢ଼ୁଛି । ତମେ ଗଲ ଏଠୁ !’’

 

ବାସୁ ହଠାତ୍‍ ତା’ ହାତଟାକୁ ଧରିପକାଇ କହିଲା ‘‘ଯିବି ବୋଲି କ’ଣ ଆସିଛି ? ରେବତୀ ହାତ ଛିଞ୍ଚାଡ଼ି ବାରିପଟକୁ ଚାଲିଯିବ ବୋଲି ବାହାରିଲା ବେଳକୁ ବାସୁ ତାକୁ ଭିଡ଼ିଧରିଲା । ‘‘ରେବତୀ ତ ସବୁବେଳେ ବାସୁର ! ତୁ କୁଆଡ଼େ ଏମିତି ଚାଲିଯାଉଛୁ ? ସେଦିନ ଖସିଗଲୁ ବୋଲି କ’ଣ ସବୁବେଳେ ଖସିଯିବୁ ?’’

 

ରେବତୀ ତା’ କବଳରୁ ଖସିଯିବାକୁ ଭିଡ଼ିମୋଡ଼ି ହେବା ସହ ପାଟିକରି କମ୍ପେଇଲା । କିନ୍ତୁ ଦାଣ୍ଡପଟେ ଗାଁ ଟୋକାମାନେ ହୋଲିର ପ୍ରସେସନ ନେଇ ଏତେ ଜୋରରେ ହୋହା କରୁଥିଲେ ଯେ ରେବତୀର ସ୍ଵର ଶୂନ୍ୟରେ ମିଳେଇଗଲା ସିନା କେହି ଆସିଲେନି । ବୋଉ ଓ ଜେଜୀ ହେଲେ ବାରିପଟୁ ଚାଲିଆସନ୍ତେ ! ତା’ ବି ହେଉନି । ବାରିଟା ଯେ ବେଶ୍‌ ଲମ୍ବା । ସେମାନଙ୍କୁ ଶୁଭୁଥିବ କି ନାହିଁ । ବାସୁ ଦେଖିଲା ଅଧିକ ସମୟ ନଷ୍ଟ କଲେ ବିପଦ । ରେବତୀକୁ ସେ ଭିଡ଼ିନେଉଥିଲା ପଢ଼ାରୁମ୍‌ ଭିତରକୁ । ରେବତୀ ପ୍ରାଣପଣେ ଚେଷ୍ଟା କରୁଥିଲା ଖସିଯିବାକୁ ।

 

ଦି’ ଜଣଙ୍କ ଭିତରେ ଟଣା ଓଟରା ଚାଲୁଥାଏ । କେତେବେଳେ ରେବତୀ ଖସିଯାଉଥାଏ ତ କେତେବେଳେ ବାସୁ ଧରି ପକାଉଥାଏ । ପାଟି କରିକରି ରେବତୀର ତଣ୍ଟି ଶୁଖିଗଲାଣି । ନଜର ପଡ଼ିଲା ଅଗଣାକୁ । ସେ ପଟ କୋଣରେ କଟୁରୀଟା ପଡ଼ିଛି । ଗତଥର ବାସୁର ହାତକୁ କାମୁଡ଼ି ଦେଇ ଖସିଆସିଥିଲା । ଆଜି ! କେଉଁଠୁ କେଜାଣି ବଳ ଆସିଲା, ସମସ୍ତ ଶକ୍ତି ଖଟାଇ ବାସୁ ହାତରୁ ଖସିଯାଇ ଦୌଡ଼ିଗଲା ଅଗଣାକୁ । ପଛେ ପଛେ ବାସୁ ଗୋଡ଼େଇଲା ବେଳକୁ ରେବତୀ ହାତରେ ପଡ଼ିଗଲାଣି କଟୁରୀଟା । ବାସ୍‌ !

 

ପରୀକ୍ଷା ଲାଗି ହୋଲି ନଖେଳି ପାଠପଢ଼ି ବସିଥିବା ରେବତୀର ସାରାଶରୀର ହୋଇଗଲା ଲାଲ । ତଳେ ପଡ଼ି ଛଟପଟ ହେଉଥିବା ବାସୁ ୟା’ ଭିତରେ ଅସାଡ଼ ହୋଇଗଲାଣି । ବାରିପଟୁ ଘରଭିତରକୁ ବୋଉ ଓ ଜେଜୀ ପଶିଆସିଲା ବେଳକୁ ଚମକି ପଡ଼ିଲେ । ‘‘ଲୋ ରେବତୀ, ଲେ ରେବି’’ ଚିତ୍କାର କରିଉଠିଲେ ଜେଜୀ । ରେବତୀ ବସିପଡ଼ିଛି ପଥରର ମୂର୍ତ୍ତିଟିଏ ଭଳି ।

Image